ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ):  ୨୦୧୯ ସାଧାରଣ ନିର୍ବାଚନକୁ ନେଇ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ତାତି ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲ ୨୩ ତାରିଖରେ ମତଦାନ ହେବାକୁ ଥିବା ଏହି ନିର୍ବାଚନ ମଣ୍ଡଳୀ ପାଇଁ ଏଥର ମୋଟ ୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ପକ୍ଷରୁ ଚନ୍ଦ୍ରସାରଥୀ ବେହେରା ଲଗାତର ଦ୍ୱିତୀୟ ଥର ପାଇଁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଭାବେ ଦିଲ୍ଲିପ ମଲ୍ଲିକ ଓ କଂଗ୍ରେସ ପ୍ରାର୍ଥୀ ଭାବେ ଅଭିଶେକ ମହାନନ୍ଦ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଚଳିତ ନିର୍ବାଚନରେ କଟକ ସଦର ଆସନରେ ନିଜ ଗଡ଼ ରକ୍ଷା କରିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ଏହି ଆସନକୁ ଦଖଲ କରିବା ପାଇଁ ବିଜେପି ଓ କଂଗ୍ରେସ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ତେବେ ଚଳିତ ଥର କଟକ ସଦର ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି।

କଟକ ସଦର ବ୍ଲକର ୨୩ଟି ପଞ୍ଚାୟତ ଓ ନିଶ୍ଚିନ୍ତକୋଇଲି ବ୍ଲକର ୧୪ଟି ପଞ୍ଚାୟତ ଏହିପରି ୩୭ଟି ପଞ୍ଚାୟତ ଓ କଟକ ମହାନଗର ନିଗମର ୬ଟି ୱାର୍ଡକୁ ନେଇ କଟକ ସଦର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ। ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୧୫ ହଜାର ୫୦୮। ତନ୍ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୨ ହଜାର ୪୦୪ ଓ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୩ ହଜାର ୭୭ ଏବଂ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୭। ମୋଟ ୨୩୩ ବୁଥରେ ଭୋଟରମାନ ମତଦାନ କରିବେ।

କଟକ ସଦର ନିର୍ବାଚନ ମଣ୍ଡଳୀ ଦୀର୍ଘ ବର୍ଷ ହେବ ଅଣ କଂଗ୍ରେସ ଗଡ଼ ଭାବେ ପରିଚିତ ହୋଇଆସିଛି। ୨୦୦୯ ନିର୍ବାଚନରେ କାଳିନ୍ଦୀ ବେହେରା ଏଠାରୁ ବିଜେଡି ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ। ସେ ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅସୀମା ମହାନନ୍ଦଙ୍କୁ ପରାସ୍ତ କରିଥିଲେ। କାଳିନ୍ଦୀ ୭୧ ହଜାର ୬୩୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅସୀମା ମହାନନ୍ଦଙ୍କୁ ୨୨ ହଜାର ୨୮୭ ଖଣ୍ଡ ଭୋଟ ମିଳିଥିଲା। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିଲ୍ଲିପ ମଲ୍ଲିକଙ୍କୁ ୧୫ ହଜାର ୪୦୭ ଖଣ୍ଡ ଭୋଟ ମିଳିଥିଲା।

୨୦୧୪ ନିର୍ବାଚନରେ କାଳିନ୍ଦୀ ବେହେରାଙ୍କ ପୁତ୍ର ଚନ୍ଦ୍ରସାରଥୀ ବେହେରା ଏହି ଆସନରୁ ନିର୍ବାଚିତ ହୋଇଥିଲେ।  ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ବିଜେପି ପ୍ରାର୍ଥୀ ଦିଲ୍ଲିପ ମଲ୍ଲିକଙ୍କୁ ପରାସ୍ତ କରିଥିଲେ। ଚନ୍ଦ୍ରସାରଥୀଙ୍କୁ ଏହି ନିର୍ବାଚନରେ ୭୧ ହଜାର ୨୪୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଦିଲ୍ଲିପଙ୍କୁ ୪୫ ହଜାର ୪୫୬ ଖଣ୍ଡ ଭୋଟ ମିଳିଥିଲା।

ସେହିପରି ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଦଳର ଚନ୍ଦ୍ରଶେଖର ସାମଲଙ୍କୁ ୧୮ ହଜାର ୨୭୧ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ଥିଲା । ଲଗାତର ଦୁଇଟି ନିର୍ବାଚନରେ କଟକ ସଦର ବିଧାନସଭା ଆସନରୁ ବାଜିମାତ କରିଥିବା ବିଜେଡି ମଧ୍ୟ ଏଥର ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ରହିଛି।

୨୦୧୯ରେ କଟକ ସଦର ସଂରକ୍ଷିତ ଆସନ ପାଇଁ ବିଜେଡି ପୁଣି ଚନ୍ଦ୍ରସାରଥୀ ବେହେରାଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେପିରୁ ଦିଲ୍ଲିପ ମଲ୍ଲିକ ଓ କଂଗ୍ରେସରୁ ଅଭିଶେକ ମହାନନ୍ଦ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ ୨୩ରେ ଏହି ନିର୍ବାଚନ ମଣ୍ଡଳୀରେ ଭୋଟ ହେବାକୁ ଥିବା ବେଳେ ସବୁ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଲାଣି।

ଗତ ଦୁଇଟି ନିର୍ବାଚନରେ ପରାଜିତ ହେବା ପରେ ସଦର ନିର୍ବାଚନ ମଣ୍ଡଳୀରେ ଜନ ସଂପର୍କ ବଜାୟ ରଖି ଚାଲିଥିବା ବିଜେପି ପ୍ରାର୍ଥୀ ମଲ୍ଲିକ ଏଥର ନିର୍ବାଚନରେ ବିଜୟ ହାସଲ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଏଥର ଆରମ୍ଭରୁ କଂଗ୍ରେସ ଦଳ ରତ୍ନାକର ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅସୁସ୍ଥତା କାରଣରୁ ସେ ଓହରିଯିବା ପରେ ଅଭିଶେକଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି। କଂଗ୍ରେସ ପ୍ରାର୍ଥୀ ଅଭିଶେକ ଦଳର ଲୋକସଭା ପ୍ରାର୍ଥୀ ପଞ୍ଚାନନ କାନୁନଗୋଙ୍କ ସହିତ ବିଜେଡିର ବିଫଳତା ନେଇ ଭୋଟରଙ୍କୁ ଅବଗତ କରାଇବା ସହିତ କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରୁଥିବାର ଦେଖିବାକୁ ମିଳୁଛି ।

ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାନସଭା ଆସନ ପାଇଁ ଏସୟୁସିଆଇ(ସି)ରୁ ପରମାନନ୍ଦ ସେଠୀ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରାକେଶ ବେହେରା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

Comment