ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଏପ୍ରିଲ ୨୩ ରେ ଭୁବନେଶ୍ୱର ଲୋକସଭା ଓ ତା ଅଧୀନରେ ଆସୁଥିବା ବିଧାନସଭା ଆସନ ଲାଗି ଭୋଟ ହେବ। ଏବେଠୁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଲାଗି ଜମି ଆସୁଛି ପ୍ରଚାର।

ଏଥର ଭୁବନେଶ୍ୱର ଆସନ ଲାଗି ବିଜେପି,ବିଜେଡି ଓ କଂଗ୍ରେସ ନୂଆମୁହଁ ଉପରେ ଭରସା କରିଛନ୍ତି। ବିଜେଡିର ପ୍ରାର୍ଥୀ ହୋଇଛନ୍ତି ସୁଶାନ୍ତ ରାଉତ, ବିଜେପି ପ୍ରାର୍ଥୀ କରିଛି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଅପରାଜିତା ମହାନ୍ତିଙ୍କୁ, ସେହିପରି କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଛାତ୍ରନେତା ଇତିଶ ପ୍ରଧାନ।

ତିନିଜଣ ପ୍ରାର୍ଥୀ ରୋଡ ସୋ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ସମସ୍ତଙ୍କ ଲକ୍ଷ୍ୟ ଗୋଟିଏ ନିର୍ବାଚନରେ ବିଜୟ।

ସୁଶାନ୍ତଙ୍କ ଲାଗି କେତେ ସହଜ ହେବ ବିଜୟ

ବିଜେଡି ଏଥର ସୁଶାନ୍ତ ରାଉତଙ୍କୁ ଟିକେଟ ଦେଇଛି। ଟିକେଟ ଘୋଷଣା ପୂର୍ବରୁ ଚର୍ଚ୍ଚା ହେଉଥିଲା କି ବିଜେଡି ସୁପ୍ରିମୋ ଏଥର ପୁଣିଥରେ ପ୍ରିୟଦର୍ଶୀ ମିଶ୍ରଙ୍କୁ ରିପିଟ କରିପାରନ୍ତି। କେବଳ ପ୍ରିୟଦର୍ଶୀ ନୁହନ୍ତି ଆହୁରି କିଛି ନେତାଙ୍କ ନାଁ ମଧ୍ୟ ଏହି ଆସନ ଲାଗି ଚର୍ଚ୍ଚା ହେଉଥିଲା। ଟିକେଟ ଘୋଷଣା ପରେ ଏମାନେ ସାମାନ୍ୟ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କୁ ମନାଇ ନିର୍ବାଚନୀ ବୈତରଣୀ ପାର ହେବା ସୁଶାନ୍ତଙ୍କ ଲାଗି ଟିକେ କଷ୍ଟ ହୋଇପାରେ।

ବିଜେପିକୁ ଭରସା ଅପରାଜିତା

ଅପରାଜିତା ମହାନ୍ତି ଅଭିନୟରେ ଅନେକ ସଫଳତା ପାଇଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ସେ ସେତେଟା ସଫଳ ହୋଇନାହାନ୍ତି। ୨୦୧୪ ନିର୍ବାଚନ ବେଳେ ସେ କଟକ ଲୋକସଭା ଲାଗି କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ସେଠାରେ ତାଙ୍କୁ ପରାଜୟ ଦେଖିବାକୁ ମିଳିଥିଲା। ଗତବର୍ଷ ସେ ବିଜେପିରେ ସାମିଲ ହୋଇଥିଲେ ଏବଂ ବିଜେପୁର ଉପ ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ହୋଇଥିଲେ। ଏଥର ନିର୍ବାଚନ ଲାଗି ବିଜେପି ଅପରାଜିତାଙ୍କୁ ଭୁବନେଶ୍ନର ଉତ୍ତର ଲାଗି ବିଧାୟିକା ପ୍ରାର୍ଥିନୀ କରିଛି। ତେବେ ଦେଖିବାର କଥା ଗତକିଛି ବର୍ଷ ଯେଉଁ ଆସନ ବିଜେଡି କବଜାରେ ରହିଆସିଛି ସେଠାରେ ବିଜେଡି ପ୍ରାର୍ଥୀଙ୍କୁ ଅପରାଜିତା କେମିତି ଚେକମେଟ୍ ଦେଉଛନ୍ତି।

କଂଗ୍ରେସର ପ୍ରାର୍ଥୀ ଇତିଶ ପ୍ରଧାନ

ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବା ଲାଗି କଂଗ୍ରେସ ପ୍ରାର୍ଥୀ କରିଛି ଛାତ୍ରନେତା ଇତିଶ ପ୍ରଧାନଙ୍କୁ। ଇତିଶ ଗତ କିଛିବର୍ଷ କଂଗ୍ରେସର ଦଳସହ ଅଛନ୍ତି। ଅନେକ ସମୟରେ ସେ ବିଜେପି ଓ ବିଜେଡି ବିରୋଧରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ବି ଥାନ୍ତି। ତେବେ ଦେଖିବାର କଥା ସେ ନିର୍ବାଚନୀ ବୈତରଣୀ ପାର ହେବା ଲାଗି କେଉଁ ଋଣନୀତି ପ୍ରସ୍ତୁତ କରୁଛନ୍ତି।

ପ୍ରଚାରକୁ ଆଉ ଅଳ୍ପଦିନ ବାକିଥିବା ବେଳେ କିଏ କେତେ ଭୋଟରଙ୍କୁ ମନାଇ ପାରୁଛି ତାହା ଦେଖିବାକୁ ବାକି ରହିଥିଲା।

Comment