ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଳମ୍ବରେ ହେଲେ ବି ବିଜେପି ବୁଝିଛି ଯେ ଟଙ୍କିକିଆ ଚାଉଳରେ ହିଁ ଭୋଟ ଅଛି!

ଚାଉଳ ପଲିଟିକ୍ସକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ୧ ଟଙ୍କାରେ ଚାଉଳ ଦେଇ ବିଜେଡି ନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଥିବା ବେଳେ ଏବେ ବିଜେପି ଏହି ଫର୍ମୁଲା ୨୦୧୯ରେ ପ୍ରୟୋଗ କରିଛି। ରାଜ୍ୟରେ ବିଜେପି ସରକାର ହେଲେ ୧ ଟଙ୍କାରେ ୫ କିଲୋ ଚାଉଳ, ଅଧାକିଲୋ ଡାଲି ଏବଂ ଅଧାକିଲୋ ଲୁଣ ଦେବାକୁ ଘୋଷଣା କରିଛି।

ଗତ ଦୁଇଦିନ ତଳେ ଚୌଦ୍ୱାର ନିର୍ବାଚନୀ ସଭାରେ ପ୍ରଥମେ ଏହି ଘୋଷଣା କରିଥିଲେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ତେବେ ଏ ବାବଦରେ ଆଜି ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦେଇ ବିଜେପି ସ୍ପଷ୍ଟ କରିଛି ଯେ ଚାଉଳ, ଡାଲି ଓ ଲୁଣ ଦେଇ ଭୋଟ ହାତେଇବା ସହଜ।

ଚାଉଳ ପଲିଟିକ୍ସ ପ୍ରଥମେ ଆରମ୍ଭ ହୋଇଥିଲା ୨୦୦୯ ନିର୍ବାଚନ ପୂର୍ବରୁ। ଏହାକୁ ଶୁଭାରମ୍ଭ କରିଥିଲା ବିଜେଡି। ଯେତେବେଳେ ବିଜେପି ଏବଂ ବିଜେଡି ମେଣ୍ଟ ଭାଙ୍ଗିଲା ସେତେବେଳେ ହିଁ ବିଜେଡି ୨ ଟଙ୍କିଆ ଚାଉଳ ଯୋଜନା ଘୋଷଣା କରି ନିର୍ବାଚନ ଲଢ଼ିଥିଲା। ୨୦୦୯ରେ ବିଜେଡି ଏକାକୀ ନିର୍ବାଚନ ଲଢ଼ି ୧୦୩ଟି ଆସନ ପାଇଥିଲା। ଏହି ୨ ଟଙ୍କିଆ ଚାଉଳ ଯୋଜନା ହିଁ ବିଜେଡିକୁ ନିର୍ବାଚନ ବୈତରଣୀ ପାର୍ କରିଥିବା କୁହାଯାଉଛି।

୨୦୧୨ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ଭଲ ସଫଳତା ପାଇଥିଲା। ୨ ଟଙ୍କାରେ କିଲେ ଚାଉଳ ଦେଇ ପଞ୍ଚାୟତ ଏବଂ ୨୦୧୩ରେ ଅନୁଷ୍ଠିତ ପୌର ନିର୍ବାଚନରେ ବାଜିମାତ କରିଥିଲା। ଏହି ଚାଉଳ ଯୋଜନା ହିଁ ବିଜେଡିକୁ ଅଧିକ ଲୋକପ୍ରିୟ କରିଥିଲା।

୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ଆଉ ଏକ ବଡ଼ ଘୋଷଣା କରିଥିଲା। ୨ ଟଙ୍କାରେ ଦିଆଯାଉଥିବା ଚାଉଳକୁ ୧ ଟଙ୍କାରେ ଦେବା ଲାଗି ବିଜେଡି ଘୋଷଣା କରିଥିଲା। ଏହି ୧ ଟଙ୍କିଆ ଚାଉଳକୁ ନେଇ ବିଜେଡି ୨୦୧୪ ନିର୍ବାଚନ ବୈତରଣୀ ପାର ହୋଇଥିଲା। ୨୦୦୯ରେ ୧୦୩ ସିଟ୍ ପାଇଥିବା ବିଜେଡି ୨୦୧୪ରେ ୧୧୭ ଆସନ ପାଇଥିଲା। ଏବେ ବି ଏହି ୧ ଟଙ୍କିଆ ଚାଉଳ ଯୋଜନା ରାଜ୍ୟରେ ବଳବତ୍ତର ରହିଛି।

ଗତ ଅକ୍ଟୋବର ମାସରେ ନବୀନ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରି ଆଉ ୩୦ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିଛନ୍ତି।

