ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଆଜି ଯାଏଁ ବୈଜୟନ୍ତ ବାବୁ ନିଜ ପରିଚୟରେ ନୁହେଁ, ବିଜେଡି ଟିକେଟରେ ନିର୍ବାଚନ ଜିତି ଆସୁଥିଲେ’’, ଏହା କହିଛନ୍ତି ବିଜେଡିର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ ଏଠି ଲୋକଙ୍କ ବିଶ୍ୱାସ ଜିତିବାକୁ ଆସିଛି ଲୋକଙ୍କୁ ଠକିବାକୁ ନୁହେଁ। ଯିଏ ଏ ତୁଳସୀ କ୍ଷେତ୍ର ସହିତ ବେଇମାନି କରିବ ତାର ଫଳ ତାକୁ ନିଶ୍ଚେ ମିଳିବ।’’

ଏପ୍ରିଲ ୨୯ରେ ହେବ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଭୋଟ। ନିର୍ବାଚନ ପାଇଁ ଏବେ ପ୍ରଚାର ଜମୁଛି। ଏହି ଲୋକସଭା ଆସନରେ ମୁହାଁମୁହିଁ ହୋଇଛନ୍ତି  ଦୁଇ ହେବିଓ୍ୱେଟ ନେତା। ବିଜେପି ଏଠାରେ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଏହି ଦୁଇ ନେତାଙ୍କ ପ୍ରଚାର ଏବେ କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଛି। ଭୋଟରଙ୍କ ନିକଟତର ହେବା ପାଇଁ ସବୁ ପ୍ରକାରର ଚେଷ୍ଚ। ଚଳାଇଛନ୍ତି ଏହି ଦୁଇ ପ୍ରାର୍ଥୀ।

କେନ୍ଦ୍ରାପଡ଼ାର ଆଳି ଅଞ୍ଚଳରେ ସୋମବାର ଦିନ ନିର୍ବାଚନ ପ୍ରଚାର କରୁଥିବା ବେଳେ ଅନୁଭବ ମହନ୍ତିଙ୍କୁ ଭେଟିଥିଲା ଓଡିଶାଲାଇଭ ଟିମ। ଅନୁଭବ ସିଧାସଳଖ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି।

ଅନୁଭବ କହିଛନ୍ତି, ‘‘ସାଢ଼େ ଚାରିକୋଟି ଓଡିଆଙ୍କ ହିରୋ ହେଉଛନ୍ତି ନବୀନ ବାବୁ। ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ନବୀନ ବାବୁଙ୍କ ସାଙ୍ଗେ ରହିଛି। ସେଥିପାଇଁ ତାଙ୍କ ବିଜୟ ସୁନିଶ୍ଚିତ। କେନ୍ଦ୍ରାପଡ଼ା ପାଇଁ ବିଜେଡି ସୁପ୍ରିମୋ ମତେ ଗୁରୁ ଦାୟିତ୍ୱ ଦେଇଛନ୍ତି ଓ ମୁଁ ସେ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବି।’’

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବୈଜୟନ୍ତ। ହେଲେ ୨୦୧୮ ଶେଷ ଆଡ଼କୁ ବୈଜୟନ୍ତ ଓ ବିଜେଡି ଭିତରେ ଦୂରତା ବଢ଼ିଥିଲା। ବୈଜୟନ୍ତ ତୃତୀୟ ମହଲା ଅଫିସରଙ୍କୁ ଟାର୍ଗେଟ କରି ନିଲମ୍ବିତ ହୋଇଥିଲେ। ଶେଷରେ ବୈଜୟନ୍ତ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ।

ନିକଟରେ ବୈଜୟନ୍ତ ପଦ୍ମ ଧରିଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି। ଅଭିଜ୍ଞ ବୈଜୟନ୍ତଙ୍କୁ ମୁକାବିଲା କରିବା ପାଇଁ ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଅନୁଭବ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି।

Comment