ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଏପ୍ରିଲ ୧୮ ରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୫ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ଏଥର ନିର୍ବାଚନ ହେବ। ଦ୍ବିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ରାଜନୀତିରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। କାରଣ ବିଜେପି, କଂଗ୍ରେସ ଓ ବିଜେଡିର ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି।

ବିଜେପି ଏଥର କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କୁ ରିପିଟ୍ କରିଛି। ସେହିପରି ଜୁଏଲଙ୍କୁ ଟକ୍କର ଦେବାଲାଗି ବିଜେଡି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ସୁନୀତା ବିଶ୍ବାଳଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାରି ଭିତରେ ବିଜେଡି ଓ ବିଜେପିକୁ ଚେକ୍ ଦେବାଲାଗି କଂଗ୍ରେସ ପ୍ରାର୍ଥୀ କରିଛି ଆଦିବାସୀ ନେତା ଜର୍ଜ ତିର୍କୀଙ୍କୁ।

ଜୁଏଲଙ୍କ ଲାଗି ଏଥର ସମ୍ମାନର କଥା

ଜୁଏଲ ସୁନ୍ଦରଗଡ ଆସନରୁ ୪ ଥର ହେବ ଜିତିଆସୁଛନ୍ତି। ଯାହାଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରିଛି। ଅର୍ଥାତ ଗତ ୨୦ବର୍ଷ ହେବ ସୁନ୍ଦରଗଡରେ ଜୁଏଲଙ୍କ ଦବଦବା ରହିଛି। ୨୦୧୪ରେ ଜୁଏଲ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ପାଖାପାଖି ୨୦ ହଜାର ଭୋଟରେ ହରାଇଥିଲେ। ଏହାସହିତ ୨୧ଲୋକସଭାରୁ କେବଳ ଗୋଟିଏ ଆସନରେ ବିଜେପି ଏମପି ଆସନ ଅକ୍ତିଆର କରିପାରିଥିଲା।

ତେବେ ୨୦୧୯ ରେ ଜୁଏଲଙ୍କ ନିର୍ବାଚନ ଜିତିବା ସେତେଟା ସହଜ ହେବନାହିଁ। ଏହାପଛରେ କେତୋଟି କାରଣ ରହିଛି। ପ୍ରଥମଟି ହେଲା ଏଥର ଜୁଏଲଙ୍କ ବିପକ୍ଷରେ କଂଗ୍ରେସ ଓ ବିଜେଡିର ପ୍ରାର୍ଥୀଙ୍କ ପଲ୍ଲା ସାମାନ୍ୟ ଭାରିଥିବା ଚର୍ଚ୍ଚା ହେଉଛି। ଦ୍ବିତୀୟଟି ହେଉଛି ଏଥର ଜୁଏଲଙ୍କ ସହିତ ରାଉରକେଲାର ଟାଣୁଆ ନେତା କୁହାଯାଉଥିବା ଦିଲ୍ଲୀପ ରାୟ ଆଉ ବିଜେପିରେ ନାହାନ୍ତି। ୨୦୧୪ ରେ ଦିଲ୍ଲୀପଙ୍କ ସମର୍ଥନ ବିଜେପି ସହ ଥିଲା।

ମାତ୍ର ଏଥର ଦିଲ୍ଲୀପ ବିଜେପିରେ ନାହାନ୍ତି। କିଛି ଦିନ ତଳେ ସେ ନବୀନ ନିବାସ ଯାଇଥିଲେ ଯାହାପରେ ଚର୍ଚ୍ଚା ହେଲାକି ସେ ବିଜେଡିରେ ମିଶିବେ। ମାତ୍ର ଏ ପର୍ଯ୍ୟନ୍ତ ଦିଲ୍ଲୀପ କୌଣସି ଦଳରେ ସାମିଲ ହୋଇନାହାନ୍ତି। ମାତ୍ର ସେ କହିଛନ୍ତି କି ରାଉରକେଲାର ବିକାଶ ଯେଉଁଦଳ କରିବ ସେହିଦଳକୁ ନୈତିକତା ଦୃଷ୍ଟିରୁ ତାଙ୍କର ସମର୍ଥନ ରହିବ। ଅର୍ଥାତ ଦିଲ୍ଲୀପ ଓ ତାଙ୍କ ଗୋଷ୍ଠୀଙ୍କ ସମର୍ଥନ ଏଥର ବିଜେପି ସହ ରହିନପାରେ।

