ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ବିଜେଡି ଗୁଣ୍ଡାମାନଙ୍କର ଦଳ ପାଲଟି ଯାଇଛି। ୧୯ ବର୍ଷ ତଳେ ବିଜେଡି ଯାହା ଥିଲା ତାହା ଏବେ ନାହିଁ। ଦଳରେ ଅରାଜକତା ବଢ଼ି ଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଲୋକମାନଙ୍କ ମତାମତକୁ ଆଧାର କରି ମୁଁ ବିଜେପିକୁ ଆସିଛି’’, କହିଛନ୍ତି ବୈଜୟନ୍ତ ପଣ୍ଡା।

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ନିର୍ବାଚନ ଜିତିବା ପାଇଁ ବୈଜୟନ୍ତ ଜୋରଦାର ପ୍ରଚାର ଚଳାଇଛନ୍ତି। କେନ୍ଦ୍ରାପଡ଼ାର ପ୍ରଚାର ମଇଦାନରେ ବୈଜୟନ୍ତଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ବୈଜୟନ୍ତ ଏହି ଅବସରରେ ବିଜେଡି ଉପରେ ବର୍ଷିଥିଲେ।

ବୈଜୟନ୍ତ କହିଥିଲେ, ”ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମୁଁ କେବେ ଅପପ୍ରଚାର କରିନି। ମୁଁ ତାଙ୍କର ଦୀର୍ଘାୟୁ କାମନା କରୁଛି। ଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ।’’

ବୈଜୟନ୍ତ ଆହୁରି କହିଥିଲେ, ‘‘ମୁଁ କୌଣସି ପଦ ପଦବୀ ପାଇଁ କେବେ ରାଜନୀତି କରିନି। ମୁଖ୍ୟମନ୍ତ୍ରୀ ହେବା ପାଇଁ ମୁଁ କେବେ ଚାହିଁନି କି ତାଙ୍କ କ୍ଷମତା ଛଡ଼ାଇ ନେବାକୁ ଚାହିଁନି। କୌଣସି ପଦ ପଦବୀ ପାଇଁ ମୁଁ ବିଜେପିକୁ ଆସିନି। ୧୯ ବର୍ଷ ହେଲା ନବୀନ ବାବୁ ମୁଖ୍ୟମନ୍ତ୍ରୀ ଗାଦି କାହିଁକି ମାଡ଼ି ବସିଛନ୍ତି?’’

”ଓଡ଼ିଶା ମାଟିରେ ଜନ୍ମ ହୋଇଥିବାରୁ ମୁଁ ଗର୍ବିତ। ମୁଁ ସ୍ୱାଭିମାନୀ ଓଡ଼ିଆ। ମୁଁ ବାରମ୍ବାର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଆସିଛି”, କହିଛନ୍ତି ବୈଜୟନ୍ତ ପଣ୍ଡା।

ଅନୁଭବଙ୍କ ପ୍ରାର୍ଥିତ୍ୱ ବିଷୟରେ ପଚାରିବାରୁ ବୈଜୟନ୍ତ କହିଥିଲେ,”କେନ୍ଦ୍ରାପଡ଼ା ଲୋକ ଜାଣିଛନ୍ତି କିଏ ତାଙ୍କ ପାଇଁ ଉଚିତ ପ୍ରାର୍ଥୀ।”

Comment