ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କ୍ଷମତା ନ ହେଲା ନାହିଁ, ନିର୍ବାଚନ ପରେ ବିଜେପି ବିଧିବଦ୍ଧ ଭାବେ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ହେବାକୁ ଯାଉଛି।

ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥି ସହିତ ରାଜ୍ୟର ଅଧା ଅଧି ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ ପଡ଼ିସାରିଥିବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦିଙ୍କ ଭିତରେ ମୁଖ୍ୟତଃ ଏଥରର ଲଢ଼େଇଟି ହେଉଛି। ଗୋଟିଏ ପଟେ ମୋଦି ତାଙ୍କ ନିର୍ବାଚନ ସଭାରେ ନବୀନ ସରକାରର ଅପାରଗତାକୁ ପଦାରେ ପକାଇବା ପାଇଁ ଉଦ୍ୟମ କରୁଥିବା ବେଳେ ନବୀନ କେନ୍ଦ୍ର ଅବହେଳାକୁ ନେଇ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି। ଏହିଭଳି ଏକ ତୀବ୍ର ଓ ଅଭୂତପୂର୍ବ ଲଢ଼େଇ ଭିତରେ ଭୋଟରମାନେ କାହାକୁ ଭୋଟ ଦେଇ ନିର୍ବାଚିତ କରିବେ ତାହା କେବଳ ଅନୁମାନର ବିଷୟ।

ଉର୍ଦ୍ଧ୍ୱମୁଖୀ ବିଜେପି

୨୦୧୪ରେ ବିଜେପିକୁ ଲୋକସଭା ନିର୍ବାଚନରେ ପ୍ରାୟ ୨୨% ଭୋଟ ମିଳିଥିଲା। ସୁନ୍ଦରଗଡ଼ ଆସନରେ ଜୁଏଲ ଓରାମ ହାରୁ ହାରୁ ଜିତିଯାଇଥିଲେ। ଅନ୍ୟ କୋଡ଼ିଏ ଆସନ ଭିତରୁ ଅବଶ୍ୟ ବିଜେପି ୯ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ବାକି ଆସନରେ ତୃତୀୟ ସ୍ଥାନରେ ଥିଲା। ବିଧାନସଭା ଆସନ ମଧ୍ୟରୁ ବିଜେପିକୁ ମାତ୍ର ୧୦ଟି ଆସନ ମିଳିଥିଲା।

୨୦୧୯ରେ କିନ୍ତୁ ସ୍ଥିତି ପୂରା ବଦଳିଛି। ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵୀକାର କରୁଛନ୍ତି ଯେ ତାଙ୍କ ଦଳ ପାଇଁ ବିଜେପି ଏହି ନିର୍ବାଚନରେ ଏକ ଚ୍ୟାଲେଞ୍ଜ ହୋଇଛି। ସତ କହିବାକୁ ଗଲେ, ବିଗତ ୫ ବର୍ଷ ମଧ୍ୟରେ ବିଜେପି ଢେର ବାଟ ଆସିଛି। ଦଳର ସଙ୍ଗଠନକୁ ସଜଡ଼ା ଯାଇପାରିଛି। ସଦସ୍ୟ ସଂଖ୍ୟା ୩ ଲକ୍ଷରୁ ବଢ଼ି ୩୬ ଲକ୍ଷରେ ପହଁଚିଛି। ତୃଣମୂଳ ସ୍ତରରେ ଲୋକଙ୍କ ସହ ବିଜେପି ସମ୍ପର୍କ ସ୍ଥାପନ କରିପାରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳ ଭଲ କରିଛି।

ଦଳର ରଣନୀତି ମଧ୍ୟ ବରାବର ବଦଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ପାଇଁ  ବିଭିନ୍ନ ପ୍ରକଳ୍ପ ଓ ଜନହିତକର କାର୍ଯ୍ୟ ଆରମ୍ଭ କରାଯାଇଛି। ଦଳର ସଭାପତି ଅମିତ ଶାହ ଗତ ଦୁଇ ବର୍ଷ ମଧ୍ୟରେ ୬/୭ ଥର ଓଡ଼ିଶା ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନେକ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ମୋଦି ରୋଡ ସୋ’ କରିଛନ୍ତି।

