ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ମେ’ ୨୩ରେ ଜଣାପଡ଼ିବ ଇଭିଏମରେ କାହାକୁ ବାଛିଲେ ଭୋଟର।

ଟାଣ ଖରାକୁ ଖାତିର ନଥିଲା। ହାତରେ ଭୋଟ ପରିଚୟପତ୍ର ଏବଂ ଚିରକୁଟ ଧରି ବିଭିନ୍ନ ବୁଥରେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ ଭୋଟର। ଜଣକ ପରେ ଜଣେ ଭୋଟର ବୁଥ ଭିତରକୁ ଯାଉଥିଲେ ଏବଂ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଇଭିଏମରେ ସୁଇଚ ଟିପି ଭୋଟ ଦେଉଥିଲେ। ଏ ଦୃଶ୍ୟ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନର। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଛି।

୫ ଲୋକସଭା ଏବଂ ୩୫ ବିଧାନସଭା ଆସନର ବହୁ ହେବିଓ୍ୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ମେ’୨୩ରେ ହିଁ ଜଣାପଡ଼ିବ ଭୋଟର କାହା ମୁଣ୍ଡରେ ପାଗ ଭିଡ଼ିଛନ୍ତି।

କାହା ଭାଗ୍ୟ ହେଲା ସିଲ?

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା ଲୋକସଭା ଏବଂ ତତସଂଲଗ୍ନ ବିଧାନସଭା ଆସନ ପାଇଁ ଆଜି ହୋଇଥିଲା ଭୋଟ। କିଛି ସ୍ଥାନକୁ ଛାଡ଼ିଲେ ପ୍ରାୟ ସବୁ ଜାଗାରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ହୋଇଛି। ତେବେ ଏହି ପାଞ୍ଚ ଲୋକସଭା ଏବଂ ୩୫ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି।

ବରଗଡ଼ ଲୋକସଭା ଆସନରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ବିଜେପିର ସୁରେଶ ପୂଜାରୀ ଏବଂ କଂଗ୍ରେସର ପ୍ରକାଶ ଦେବତାଙ୍କ ଭିତରେ କଡ଼ା ଟକ୍କର ହୋଇଥିଲା। ଏହି ତିନି ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍।

ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ, ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଏବଂ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଥିବା ବେଳେ ବଲାଙ୍ଗିରରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ବିଜେପିର ସଙ୍ଗୀତା ସିଂହଦେଓ ଏବଂ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଭାଗ୍ୟ ଇଭିଏମରେ ରହିଛି।

କନ୍ଧମାଳର ହେବିଓ୍ୱେଟ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଥିବା ବେଳେ ଆସ୍କାରେ ପ୍ରମିଳା ବିଷୋୟୀ, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଏବଂ ରାମକୃଷ୍ଣ ପଣ୍ଡାଙ୍କ ଭାଗ୍ୟ ଇଭିଏମରେ ରହିଛି।

୬ ବୁଥରେ ହେବ ସାନି ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ୬ଟି ବୁଥରେ ଇଭିଏମ ଏବଂ ଭିଭିପାଟ ମେସିନରେ ତ୍ରୁଟି ଥିବାରୁ ସାନି ମତଦାନ ପାଇଁ ନିବେଦନ କରାଯିବ।

ସୁନ୍ଦରଗଡ଼ ଲୋକସଭା ଆସନର ୧୨୯ ଏବଂ ୨୧୩ ନମ୍ବର ବୁଥ ଏବଂ କନ୍ଧମାଳ ଲୋକସଭା ଆସନର ୨୧୦ ଓ ୨୨୨ ନମ୍ବର ବୁଥ, ବରଗଡ଼ର ୬୮ ନମ୍ବର ବୁଥ୍ ଏବଂ ଅତାବିରାର ୨୩୫ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ରହିଥିବାରୁ ଏଠାରେ ସାନି ମତଦାନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

୨୪୪ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

୫ଲୋକସଭା ଆସନ ଲାଗି ୩୫ ଓ ୩୫ ବିଧାନସଭା ଆସନ ଲାଗି ମଇଦାନରେ ୨୪୪ଜଣ ପ୍ରାର୍ଥୀ ଓହ୍ଲାଇଥିଲେ। ମୋଟ ୨୭୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହୋଇଛି। ୨୪୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ପୁରୁଷ ଓ ୫ଜଣ ମହିଳା ଅଛନ୍ତି। ଏଥର ମୋଟ ୭୬ ଲକ୍ଷ ୯୩ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୩୯ଲକ୍ଷ ୪୫ହଜାର ୨୫ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୭ଲକ୍ଷ ୪୭ହଜାର ୪୯୩ ରହିଥିଲା।

ଏଥର ମୋଟ ୩୭୦୧ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିଲା। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା।

ଇଭିଏମରେ ନବୀନଙ୍କ ଭାଗ୍ୟ

୧୯ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ଭାଗ୍ୟ ମଧ୍ୟ ଆଜି ଇଭିଏମରେ ସିଲ ହୋଇଯାଇଛି। ନବୀନ ଏଥର ହିଞ୍ଜିଳି ଏବଂ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ହିଞ୍ଜିଳି ଏବଂ ବିଜେପୁର ଭୋଟର ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିଛନ୍ତି। ହିଞ୍ଜିଳିରୁ ନବୀନ ଲଗାତର ୪ ଥର ନିର୍ବାଚନ ଜିତି ଆସୁଛନ୍ତି। ପ୍ରଥମ ଥର ପାଇଁ ସେ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ।

Comment