ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଟକରେ ରୋଡ ସୋ’ କରି ବିଜେପି କର୍ମୀଙ୍କୁ ଉତ୍ସାହିତ କଲେ ଅମିତ ଶାହ।

(କଟକରୁ ପ୍ରଣବ ନନ୍ଦୀ) : ୨୦୧୯ ନିର୍ବାଚନ ପାଇଁ କଟକରେ ଆଜି ବିଜେପି ଶକ୍ତି ପ୍ରଦର୍ଶନ କରିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରୋଡ ସୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ଜେଲ ରୋଡରୁ ଶାହ ରୋଡ ସୋ’ ଆରମ୍ଭ କରିଥିଲେ। ଚଣ୍ଡି ମନ୍ଦିର ଯାଏଁ ଯାଇଥିଲା ଏହି ରୋଡ ସୋ’।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ଣରେ କଟକରେ ରୋଡ ସୋ’ କରିଥିବା ବେଳେ ସନ୍ଧ୍ୟାରେ ଶାହଙ୍କ ରୋଡ ସୋ’ କଟକ ରାଜନୀତିକୁ ସରଗରମ କରିଛି।

ଶାହଙ୍କ ରୋଡ ସୋ’ ସନ୍ଧ୍ୟା ୮ଟା ୪୦ ମିନିଟରେ ଜେଲରୋଡରୁ ଆରମ୍ଭ ହୋଇଥିଲା। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶାହ ପ୍ରଚାର କରିବା ସହିତ ରୋଡ ସୋ’ ମାଧ୍ୟମରେ ଦଳର ଶକ୍ତି ପ୍ରଦର୍ଶନ କରିଥିଲେ। ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ସମୀର ଦେ ଏହି ରୋଡ ସୋ’ରେ ସାମିଲ ହୋଇଥିଲେ।

ଏହି ରୋଡ ସୋ’ ଚୌଧୁରୀବଜାର, ନୟାସଡକ, ବାଲୁବଜାର, ନିମଚଉଡି, ଚାନ୍ଦିନିଚୌକ, ମହମ୍ମଦିଆ ବଜାର ଓ ଶେଖବଜାର ଦେଇ ଚଣ୍ଡୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।

କଟକରେ ପହଞ୍ଚିବା ପରେ ଶାହଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଦଳର ଶହ ଶହ କର୍ମୀ ଏହି ରୋଡ ସୋ’ରେ ଅଂଶ ଗ୍ରହଣ କରିଥିଲେ। ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପିମୟ ହୋଇଯାଇଥିଲା। ଶାହଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର କର୍ମୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।

ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ହାତ ହଲାଇ ଶାହ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ପାରମ୍ପରିକ ନୃତ୍ୟ ଓ ସଂଗୀତ, ବନାଟି ଖେଳ ଓ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏହା ପୂର୍ବରୁ ଅମିତ ଶାହ ବଡମ୍ବା ଓ ଢେଙ୍କାନାଳ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ।

Comment