ଖାଲି ସେତିକି ନୁହେଁ, ବଡ଼ ବଡ଼ ନେତା ଶାସକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଅଧା ଡ଼ଜନ ବିଜେଡ଼ି ସାଂସଦ ଓ ବିଧାୟକ ନିର୍ବାଚନ ପୂର୍ବରୁ ଦଳରେ ମିଶିଛନ୍ତି। ଏକାଧିକ ଅବସରପ୍ରାପ୍ତ ଆଇଏଏସ ଓ ଆଇପିଏସଙ୍କୁ ଦଳରେ ସାମିଲ କରାଯାଇଛି। ଏଣେ ମୋଦି ଲଗାତାର କହିଆସୁଛନ୍ତି ଯେ ଓଡ଼ିଶାରେ ତ୍ରିପୁରା ଭଳି ସ୍ଥିତି ସୃଷ୍ଟି ହେବ ଓ ୧୯ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନ ଭୁଶୁଡ଼ିବ।

ଭୟଭୀତ ବିଜେଡି

ବିଜେପିର ଉତଥାନ ଯେ ନିଶ୍ଚିତ ଭାବରେ କୋଡ଼ିଏ ବର୍ଷ ଧରି ଶାସନରେ ଥିବା ବିଜେଡିର ନିଦ ହଜାଇ ଦେଇଛି ଏଥିରେ ସନ୍ଦେହ ନାହିଁ। ବିଜେପିର ପ୍ରତିଟି ରଣକୌଶଳକୁ ମୁକାବିଲା କରିବା ପାଇଁ ବିଜେଡି ପଦକ୍ଷେପ ନେବା ଆବଶ୍ୟକ ବୋଲି ଭାବିଛି ଓ ସେହି ଅନୁସାରେ ପଦକ୍ଷେପ ମଧ ନେଇଛି। ଏହିଭଳି ଏକ କର ବା ମର ସ୍ଥିତିରେ ଉଭୟ ଦଳ ଯେତେବେଳେ ପହଞ୍ଚିଛନ୍ତି ୨୦୧୯ ନିର୍ବାଚନ ନିଶ୍ଚିତ ଭାବେ ୨୦୧୪ ନିର୍ବାଚନଠାରୁ ଅଲଗା ଏହା ଯେ କେହି ମାନିବେ।

ତେବେ ୨୦ ବର୍ଷ ଧରି ଶାସନ ଭାର ଗ୍ରହଣ କରିଥିବା ଓ ନିଜର ଲୋକପ୍ରିୟତାକୁ ବଜାୟ ରଖିପାରିଥିବା ନବୀନ ପଟ୍ଟନାୟକ ଓ ବିଜେଡି ଯେ ହଠାତ କ୍ଷମତାଚ୍ୟୁତ ହେବ ସେହି ସମ୍ଭାବନା ନାହିଁ। ବିଜେପିର ପରମ ବନ୍ଧୁମାନେ ବି ଏଥିରେ ରାଜି ହେବେ।

ମେ ୨୩ ତାରିଖରେ ଯେତେବେଳେ ଫଳ ପ୍ରକାଶ ପାଇବ ଅତି ବେଶୀରେ ବିଜେପି ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ରୂପେ ନିଜକୁ ଦେଖିବ। ଅନ୍ୟ ଅର୍ଥରେ, ନିର୍ବାଚନ ରଣାଙ୍ଗନରେ ଥିବା ତୃତୀୟ ଶକ୍ତି  କଂଗ୍ରେସ ଅଧିକ ବିପର୍ଯ୍ୟୟ ଆଡ଼କୁ ଗତି କରିବ ଓ ତାର ରାଜନୈତିକ ମୂଳଚାଲ ଅଧିକ ଦୁର୍ବଳ ହୋଇପଡ଼ିଥିବ।।

Comment