ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ଢେଙ୍କାନାଳରେ ପ୍ରଚାର କଲେ ଅମିତ ଶାହ
  • ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ
  • ଓଡ଼ିଶାରେ ଦରକାର ବିଜେପି ସରକାର – ଅମିତ ଶାହ
  • ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କଲେ ଶାହ

‘‘ଓଡ଼ିଶାରେ ଚାଲିଛି ‘ବାବୁ’ ରାଜ। ବାବୁ ରାଜକୁ ଶେଷ କରିବାକୁ ପଡ଼ିବ। ଏଠାରେ ଭାରତୀୟ ଜନତା ପାର୍ଟିର ସରକାରକୁ ଆଣିବାକୁ ପଡ଼ିବ’’, କହିଛନ୍ତି ଅମିତ ଶାହ।

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଜି ଢେଙ୍କାନାଳରେ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡି ଏବଂ କଂଗ୍ରେସକୁ ନିଶାନା କରିଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ଶାହ।

ଅମିତ ଶାହ କହିଛନ୍ତି, ‘‘ଓଡ଼ିଶାରେ କଂଗ୍ରେସକୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେଇଛନ୍ତି। କଂଗ୍ରେସ ସରକାରକୁ ଆପଣମାନେ ଦେଖିଛନ୍ତି। ସେହିପରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ ବି ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ସେ ୧୯ ବର୍ଷ ହେଲା ଶାସନରେ ଅଛନ୍ତି। କିନ୍ତୁ ଏବେ ବିଜେପିକୁ ପାଞ୍ଚ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ। ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ଆଗେଇବ। ଦେଶରେ ନମ୍ବର-୧ ରାଜ୍ୟ ହେବ ଓଡ଼ିଶା।’’

ଶାହ କଂଗ୍ରେସ ଉପରେ ବର୍ଷିଥିଲେ। କହିଥିଲେ ଯେ କଂଗ୍ରେସ ନେତୃତ୍ୱରେ ସରକାର ଚାଲିଥିବା ବେଳେ ପାକିସ୍ତାନରୁ ଆତଙ୍କବାଦୀ ଆସୁଥିଲେ ଏବଂ ଭାରତରେ ବିସ୍ଫୋରଣ କରି ଚାଲି ଯାଉଥିଲେ। କିନ୍ତୁ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିଲା। ନିକଟରେ ପୁଲଓ୍ୱାମାଠାରେ ଆତଙ୍କବାଦୀମାନେ ବିସ୍ଫୋରଣ କରି ୪୦ ଜଣ ଯବାନଙ୍କୁ ସହିଦ କରିଥିଲେ। ଏହାର ଜବାବ ଦେଇଥିଲେ ମୋଦି। ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଶିବିରକୁ ଟାର୍ଗେଟ କରିଥିଲେ।

ମୋଦିଙ୍କ ହାତରେ ଦେଶ ସୁରକ୍ଷିତ। ଦେଶକୁ ସୁରକ୍ଷିତ ରଖିବାକୁ ହେଲେ ମୋଦିଙ୍କ ହାତମୁଠାକୁ ପୁଣିଥରେ ଟାଣ କରିବାକୁ ପଡ଼ିବ ବୋଲି କହିଥିଲେ ଅମିତ ଶାହ।

Comment