ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବୀନ ଓ ମୋଦିଙ୍କ ରୋଡ ସୋ’ରେ ଏଥର ଜମୁଛି ପ୍ରଚାର।

ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ହେଲେ ଏଥର ପ୍ରଚାର ମଇଦାନରେ ନବୀନ ଓ ମୋଦିଙ୍କ ରୋଡ ସୋ’ ରେ ପ୍ରଚାର ମଇଦାନ କମ୍ପୁଛି।

ନବୀନ ପଟ୍ଟନାୟକ ଏବେ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି। ନିର୍ବାଚନୀ ସଭା ଅପେକ୍ଷା ରୋଡ ସୋ’ ଉପରେ ଗୁରୁତ୍ୱ ଦେଉଛନ୍ତି ନବୀନ। ହାଇଟେକ ବସରେ ବସି ନବୀନ ନିର୍ବାଚନମଣ୍ଡଳୀରୁ ନିର୍ବାଚନମଣ୍ଡଳୀ ବୁଲି ପ୍ରଚାର କରୁଛନ୍ତି।

ନବୀନ ଆଜି ରଘୁନାଥପାଲିରେ ରୋଡ ସୋ’ କରିଥିବା ବେଳେ ମୋଦି ରାଜଧାନୀ ଭୁବନେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଥିଲେ। ଏୟାରପୋର୍ଟରୁ ବରମୁଣ୍ଡା ଗ୍ରାଉଣ୍ଡ ପର୍ଯ୍ୟନ୍ତ ମେଗା ରୋଡ ସୋ’ କରି ମୋଦି ପ୍ରଚାର ମାହୋଲକୁ ଜମେଇ ଦେଇଛନ୍ତି।

ମୋଦି ମୋଦି ନାରାରେ କମ୍ପିଲା ଭୁବନେଶ୍ୱର

ବିରାଟ ଜନ ସମୁଦ୍ର ନରେନ୍ଦ୍ର ମୋଦିଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବସିଥିଲେ। ଓଡ଼ିଶାର ଚାରି ଲୋକସଭା ଆସନରୁ ଦଳୀୟ କର୍ମୀ ଏବଂ ନେତା ଲୋକ ଛୁଟି ଆସିଥିଲେ ନିଜ ପ୍ରିୟର ନେତାଙ୍କୁ ଦେଖିବା ପାଇଁ। ମୋଦି ମୋଦି ନାରାରେ ସାରା ସହର ପ୍ରକମ୍ପିତ ହେଉଥିଲା। ଗେରୁଆ ରଙ୍ଗ ଧାରଣ କରିଥିଲା ଭୁବନେଶ୍ୱର ସହର। ଛୋଟ ଶିଶୁ ଠାରୁ ଆରମ୍ଭ କରି ଯୁବକ, ମହିଳା,ବୃଦ୍ଧ ସମସ୍ତେ ରାସ୍ତା କଡ଼ରେ ମୋଦିଙ୍କୁ ଦେଖିବା ପାଇଁ ଚାହିଁ ବସିଥିଲେ। ସାରା ସହରରେ ଭାରତୀୟ ଜନତା ପାର୍ଟିର ପତାକା ଉଡୁଥିବାର ଦେଖିବାକୁ ମିଳିଥିଲା।

ମୁଖ୍ୟ ଆକର୍ଷଣ ମୋଦି ମୁଖା

ରୋଡ ସୋ’ରେ ଆଜି ମୋଦିଙ୍କ ମୁଖା ପାଲଟିଥିଲା ମୁଖ୍ୟ ଆକର୍ଷଣ। ଯୁବକ, ମହିଳା ସମସ୍ତେ ପିନ୍ଧିଥିଲେ ମୋଦି ମୁଖା। କିଛି ଯୁବକ ମୋଦିଙ୍କ ଢଙ୍ଗରେ କଥା ହେବା ସହ ଚାଲିବାର ଦେଖିବାକୁ ମିଳିଥିଲା। ମୋଦିଙ୍କ ମୁଖା ପିନ୍ଧି ଯୁବପିଢ଼ି ଖୁବ ଉତ୍ସାହର ସହ ସେଲ୍ଫି ନେଉଥିଲେ।

ରୋଡ ସୋ’ରେ ଓଡ଼ିଶା ସଂସ୍କୃତିର ଝଲକ

ଖୋଲା ଗାଡ଼ିରେ ମୋଦି ହାତ ହଲାଇ ସମର୍ଥକଙ୍କୁ ଉତ୍ସାହିତ କରୁଥିଲେ। ଭିଡ଼ ଭିତରେ ମୋଦିଙ୍କ ଗାଡ଼ି ବରମୁଣ୍ଡା ପଡ଼ିଆ ଅଭିମୁଖେ ମାଡ଼ି ଚାଲିଥିଲା। ମୋଦିଙ୍କ ଗାଡ଼ି ଆଗରେ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ପାଇକ ନାଚ, ଘୋଡ଼ା ନାଚ ଆଦି ପରିବେଷଣ ହୋଇଥିଲା।

ଏହାସହ ଓଡ଼ିଆ ଗୀତର ତାଳେ ତାଳେ ସମର୍ଥକମାନେ ଝୁମୁଥିଲେ। ଆଉ କିଛି ସମର୍ଥକ ହାତରେ ପଦ୍ମ ଫୁଲ ଧରିଥିଲେ। ମୋଦିଙ୍କ ଫ୍ୟାନମାନେ ଗେରୁଆ ରଙ୍ଗର ଟି ସାର୍ଟ ପିନ୍ଧିଥିଲେ, ଯେଉଁଥିରେ ‘ମୋଦି ଏଗେନ’ ଲେଖାଯାଇଥିଲା।

ଏୟାରପୋର୍ଟରୁ ବରମୁଣ୍ଡା ଜନସମୁଦ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ରୋଡ ସୋ’ ଆରମ୍ଭ ହୋଇଥିଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ। ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ, ଶିରିପୁର ଛକ, ସିଟି ମହିଳା ମହାବିଦ୍ୟାଳୟ ପାଖ ଦେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଂଚିଥିଲେ ମୋଦି। ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା ଏହି ରୋଡ ସୋ’।

Comment