ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା ଗୁରୁବାର ବୌଦ୍ଧ ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ବୌଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଏଥିପାଇଁ ଯେ ଗତ ୧୮ ବର୍ଷ ଧରି ଏହା ଶାସକ ବିଜେଡି ହାତରେ ରହିଛି। ବାଚସ୍ପତି ପ୍ରଦୀପ ଅମାତ ଲଗାତାର ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏଥର ଅମାତଙ୍କୁ ଟକ୍କର ଦେବେ ବିଜେପିର ସୁଶାନ୍ତ କୁମାର ପ୍ରଧାନ। ସିପିଆଇ ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବେ ଯୁବ ନେତା ଅବକାଶ ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ବିଗତ ଅଠର ବର୍ଷ ଧରି ଏହି ଅଞ୍ଚଳରେ ବିଜେଡି ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିଛି ତାହାକୁ ଭିତ୍ତି କରି ଦଳ ଭୋଟ ଭିକ୍ଷା କରୁଥିବା ବେଳେ ଦଳ ଭିତରେ ଭଲ କର୍ମୀ ଓ ଅଭିଜ୍ଞ ନେତା ନ ଥିବା କାରଣରୁ ଦଳ ପାଇଁ ଏହା ସମସ୍ୟା ସୃଷ୍ଟି ହେବ ବୋଲି କୁହାଯାଉଛି।

ବାଚସ୍ପତି ପ୍ରଦୀପ ଅମାତଙ୍କ ପାଇଁ ଏଥର ଜିତିବା ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେପିର ସୁଶାନ୍ତଙ୍କ ପାଇଁ ଏହି ନିର୍ବାଚନ କର ବା ମର ସ୍ଥିତିରେ ପକାଇଛି। ଗତ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଓ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବି ଥିଲେ। ତେବେ ସେ ପୁରୁଣା କଂଗ୍ରେସ ଲୋକ ହୋଇଥିବାରୁ କଂଗ୍ରେସରୁ ଆସିଥିବା କର୍ମୀଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କୁହାଯାଉଛି। ସେହିଭଳି ଅବକାଶ ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ସେ କୌଣସି ସହଯୋଗ ପାଇବା ଦେଖା ଯାଉନାହିଁ।

ଆଉ ଏକ ସମସ୍ୟା ହେଉଛି ମିଳିତ ପ୍ରାର୍ଥୀ ଦିଆଯାଇଥିବାରୁ ଭୋଟରମାନେ କଂଗ୍ରେସ ଚିହ୍ନକୁ ଭୋଟିଂ ମେସିନରେ ଦେଖିବାକୁ ପାଇବେ ନାହିଁ।ଏହି ପରିସ୍ଥିତିରେ ବୌଦ୍ଧ ବିଧାନସଭା କ୍ଷେତ୍ରରେ ଲଢେଇ ଅମାତ ଓ ସୁଶାନ୍ତଙ୍କ ଭିତରେ ହିଁ ସୀମିତ ରହିବ।

Comment