ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ପ୍ରତିବାଦ କରି ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି। ଏହି ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ‘‘ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ମୁଁ ଘୋର ନିନ୍ଦା କରୁଛି।‘‘

ଏହା ସହ ମୁଖ୍ୟମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୁରୁତ୍ୱ ଦେବାକୁ ପୋଲିସ କମିଶନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

ଏନେଇ ଟୁଇଟ୍ ମଧ୍ୟ କରିଛନ୍ତି ନବୀନ ପଟ୍ଟନାୟକ।

ବିଜେପି ନେତାଙ୍କ ହତ୍ୟା ଘଟଣାକୁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିନ୍ଦା କରିଛନ୍ତି। ସେପଟେ ବିଜେପି ନେତାଙ୍କ ହତ୍ୟା ପରେ ଖୋର୍ଦ୍ଧାରେ ଉତ୍ତେଜନା ଦେଖାଦେଇଛି। ଖୋର୍ଦ୍ଧାରେ ସକାଳ ୮ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।

ଖୋର୍ଦ୍ଧା ୯ ନମ୍ବର ଜୋନର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ହତ୍ୟା କରିଥିବା ସୂଚନା ମିଳିଛି। ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ।

ରବିବାର ରାତି ପାଖାପାଖି ସାଢ଼େ ୧୧ଟା ବେଳେ ମଙ୍ଗୁଳି ନବନୀବାଗରେ ଥିବା ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ। ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହ ଆଲୋଚନା କରି ସେ ଫେରୁଥିଲେ। ଏହି ସମୟରେ ହଠାତ୍ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ଗୁଳି ମାଡ଼କରି ଫେରାର ହୋଇଯାଇଥିଲେ। ଦୁଇଟି ଗୁଳି ତାଙ୍କ ବାମପଟେ ଛାତିରେ ବାଜିଥିଲା। ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାଜନୈତିକ ଘଟଣାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ ବିଜେଡିର ହାତଥିବା ବିଜେପି ଅଭିଯୋଗ କରିଛି।

Comment