ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା କାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ଟି ଆସନ ଉପରେ ସମସ୍ତଙ୍କର ନଜର ଅଟକିଛି। ଏଗୁଡ଼ିକ ହେଲା ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼ ଓ ବିରମିତ୍ରପୁର।

୨୦୧୪ ନିର୍ବାଚନରେ ଏହି ୫ ଆସନ ଭିତରୁ କଂଗ୍ରେସକୁ ୪ ଆସନ ମିଳିଥିବା ବେଳେ ସମତା କ୍ରାନ୍ତି ଦଳର ଜର୍ଜ ତିର୍କୀ ବିରମିତ୍ରପୁର ଆସନରେ ବିଜୟୀ ହୋଇଥିଲେ। ଏହି ୫ ନିର୍ବାଚନ ମଣ୍ଡଳୀ ଭିତରୁ ବ୍ରଜରାଜନଗର ଓ ଝାରସୁଗୁଡ଼ା ସାଧାରଣ ବର୍ଗଙ୍କ ଆସନ। ସୁନ୍ଦରଗଡ଼, ତଳସରା ଓ ବିରମିତ୍ରପୁର ଏସଟିଙ୍କ ପାଇଁ ସଂରକ୍ଷିତ।

ବ୍ରଜରାଜନଗରରେ ୪ ପ୍ରାର୍ଥୀ ଥିବା ବେଳେ ଲଢ଼େଇ ମୁଖ୍ୟତଃ ବିଜେପିର ରାଧାରାଣୀ ପଣ୍ଡା ଓ ବିଜେଡିର କିଶୋର କୁମାର ମହାନ୍ତିଙ୍କ ଭିତରେ ସୀମିତ ରହିବ। ସେହିପରି ଝାରସୁଗୁଡ଼ା ଆସନ ପାଇଁ ଲଢ଼େଇ ବିଜେପିର ଦିନେଶ ଜୈନ ଓ ବିଜେଡିର ପ୍ରାର୍ଥୀ ଓ ବର୍ତ୍ତମାନ ବିଧାୟକ ଥିବା ନବ କିଶୋର ଦାସଙ୍କ ଭିତରେ ହିଁ ହେବ।

ତଳସରାରେ କିନ୍ତୁ ଲଢ଼େଇ ତିନି ଜଣଙ୍କ ଭିତରେ ହେବା ଦେଖାଯାଉଛି। ପୁରୁଣା ଖେଳାଳି ଓ ଏଇକ୍ଷଣି ବିଧାୟକ ଥିବା କଂଗ୍ରେସର ପ୍ରଫୁଲ୍ଲ ମାଝି, ବିଜେଡିର ନୂଆ ପ୍ରାର୍ଥୀ ଷ୍ଟିଫେନ୍ ସୋରଙ୍ଗ ଓ ବିଜେପିର ଭବାନୀ ଶଙ୍କର ଭୋଇ ମଇଦାନରେ ଅଛନ୍ତି।

ତେଣେ ସୁନ୍ଦରଗଡ଼ ବିଧାନସଭା ଆସନରେ କିନ୍ତୁ ମଜାଦାର ଲଢ଼େଇ ହେଉଛି। ଏଠାରୁ କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ ପ୍ରାର୍ଥୀ ହୋଇଥିଲା ବେଳେ ବିଜେପିର କୁସୁମ ଟେଟେ ପ୍ରାର୍ଥୀ ହୋଇଛନ୍ତି। ଟେଟେଙ୍କୁ  ଟିକେଟ ନମିଳିବା ହେତୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଓ ତାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି ଏଠି ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ପ୍ରାର୍ଥୀ ଭାବେ ଠିଆ କରିଛି।

ବିରମିତ୍ରପୁରରେ ସବୁ ଦଳର ପ୍ରାର୍ଥୀ ନୂଆ। କଂଗ୍ରେସ ରୋହିତ ତିର୍କୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଶଙ୍କର ଓରାମ ଓ ବିଜେଡି ମଖଲୁ ଏକ୍କାଙ୍କୁ ଛିଡ଼ା କରିଛି।

Comment