ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

(କଟକରୁ ପ୍ରଣବ ନନ୍ଦୀ) କଟକ ଲୋକସଭା ଆସନରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲ ୨୩ରେ ମତଦାନ ହେବାକୁ ଥିବା କଟକ ସଂସଦୀୟ ଆସନ ପାଇଁ ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇଛନ୍ତି। ଏହି ଆସନ ନିମନ୍ତେ ବିଜେଡି ପକ୍ଷରୁ ୫ ଥରର ସାଂସଦ ଭର୍ତ୍ତୃହରି ମହତାବ ପୁଣି ପ୍ରାର୍ଥୀ ହୋଇଛନ୍ତି। ଅପରପକ୍ଷରେ ବିଜେପି ଆଇପିଏସ ଅଧିକାରୀ ତଥା ରାଜ୍ୟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଦଳରୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରାର୍ଥୀ ହୋଇଛନ୍ତି। ଏହି ଲୋକସଭା ଆସନରେ ତିନି ହେବିୱେଟ୍ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରତିଦ୍ୱନ୍ଦିତା ବେଶ୍ ରୋମାଞ୍ଚକର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରଦାନ କରିଛନ୍ତି ।

କଟକ ଲୋକସଭା ଆସନ ବାରବାଟୀ-କଟକ, ଚୈାଦ୍ୱାର-କଟକ, କଟକ ସଦର, ବଡମ୍ବା, ଆଠଗଡ. ଖଣ୍ଡପଡା ଓ ବାଙ୍କି ଏହିପରି ୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ।

କଟକ ଲୋକସଭା ଆସନ ବିଜେଡିର ଏକ ଅଭେଦ୍ୟ ଦୁର୍ଗ

କଟକ ଲୋକସଭା ଆସନ ବିଜେଡିର ଏକ ଅଭେଦ୍ୟ ଦୁର୍ଗ ଭାବେ ରହିଆସିଛି। ଏହି ଆସନରେ ଭର୍ତ୍ତୃହରି ମହତାବ କ୍ରମାଗତ ୫ଟି ନିର୍ବାଚନ ୧୯୯୮, ୧୯୯୯, ୨୦୦୪ , ୨୦୦୯ ଓ ୨୦୧୪ରେ ସାଂସଦ ଭାବେ ବିଜୟୀ ହୋଇଆସୁଛନ୍ତି। ୨୦୧୪ ନିର୍ବାଚନରେ ଶ୍ରୀ ମହତାବ ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦୀ ଅପରାଜିତା ମହାନ୍ତିଙ୍କୁ ପରାସ୍ତ କରି ୫ମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ମହତାବ ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ପାଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କୁ ୨ ଲକ୍ଷ ୧୯ ହଜାର ୩୨୩ ଖଣ୍ଡ ଭୋଟ ମିଳିଥିଲା। ଏହି ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ପ୍ରାର୍ଥୀ ସମୀର ଦେଙ୍କୁ ୧ ଲକ୍ଷ ୪୬ ହଜାର ୯୩ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

୨୦୧୯ରେ କଟକ ଲୋକସଭା ଆସନ ପାଇଁ ବିଜେଡି ପୁଣି ଶ୍ରୀ ମହତାବଙ୍କୁ ପ୍ରାର୍ଥୀ କରିଛି। ସେହିପରି ପ୍ରକାଶ ମିଶ୍ର ବିଜେପିରୁ ଓ ପଞ୍ଚାନନ କାନୁନଗୋ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି।

ସଂସଦରେ ଓଡିଶାର ସ୍ୱାର୍ଥ ପ୍ରସଙ୍ଗରେ ଭର୍ତ୍ତୃହରି ମହତାବଙ୍କ ପ୍ରଭାବଶାଳୀ ପ୍ରଶ୍ନ ଓ ବକ୍ତବ୍ୟ ତାଙ୍କୁ ଜଣେ ଆଗଧାଡିର ସାଂସଦ ଭାବେ ମାନ୍ୟତା ଦେଇଛି। ଏହାଛଡା ଶ୍ରୀ ମହତାବ ଶ୍ରେଷ୍ଠ ସାଂସଦ ଭାବେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି। ଏଥିସହିତ ଶ୍ରୀ ମହତାବ ନିଜ ନର୍ବାଚନ ମଣ୍ଡଳୀରେ ଅନେକ ଉନ୍ନୟନ କାର୍ଯ୍ୟ ମଧ୍ୟ କରିଛନ୍ତି।

ଅପରପକ୍ଷରେ ଜଣେ ସଚ୍ଚୋଟ ଅଫିସର ଭାବେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କର ବେଶ ଖ୍ୟାତି ରହିଛି। ସେ ମଧ୍ୟ ସିଆର୍‌ପିଏଫ୍‌ ଡିଜି ଭାବେ ଦାୟିତ୍ୱ ସଂପାଦନ କରିସାରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଶ୍ରୀ କାନୁନଗୋଙ୍କ କଟକ ସହର ସହିତ ବେଶ୍ ପରିଚୟ ରହିଛି। ଏଥିସହିତ କଟକ ଜିଲ୍ଲାରେ କଂଗ୍ରେସର ସ୍ୱତନ୍ତ୍ର ଭୋଟ୍‌ ବ୍ୟାଙ୍କ ମଧ୍ୟ ରହିଛି। ଏଥର କଟକ ଲୋକସଭା ଆସନରରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏକାଧିକ କର୍ମୀ ସମ୍ମିଳନୀରେ ଯୋଗଦେଇ ନିଜ ସପକ୍ଷରେ ପ୍ରଚାର ଚଳାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ପ୍ରତି ବିଧାନସଭା କ୍ଷେତ୍ରରେ ନିଜର ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି। ଇତି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋ ମଧ୍ୟ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କଟକ ଲୋକସଭା ଆସନ ନିମନ୍ତେ ଏସ୍‌ୟୁସିଆଇ(ସି)ରୁ ରାଜକିଶୋର ମଲ୍ଲିକ, କୃପା ଦଳରୁ ଅକ୍ଷୟ କୁମାର କର, କଳିଙ୍ଗ ସେନାରୁ ବିଶ୍ୱଜିତ ଗୋସ୍ୱାମୀ, ଭାରତ ପ୍ରଭାତ ଦଳରୁ ସୋମୀୟ ରଂଜନ ଦାସ, ବହୁଜନ ସମାଜ ପାର୍ଟିରୁ ପ୍ରମୋଦ କୁମାର ମଲ୍ଲିକ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ବୃନ୍ଦାବନ ଦାସ ଆଜାଦ, ଅଶୋକ ପ୍ରଧାନ ଓ ସଂଜୟ କୁମାର ସାହୁ ପ୍ରମୁଖ ନିର୍ବାଚନ ଲଢୁଛନ୍ତି।

Comment