ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ଚୌଦ୍ୱାର-କଟକ ବିଧାନସଭା ଆସନରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀରେ ଆସନ୍ତା ୨୩ ତାରିଖରେ ଭୋଟ ଗ୍ରହଣ ଥିବାରୁ ପ୍ରଚାର ସରଗରମ ରହିଛି। ବିଜେଡି ଏଥର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ତାଙ୍କ ପୁଅ ସୌଭିକ୍ ବିଶ୍ୱାଳଙ୍କୁ ମଇଦାନକୁ ଓହ୍ଲାଇଛି। ବିଜେପି ପୁଣି ଥରେ ନୟନ କିଶୋର ମହାନ୍ତିଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେହିପରି କଂଗ୍ରେସ ଚିରାଚରିତ ଢଙ୍ଗରେ ପ୍ରାର୍ଥୀ ବଦଳାଇ ଜଗଦୀଶ ଚନ୍ଦ୍ର ମହାନ୍ତିଙ୍କୁ ନିର୍ବାଚନ ରଣାଙ୍ଗନକୁ ଆଣିଛି।

ଏଥିସହିତ ଓଟିଏମ ଆନ୍ଦୋଳନର ପୁରୋଧା ଦୀପକ ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ତେବେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ କଟକ ମହାନଗରର ୨୪ଟି ୱାର୍ଡ ଏବଂ ଚୌଦ୍ୱାର ମ୍ୟୁନିସିପାଲଟିର ୧୯ଟି ୱାର୍ଡ ଓ ୫ଟି ପଞ୍ଚାୟତକୁ ନେଇ ଗଠିତ। ଏହି ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୪ ହଜାର ୭୫୬। ସେଥିରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର ୭୧୨ ଓ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୬ ହଜାର ୯୬୪ ଏବଂ ଅନ୍ୟାନ୍ୟ ୮୦ ଜଣ ଭୋଟର ରହିଛନ୍ତି।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଭାତ ବିଶ୍ୱାଳ ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ଦୀପକ ବାରିକଙ୍କୁ ପରାସ୍ତ କରିଥିଲେ। ପ୍ରଭାତଙ୍କୁ ୫୮ ହଜାର ୪୯୫ ଖଣ୍ଡ ଭୋଟ ମିଳିଥିବା ବେଳେ ଦୀପକଙ୍କୁ ୨୫ ହଜାର ୭୧୮ ଖଣ୍ଡ ଭୋଟ ମିଳିଥିଲା। ବିଜେପି ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ୮ ହଜାର ୯୧୮ ଓ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ଚୌଧୁରୀଙ୍କୁ ୮ ହଜାର ୪୯୫ ଖଣ୍ଡ ଭୋଟ ମିଳିଥିଲା।

ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଦଳର ସୁରେଶ ମହାପାତ୍ରଙ୍କୁ ପରାସ୍ତ କରିଥିଲେ। ବିଶ୍ୱାଳ ୭୦ ହଜାର ୮୮୦ ଖଣ୍ଡ ଭୋଟ ପାଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ସୁରେଶ ୨୭ ହଜାର ୪୯୫ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପି ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ୨୪ ହଜାର ୬୫୧ ଖଣ୍ଡ ଭୋଟ ମିଳିଥିଲା।

ନୟନ କିଶୋର ପୂର୍ବରୁ ପ୍ରଭାତଙ୍କୁ ତିନୋଟି ଯାକ ନିର୍ବାଚନରେ ମୁକାବିଲା କରିସାରିଥିବା ବେଳେ ଚତୁର୍ଥ ନିର୍ବାଚନ ଲଢୁଛନ୍ତି ପ୍ରଭାତଙ୍କ ପୁଅ ସୈାଭିକ୍‌ ସହିତ। ୨୦୦୪ରୁ ଏଯାଏଁ କଂଗ୍ରେସ ସବୁବେଳେ ପ୍ରାର୍ଥୀ ବଦଲାଇ ଆସିଛି। ଏଥର କଂଗ୍ରେସ ଜଗଦୀଶ ଚନ୍ଦ୍ର ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।

ସୈାଭିକ କଟକ ଜିଲ୍ଲାର ସର୍ବକନିଷ୍ଠ ପ୍ରାର୍ଥୀ। କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ରାଜସ୍ଥାନ କ୍ୟାଡରର ଆଇଏଏସ ଅଧିକାରୀ ତଥା ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଗଦୀଶ ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଶୁଭେନ୍ଦୁ ମହାନ୍ତି, ରଂଜିତ କୁମାର ମଲ୍ଲିକ, ପ୍ରଶ୍ନା କୁମାରୀ ନାୟକ, ସମୀର କୁମାର ସାହୁ, ବିଏସପିରୁ ନବକିଶୋର ଦାସ, ହିନ୍ଦୁସ୍ଥାନ ନବ ନିର୍ମାଣ ଦଳ ପକ୍ଷରୁ ବିଶ୍ୱରଞ୍ଜନ ଜେଠୀ, ଏସୟୁସିଆଇ(ସି)ରୁ ସସ୍ମିତା ମହାନ୍ତି ପ୍ରମୁଖ ଚୈାଦ୍ୱାର-କଟକ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Comment