ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) : ରାତି ପାହିଲେ ଆସ୍କା ଲୋକସଭା ଆସନ ପାଇଁ ଭୋଟ। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭୋଟର କାହାକୁ ନେତା ଭାବେ ବାଛୁଛନ୍ତି ତା’ ଉପରେ ନଜର।

ଆସିକା, କବିସୂର୍ଯ୍ୟନଗର, ପୋଲସରା, ଖଲିକୋଟ, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଆସିକା ଲୋକସଭା ଆସନ। ଏହି ଆସନରେ ଏଥର ୮ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଏଠାରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି। ପ୍ରମିଳା ବିଷୋୟୀ (ବିଜେଡି), ଅନୀତା ଶୁଭଦର୍ଶିନୀ (ବିଜେପି) ଓ ସିପିଆଇର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ନେଇ ଆସ୍କା ରାଜନୀତି ସରଗରମ ରହିଛି।

ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ଜଣେ ସଦସ୍ୟ। ତାଙ୍କ ଉପରେ ଭରସା କରିଛନ୍ତି ନବୀନ। ପ୍ରଚାର ସମୟରେ ନବୀନ କହିଥିଲେ ଯେ, ଜଣେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଲୋକସଭାକୁ ନିର୍ବାଚିତ କରି ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଖୁବ୍ ଶୀଘ୍ର ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି। ସମଗ୍ର ଦେଶକୁ ଏହା ପଥ ପ୍ରଦର୍ଶନ କରିବ।

ଏଣେ ପ୍ରମିଳାଙ୍କୁ ଆସ୍କା ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ସାଙ୍ଗକୁ ୭ଟି ବିଧାନସଭା ଆସନ ମଧ୍ୟରୁ ଚାରୋଟିରେ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରିଛି। ଏହି ୫ ଜଣ ମହିଳା ପ୍ରାର୍ଥୀ ହେଲେ ଲତିକା ପ୍ରଧାନ (କବିସୂର୍ଯ୍ୟନଗର), ନନ୍ଦିନୀ ଦେବୀ (ସାନଖେମୁଣ୍ଡି), ମଞ୍ଜୁଳା ସ୍ୱାଇଁ (ଆସ୍କା) ଓ ସୂର୍ଯ୍ୟମଣି ବୈଦ୍ୟ (ଖଲ୍ଲିକୋଟ)। ଏହି ୫ ଜଣ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରାଇ ବିଜେଡି ସୁପ୍ରିମୋ ମହିଳା ସଶକ୍ତିକରଣ ଉପରେ ଜୋର୍ ଦେଇଛନ୍ତି।

ଏପଟେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ। ପୂର୍ବତନ ଅର୍ଥମନ୍ତ୍ରୀ ତଥା ‘ଗଞ୍ଜାମ ଟାଇଗର’ ଭାବେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତାଙ୍କୁ ବିଜେପି ଦଳୀୟ ପ୍ରାର୍ଥୀ କରିଛି ଓ ସେ ମଧ୍ୟ କୌଣସି ଗୁଣରେ କମ୍ ଥିବାଭଳି ମନେ ହେଉନାହିଁ।

ଅନୀତାଙ୍କ ବାପା ରାମକୃଷ୍ଣ ୫ ଥର ବିଧାୟକ ଥିଲେ ଓ ମା’ କୁମୁଦିନୀ ପଟ୍ଟନାୟକ ୨୦୦୦ ମସିହାରେ ଆସ୍କା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

‘‘ନିର୍ବାଚନ ଓ ରାଜନୀତି ମୋ’ ରକ୍ତରେ ପ୍ରବାହିତ। ବାପା- ମା’ଙ୍କଠାରୁ ନିର୍ବାଚନ ଗୋଟି ଚାଳନା ସମ୍ପର୍କରେ ଜାଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ମଳ ଭାବମୂର୍ତ୍ତି ଓ ମୋର ବାପା, ମା’ଙ୍କ ପ୍ରଭାବ ଏଥର ମତେ ନିର୍ବାଚନରେ ନିଶ୍ଚୟ ଜିତାଇ ଦେବ’’, ଏହା କହିଛନ୍ତି ଅନୀତା।

ମାତ୍ର ଦ୍ୱିତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ପ୍ରମିଳାଙ୍କୁ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଉଥିବା ବେଳେ ପ୍ରମିଳା କିନ୍ତୁ ଏହାକୁ ଫୁତ୍‌କାର ମାରି ଉଡ଼ାଇ ଦେଇଛନ୍ତି।

