ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ନିର୍ବାଚନୀ ସଭା କରିବା ପରେ ମୋଦି ଉପକୂଳ ଓଡ଼ିଶା ଉପରେ ଫୋକସ୍ କରିଛନ୍ତି।

ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଭା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ମୋଦି ରାଜଧାନୀ ଭୁବନେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବେ। ଆଉ କିଛି ସମୟ ପରେ ମୋଦି ବିଜୟ ସଙ୍କଳ୍ପ ରଥରେ ଚଢ଼ି କର୍ମୀ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିବେ।

ମୋଦିଙ୍କ ରୋଡ ସୋ’ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ, ଶିରିପୁର ଛକ, ସିଟି ଓମେନ୍ସ କଲେଜ ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ମୋଦି ଉଦବୋଧନ ଦେବେ।

ମୋଦିଙ୍କ ରୋଡ ସୋ’ କାର୍ଯ୍ୟକ୍ରମରେ ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ଏବଂ ତତସଂଲଗ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏବଂ କର୍ମୀମାନେ ସାମିଲ ହେବେ।

ମୋଦି ବିଗତ ଦିନରେ ଅନେକ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ହେଲେ କେବେ ବି ରୋଡ ସୋ’ କରି ନଥିଲେ। ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ରାଜଧାନୀରେ ମୋଦି ରୋଡ ସୋ’ କରି ରାଜନୀତି ପାଣିପାଗକୁ ସରଗରମ କରିବାକୁ ଚାହିଁଛନ୍ତି।

ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାଇଟେକ ବସରେ ବସି ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଥିବା ବେଳେ ମୋଦି ଆଜି ରାଜଧାନୀ ଭୁବନେଶ୍ୱରରେ ରୋଡ ସୋ’ କରିବେ।

ମୋଦିଙ୍କ ରୋଡ ସୋ’ ଭୁବନେଶ୍ୱର ଲୋକସଭା ଆସନ ସମେତ ଅନ୍ୟ ନିର୍ବାଚନମଣ୍ଡଳୀରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

Comment