ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ହିଞ୍ଜିଳିରେ ଜମୁଛି ଲଢ଼େଇ। ନବୀନଙ୍କ ବିପକ୍ଷରେ ୮ ପ୍ରାର୍ଥୀ।

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) : ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଆସନ୍ତା ୧୮ ତାରିଖରେ ଭୋଟ। ଏଣୁ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଉପରେ ଏବେ ସଭିଙ୍କ ନଜର ରହିଛି। ନବୀନ ଏହି ଆସନରୁ ୨୦୦୦ ମସିହାରୁ ନିର୍ବାଚିତ ହୋଇ ଆସୁଛନ୍ତି।

୨୦୧୪ରେ କ’ଣ ଥିଲା ଚିତ୍ର

୨୦୧୪ ନିର୍ବାଚନରେ ନବୀନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶିବରାମ ପାତ୍ରଙ୍କୁ ୭୬ ହଜାର ୫୮୬ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। କଂଗ୍ରେସ ଓ ବିଜେପି ସମେତ ୭ ପ୍ରାର୍ଥୀ ଏହି ଆସନରେ ଅମାନତ ହାରିଥିଲେ। ନବୀନ ୮୯ ହଜାର ୨୫୩ ଭୋଟ ପାଇଥିବା ବେଳେ କଂଗ୍ରେସର ଶିବରାମ ୧୨ ହଜାର ୬୮୧, ବିଜେପିର ଦେବାନନ୍ଦ ମହାପାତ୍ର ୧୨ ହଜାର ୨୮୩ ଭୋଟ ପାଇଥିଲେ। ଏଥର ନବୀନ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ କେତେ ଭୋଟ ପାଉଛନ୍ତି ତା’ ଉପରେ ନଜର ରହିଛି।

ଏଥର ନବୀନଙ୍କ ବିପକ୍ଷରେ କିଏ?

ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୀତାମ୍ବର ଆଚାର୍ଯ୍ୟ। କଂଗ୍ରେସରୁ ଶମ୍ଭୁ ପାଣିଗ୍ରାହୀ, ବିଏସପିରୁ ଭାସ୍କର ଚୌଧୁରୀ, ଏସୟୁସିଆଇ (ସି)ରୁ ଭି ତରୁପତି ଦୋରା, ଆମ୍ବେଦକର ନ୍ୟାସନାଲ କଂଗ୍ରେସ ପାର୍ଟିରୁ ରଞ୍ଜନ କୁମାର ଆପଟ, ୩ ଜଣ ସ୍ୱାଧୀନ ପ୍ରାର୍ଥୀ ବାବୁଲା ସାହୁ, ସି ଲକ୍ଷ୍ମୀ ଆଚାରୀ, ସୁକାନ୍ତ କିଶୋର ପଣ୍ଡା ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି।

‘ବିକାଶ’ ବିଜେଡିର ପ୍ରସଙ୍ଗ

୨୧ଟି ଗ୍ରାମପଞ୍ଚାୟତ, ୫୭ଟି ଗାଁକୁ ନେଇ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗଠିତ। ହିଞ୍ଜିଳିକାଟୁ ପୌରାଞ୍ଚଳ ସାଙ୍ଗକୁ ହିଞ୍ଜିଳି ଓ ଶେରଗଡ଼ ବ୍ଲକ ରହିଛି। ୨ ଲକ୍ଷ ୧୭ ହଜାର ୮୫୭ ଭୋଟର ଏଥର ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।

ନବୀନ ହିଞ୍ଜିଳିକୁ ପ୍ରତିନିଧିତ୍ୱ କରିବା ଦିନରୁ ଅଞ୍ଚଳର ବିକାଶ ହୋଇଥିବା ବିଜେଡି ପକ୍ଷରୁ କୁହାଯାଉଛି। ହିଞ୍ଜିଳି ଅଞ୍ଚଳର ଅଣଓସାରିଆ ରାସ୍ତାକୁ ଚଉଡ଼ା କରାଯାଇଥିବା ବେଳେ ତିନୋଟି କଲେଜ ଏବଂ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ କରାଯାଇଛି। ୯୦ ଭାଗ ଚାଷଜମିରେ ଜଳସେଚନର ସୁବିଧା ସହିତ ପନିପରିବା ଉତ୍ପାଦନରେ ହିଞ୍ଜିଳି ଖ୍ୟାତି ଅର୍ଜନ କରିଛି।

୨୦୧୩, ୨୦୧୬ ଏବଂ ୨୦୧୭ରେ ହିଞ୍ଜିଳି ବ୍ଲକ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପାଇଛି।

ହିଞ୍ଜିଳିରେ ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ତିନୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏହାସହ ୨୦୧୬ରେ ୨୦ ଶଯ୍ୟା ବିଶିଷ୍ଟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଖୋଲାଯାଇଛି। ପ୍ରତ୍ୟେକଙ୍କ ଘରେ ପାଇଖାନା ବସିବା ସାଙ୍ଗକୁ ହିଞ୍ଜିଳି ଏବେ ବାହ୍ୟ ମଳ ପରିତ୍ୟାଗ ମୁକ୍ତ ନିର୍ବାଚନମଣ୍ଡଳୀ ଭାବେ ଘୋଷିତ ହୋଇଛି। ଏହାସହ ଅତ୍ୟାଧୁନିକ ବସଷ୍ଟାଣ୍ଡ, ମାଛ ମାର୍କେଟ ଏବଂ ଦୁଇଟି ମିନି ଷ୍ଟାଡିୟମ ନିର୍ମାଣ ହେଲାଣି। ଏସବୁକୁ ପ୍ରସଙ୍ଗ କରି ବିଜେଡି ନିର୍ବାଚନ ଲଢୁଛି।

ବିଜେପିକୁ ଭରସା ମୋଦି

ବିଜେପି ଏଥର ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ପୀତାମ୍ବର ହିଞ୍ଜିଳି ପାଇଁ ନୂଆ ହୋଇଥିବାରୁ ସେ ମୋଦିଙ୍କୁ ଭରସା କରି ନିର୍ବାଚନ ଲଢୁଛନ୍ତି।

ପୀତାମ୍ବର କହିଛନ୍ତି, ‘‘ହିଞ୍ଜିଳିର ବିକାଶ ହୋଇନି। ମୋଦିଙ୍କ ଲୋକପ୍ରିୟତା ବଢୁଥିବାରୁ ନବୀନ ଭୟଭୀତ ହୋଇଯାଇଛନ୍ତି। ପରାଜିତ ହେବା ଭୟରେ ନବୀନ ଏଥର ଦୁଇଟି ଆସନରୁ ଲଢୁଛନ୍ତି। ଲୋକେ ତାଙ୍କୁ ଏଥର ଉଚିତ ଜବାବ ଦେବେ।’’

କଂଗ୍ରେସର ସ୍ଲୋଗାନ ‘ମାଟି ପୁଅ’

ରାମକୃଷ୍ଣ ପଣ୍ଡାଙ୍କୁ ବଦଳାଇ କଂଗ୍ରେସ ଏଠାରେ ଶମ୍ଭୁ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। ସେ ହିଞ୍ଜିଳି ଅଞ୍ଚଳର ହୋଇଥିବାରୁ ‘ମାଟି ପୁଅ’କୁ ଏଥର ଭୋଟର ନିଶ୍ଚିତ ଭୋଟ ଦେବେ ବୋଲି କଂଗ୍ରେସ ଆଶା ରଖିଛି।

Comment