ପ୍ରମିଳା କହନ୍ତି, ‘‘ କ୍ଷିଣ ଭାରତର ବହୁ ନେତା ଇଂରାଜୀ ଓ ହିନ୍ଦୀ ଜାଣିନଥିଲେ ସୁଦ୍ଧା ସାଂସଦ ଭାବେ ନିର୍ବାଚିତ ହୋଇ ବେଶ ଭଲ କାମ କରୁଛନ୍ତି। ନିଜର ଭାବନା ବ୍ୟକ୍ତ କରିବା ପାଇଁ ଭାଷା କେବେ ମଧ୍ୟ ପ୍ରତିବନ୍ଧକ ହୋଇପାରିବ ନାହିଁ। ମୁଁ ଓଡ଼ିଆରେ କହିବି ଓ କାମ ହାସଲ କରିବି।’’

କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା କହିଛନ୍ତି, ‘‘ବିଜେଡି ଓ ବିଜେପି କେବଳ ମିଥ୍ୟା ପ୍ରତିଶ୍ରୁତିମାନ ଦେଇଛନ୍ତି। ଏଥର ଲୋକମାନେ ସେହି ପ୍ରାର୍ଥୀମାନଙ୍କୁ ଅଗ୍ରାହ୍ୟ କରିଦେବେ। ୧୯୭୧ ମସିହାରେ କଂଗ୍ରେସ ସମର୍ଥନରେ ସିପିଆଇର ଦୂତୀକୃଷ୍ଣ ପଣ୍ଡା ଆସିକା ଲୋକସଭା ଆସନ ହାତେଇଥିଲେ। ଏଥର ଲୋକେ ମତେ ନିଶ୍ଚୟ ଜୟଯୁକ୍ତ କରିବେ।’’

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଲଡୁକିଶୋର ସ୍ୱାଇଁ ୩,୧୧,୯୯୭ ଅଧିକ ଭୋଟ୍‌ରେ କଂଗ୍ରେସ ପ୍ରାର୍ଥୀ ଲୋକନାଥ ରଥଙ୍କୁ ପରାସ୍ତ କରିଥିଲେ। ଲଡୁକିଶୋର ୫,୪୧,୪୭୩ ଭୋଟ୍ ପାଇଥିବା ବେଳେ ଲୋକନାଥ ୨,୨୯, ୪୭୬ ଭୋଟ୍ ପାଇଥିଲେ। ବିଜେପିର ମହେଶ ଚନ୍ଦ୍ର ମହାନ୍ତି ୬୭,୩୬୧ ଭୋଟ୍ ପାଇଥିଲେ।

୧୯୯୬ ମସିହାରେ ବିଜୁ ପଟ୍ଟନାୟକ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ଓ ତାଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ୧୯୯୭ ଉପ-ନିର୍ବାଚନରେ ଏହି ଆସନରୁ ଜିତିଥିଲେ। ୧୯୯୮ ଓ ୧୯୯୯ରେ ମଧ୍ୟ ନବୀନ ଆସ୍କା ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ ଓ ପରେ ରାଜ୍ୟ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୦ ମସିହାରୁ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଛିଡ଼ା ହୋଇ ଲଗାତର ଜିତୁଛନ୍ତି ନବୀନ।

ଆସ୍କା ଲୋକସଭା ଆସନର ମୋଟ ଭୋଟର ସଂଖ୍ୟା ୧୫.୨୪ ଲକ୍ଷ।

ଏଥର ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ଅନୀତା ଶୁଭଦର୍ଶିନୀ (ବିଜେପି), ପୂର୍ଣ୍ଣଚନ୍ଦ୍ର ନାୟକ (ବିଏସ୍‌ପି) ପ୍ରମିଳା ବିଷୋୟୀ (ବିଜେଡି), ରାମକୃଷ୍ଣ ପଣ୍ଡା (ସିପିଆଇ), ରାଜୀବ ଚନ୍ଦ୍ର ଖାଡ଼ଙ୍ଗା (ଅଲ୍  ଇଣ୍ଡିଆ ଫରୱାର୍ଡବ୍ଲକ୍), ଶଙ୍କର ସାହୁ (ସିପିଆଇ-ଏମଏଲ ରେଡଷ୍ଟାର) ଓ ଦୁଇ ଜଣ ସ୍ୱାଧିନ ପ୍ରାର୍ଥୀ ଚକ୍ରଧର ସାହୁ ଏବଂ କେ ଶ୍ୟାମବାବୁ ସୁବୁଦ୍ଧି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି।

Comment