ରାଜ୍ୟ ସରକାରଙ୍କର ଏହି ୧ ଟଙ୍କିଆ ଚାଉଳ ଯୋଜନାକୁ ବିଜେପି ସମାଲୋଚନା କରି ଆସୁଥିଲା। ୧ ଟଙ୍କିଆ ଚାଉଳରେ କେନ୍ଦ୍ରର ସିଂହ ଭାଗ ରହୁଥିବା ବିଜେପି ନେତାମାନେ କହି ଆସୁଥିଲେ। କିନ୍ତୁ ଏବେ ବିଜେପି ବୁଝିଛି ଯେ ୧ ଟଙ୍କିଆ ଚାଉଳରେ ହିଁ ଭୋଟ ଅଛି। ବିଜେଡି କେବଳ ଚାଉଳ ଦେଉଥିବା ବେଳେ ବିଜେପି ୧ ଟଙ୍କାରେ ଚାଉଳ ସହ ଅଧାକିଲୋ ଡାଲି ଏବଂ ଅଧାକିଲୋ ଲୁଣ ଦେବାକୁ ଘୋଷଣା କରିଛି।

ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଏହି ଘୋଷଣା କଲେ ଏହାକୁ ବିଜେପି ଛାଡ଼ିଥିବା ନେତମାନେ ସମାଲୋଚନା କରିଥିଲେ। ବିଜେପି ଏହି ପ୍ରସଙ୍ଗ ଇସ୍ତାହାରରେ ରଖି ନଥିବା ବେଳେ ଧର୍ମେନ୍ଦ୍ର କ’ଣ ପାଇଁ ବିଳମ୍ବରେ ଘୋଷଣା କଲେ ବୋଲି ପ୍ରଶ୍ନ କରିଥିଲେ। ଧର୍ମେନ୍ଦ୍ର ତାଙ୍କ ପକେଟରୁ ଏସବୁ ଦେବେ ବୋଲି କହି ସେମାନେ କଟାକ୍ଷ କରିଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ନବୀନ ସବୁ ବର୍ଗର ଭୋଟରଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା କରିଥିଲେ। ଯୁବକଙ୍କ ପାଇଁ ବିଜୁ ଯୁବ ବାହିନୀ ଗଠନ କରି ସ୍ୱେଚ୍ଛାସେବୀର ମନୋଭାବ ସୃଷ୍ଟି କରିଥିବା ବେଳେ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ନବୀନ ଘୋଷଣା କରିଛନ୍ତି। ସରକାକୁ ଆସିଲେ ବିନା ସୁଧରେ ଋଣ ଦେବାକୁ ଘୋଷଣା କରିଛନ୍ତି ନବୀନ।

ସେହିପରି ଚାଷୀଙ୍କ ପାଇଁ କାଳିଆ ଯୋଜନା କରି ନବୀନ ଆଉ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ରବି ଏବଂ ଖରିଫ ଋତୁରେ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ହେଲେ ନିର୍ବାଚନ ସମୟରେ ଟଙ୍କା ଆସିବା ବନ୍ଦ ଥିବାରୁ ବିଜେପି ଉପରେ ଦୋଷ ଲଦିଛି ବିଜେଡି। ସରକାର ଗଠନ ହେବାର ପ୍ରଥମ ଦିନରେ ଚାଷୀଙ୍କ ଅକାଉଣ୍ଟକୁ ଦୁଇଟି କିସ୍ତିର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ନବୀନ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ଏବେ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳୁଛି। ସରକାରକୁ ଆସିଲେ ଏଥିରେ ଆଉ ୩ ଲକ୍ଷ ଯୋଡ଼ି ୧୦ ଲକ୍ଷ କରିବାକୁ ଘୋଷଣା କରିଛି ବିଜେଡି।

ନବୀନଙ୍କର ଏହି ନିର୍ବାଚନୀ ଘୋଷଣାକୁ ଦେଖି ବିଜେପି ମାଷ୍ଟର ଷ୍ଟ୍ରୋକ ମାରିଛି। ୨୦୧୯ ନିର୍ବାଚନ ପାଇଁ ଚାଉଳ ଫର୍ମୁଲା ଆପ୍ଲାଏ କରିଛି। ତେବେ ନବୀନଙ୍କ ୧ ଟଙ୍କିଆ ଚାଉଳ ବନାମ ବିଜେପିର ୧ ଟଙ୍କାରେ ଚାଉଳ+ଡାଲି+ଲୁଣ ଭୋଟରଙ୍କ ଉପରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

Comment