ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦୁଇ ଗୁଣା କରିବା ପାଇଁ କେନ୍ଦ୍ର ସରକାର ୨୦୧୪ରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ। ଏହି ପ୍ରତିଶ୍ରୁତି କୁଆଡ଼େ ଗଲା?’’

ବରଗଡ଼ ଜିଲ୍ଲା ଅତାବିରାରେ ନିର୍ବାଚନୀ ସଭା କରି ନବୀନ କେନ୍ଦ୍ରର ବିଜେପି ସରକାରକୁ ଏହି ପ୍ରଶ୍ନ କରିଛନ୍ତି।

ନବୀନ କହିଛନ୍ତି, ‘‘୨୦୧୪ ନିର୍ବାଚନ ବେଳେ ମୋଦି ସରକାର ଧାନର ଏମଏସପି ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ପୂରଣ ନହେବାରୁ ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇଥିଲେ। କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ହେଲେ କେନ୍ଦ୍ର ମନ୍ତ୍ରୀମାନେ ଆଲୋଚନା କରିବାକୁ ସମୟ ଦେଲେନି।’’

ଦୁଇ ଜଣ ଓଡ଼ିଆ କେନ୍ଦ୍ରରେ ମନ୍ତ୍ରୀ ଥିଲେ ମଧ୍ୟ ସେମାନେ ଏହି ପ୍ରସଙ୍ଗକୁ ଠିକ୍ ଭାବେ ସରକାରଙ୍କ ପାଖରେ ଉପସ୍ଥାପିତ କଲେ ନାହିଁ। ଏବେ କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଥବା ନବୀନ କହିଛନ୍ତି।

‘‘ମୁଁ ବଞ୍ଚିଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ’’, କହିଛନ୍ତି ନବୀନ ପଟ୍ଟନାୟକ।

ଅତାବିରା ନିର୍ବାଚନୀ ସଭା ପରେ ନବୀନ ପାଟଣାଗଡ଼ ଗସ୍ତରେ ଯାଇଥିଲେ। ସେଠାରେ ନବୀନ ହାଇଟେକ୍ ବସରେ ବସି ପ୍ରଚାର କରିଥିଲେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଭୋଟ ମାଗିଥିଲେ।

Comment