ଜୁଏଲଙ୍କୁ ଟକ୍କର ଦେବେ କଂଗ୍ରେସର ଜର୍ଜ ତିର୍କୀ

ଜୁଏଲଙ୍କୁ ଟକ୍କର ଦେବାକୁ ଆଉ ଜଣେ ଟାଣୁଆ ନେତାଙ୍କୁ ମଇଦାନକୁ ପଠାଇଛି କଂଗ୍ରେସ। ଆଦିବାସୀ ନେତା ଜର୍ଜ ତିର୍କୀ ଏଥର ସୁନ୍ଦରଗଡ଼ ଲାଗି କଂଗ୍ରେସର ଲୋକସଭା ପ୍ରାର୍ଥୀ। ଜର୍ଜ ବିରମୀତ୍ରପୁରର ବିଧାୟକ ସହିତ ତାଙ୍କର ସେଠାରେ ସଂଗଠନ ମଧ୍ୟ ସେତାଟା ଦୁର୍ବଳ ନୁହଁ। ଅର୍ଥାତ ବିଜେପି ଓ ବିଜେଡିକୁ କାଣ୍ଟେକା ଟକ୍କର ଦେବା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଜର୍ଜ।

୨ ପୁରୁଖାଙ୍କୁ ଟକ୍କର ଦେବେ ନବାଗତା ସୁନୀତା ବିଶ୍ବାଳ

ସୁନୀତା ବିଶ୍ବାଳଙ୍କୁ ବିଜେଡି ଏଥର ସୁନ୍ଦରଗଡ ଲାଗି  ଲୋକସଭା ପ୍ରାର୍ଥୀ କରିଛି। ସୁନୀତା ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ହେମାନନ୍ଦ ୨୦୧୪ରେ ସୁନ୍ଦରଗଡ଼ ଆସନରୁ କଂଗ୍ରେସର ଲୋକସଭା ପ୍ରାର୍ଥାଭାବେ ଲଢ଼ିଥିଲେ। ମାତ୍ର ୨୦୧୯ରେ ତାଙ୍କ ଝିଅ ବିଜେଡିରେ ସାମିଲ ହୋଇ ଏବେ ଲୋକସଭା ପ୍ରାର୍ଥୀ। ତେବେ ସୁନୀତା ହେମାନନ୍ଦଙ୍କ ଝିଅ ହୋଇଥିବାରୁ କିଛିଟା ପକେଟ ଭୋଟ ଓ ବିଜେଡି ଭୋଟ ତାଙ୍କ ପାଖକୁ ଯିବ ବୋଲି ଚର୍ଚ୍ଚା ହେଉଛି।

ସୁନ୍ଦରଗଡ ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ମଧ୍ୟରୁ ସବୁଠୁ ଅଧିକ ଭୋଟର ରାଉରକେଲା ବିଧାନସଭାରେ। ଅନ୍ୟପଟେ ରାଉରକେଲାରେ ବ୍ରାହ୍ମଣୀ ସେତୁ ନହେବା, ଆଇଜିଏଚ୍ କୁ ସୁପର ସ୍ପେଶାଲିଟି ହସ୍ପିଟାଲ ନକରିବାକୁ ବିଜେଡି ଓ କଂଗ୍ରେସ ମୁଖ୍ୟ ନିର୍ବାଚନୀ ମୁଦ୍ଦା କରିଛନ୍ତି। ଅନ୍ୟପଟେ ବିଜେଡି ଓ କଂଗ୍ରେସକୁ ହରାଇଥିବା ଜୁଏଲ ମଧ୍ୟ ଜନମତ ହାସଲ କରିବାକୁ ପୂରା ତୟାର। ଅର୍ଥାତ ସୁନ୍ଦରଗଡ଼ ରାଜନୀତିରେ ଏଥର କ୍ଲୋଜ ଫାଇଟ ଦେଖିବାକୁ ମିଳିବ।

Comment