ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସ୍କା ଲୋକସଭା ଏବଂ ହିଞ୍ଜିଳି ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ।

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ଏବଂ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହାଇଟେକ ବସ୍ ଯୋଗେ ନବୀନ ପ୍ରଚାର କରିଥିଲେ।

ଏପ୍ରିଲ ୧୮ରେ ଆସ୍କା ଲୋକସଭା ଆସନ ସମେତ ହିଞ୍ଜିଳି, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସାନଖେମୁଣ୍ଡି, ସୋରଡ଼ା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

ନବୀନ ସେରଗଡ଼, ହିଞ୍ଜିଳି, ଆସିକା ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ସୋ’ କରିବା ସାଙ୍ଗକୁ ବସରୁ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ମହାନଳାରୁ ପାଟପୁର ରାସ୍ତାର ଗାନ୍ଧି ଛକରୁ ନବୀନ ପ୍ରଚାର ଆରମ୍ଭ କରିଥିଲେ।

‘‘ମୋ ପ୍ରତି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ଆଶୀର୍ବାଦ ରହିଛି। ଏଥର ବିଜେଡି ଭଲ କରିବ’’, କହିଛନ୍ତି ନବୀନ।

ବିଜେଡି ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ନିର୍ବାଚିତ କରିବାକୁ ନବୀନ ନିବେଦନ କରିଥିଲେ।

ମହାନଳାରୁ ଆରମ୍ଭ ହୋଇଥିବା ରୋଡ ସୋ’ ରାଧାଦେଇପୁର, ଏରଣ୍ଡ୍ରା, ଖଲିଙ୍ଗ, ଆଡ଼ପଡ଼ା, କଙ୍କରଣା, କାଉଡ଼ିଆ ଛକ, ଜଗନ୍ନାଥପୁର ଛକ, ରାମଚନ୍ଦ୍ରପୁର, ବିଜୁ ପଟ୍ଟନାୟକ ଛକ, ସେରଗଡ଼, କୁମାରପାଣି, କରଡ଼କଣା, ବାରମୁଣ୍ଡଳି, ବନ୍ଧଗୁଡ଼ା, ଧବଳପୁର, ଧନନ୍ତର, ଡେଙ୍ଗାପଦର, ଗୋବିନ୍ଦପୁର, ଗୋଠଗାଁ, କୁରୁଳା, ଅଲାରିଗଡ଼, ବଳରାମପୁର, କୁଞ୍ଚୁଡୁ, ବେଲିଗାଁ, ନନ୍ଦିକି, ଶିକିର, ହିଞ୍ଜିଳି, ଚୁରୁପଡ଼ା, ପୋଡିଙ୍ଗି, ପିତଳ ଛକ ଆଦି ସ୍ଥାନରେ ରୋଡ ସୋ’ କରିଥିଲେ ନବୀନ।

ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଚାଲିଥିବା ବେଳେ ଏଣେ ଡେଙ୍ଗାଓସ୍ତଠାରେ କଂଗ୍ରେସ ନିର୍ବାଚନୀ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡି ସରକାର ବିରୋଧରେ ବିଷ ଓଗାଳିଥିଲେ। ବିଜେପି ଓ ବିଜେଡି ନେତାମାନେ ନିର୍ବାଚନୀ ପ୍ରଚାରରେ ଡାହା ମିଛ କହୁଥିବା ନିରଞ୍ଜନ କହିଥିଲେ।

କଂଗ୍ରେସର ଏହି ସଭାରେ ସିପିଆଇ ଜାତୀୟ ସମ୍ପାଦକ କୁରୁମିତ କୌର, ଆସ୍କା ଲୋକସଭା ଆସନରେ କଂଗ୍ରେସ ଓ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ।

Comment