ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବନ୍ଧୁ ବିଜୟଙ୍କ ପାଇଁ ପ୍ରଚାର ମଇଦାନକୁ ଆସିଲେ ଦିଲ୍ଲୀପ।

କଥା ରଖିଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ। ବନ୍ଧୁ ବିଜୟ ମହାପାତ୍ରଙ୍କୁ ନିର୍ବାଚନରେ ଜିତାଇବା ପାଇଁ ଅଣ୍ଟା ଭିଡ଼ିଲେ ଦିଲ୍ଲୀପ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀରେ ଆଜି ବିଜୟଙ୍କୁ ଭେଟିଛନ୍ତି ଦିଲ୍ଲୀପ। ବିଜୟଙ୍କୁ ଭେଟିବା ସହ ସମର୍ଥକମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ଦିଲ୍ଲୀପ।

ଗତ ୮ ତାରିଖରେ ଦିଲ୍ଲୀପ ରାଉରକେଲା ଗସ୍ତରେ ଯାଇଥିଲେ। ଏଠାରେ ସେ କେଉଁ ଦଳକୁ ସମର୍ଥନ କରିବେ ତାକୁ ନେଇ ଚର୍ଚ୍ଚ ଲାଗି ରହିଥିଲା। ଦିଲ୍ଲୀପ କହିଥିଲେ ଯେ ଯେଉଁ ଦଳ ରାଉରକେଲାର ସ୍ୱାର୍ଥ ରକ୍ଷା କରିବ ସେହି ଦଳକୁ ସେ ସମର୍ଥନ କରିବେ। ଏହାସହ ବନ୍ଧୁ ହିସାବରେ ବିଜୟଙ୍କ ପାଇଁ ଯାହା କରିବା କଥା କରିବେ ବୋଲି ଦିଲ୍ଲୀପ କହିଥିଲେ। ଆଜି ଦିଲ୍ଲୀପଙ୍କୁ ପାଟକୁରାରେ ଦେଖିବାକୁ ମିଳିବା ପରେ ଚର୍ଚ୍ଚା ହେଉଛି ଯେ ‘ବିଜୟ ଯେଉଁଠି, ଦିଲ୍ଲୀପ ସେଇଠି’।

ବିଜୟ-ଦିଲ୍ଲୀପ ହେଉଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଯୋଡ଼ି। ବିଜୁ ପଟ୍ଟନାୟକଙ୍କ ଅମଳରୁ ତାଙ୍କ ଯୋଡ଼ି ଚର୍ଚ୍ଚାରେ ରହି ଆସିଛି। ବିଜେଡି ଗଠନରେ ଏହି ଯୋଡ଼ିଙ୍କ ଭୂମିକା ଆଗରେ ରହିଥିଲା। ହେଲେ ଘଟଣାକ୍ରମରେ ଉଭୟ ବିଜେଡିରୁ ବିଦା ହୋଇଥିଲେ। ବିଜେଡିରୁ ବିଦା ହେବା ପରେ ବି ଯୋଡ଼ି ଭାଙ୍ଗି ନଥିଲା।

୨୦୦୯ରେ ସାଙ୍ଗ ହୋଇ ବିଜୟ ଏବଂ ଦିଲ୍ଲୀପ ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟ ବିଜେପିରେ ଏହି ଯୋଡ଼ିଙ୍କର ଭଲ ପ୍ରଭାବ ମଧ୍ୟ ରହିଥିଲା। କିନ୍ତୁ ୨୦୧୮ ଶେଷ ଭାଗରେ ବିଜେପି ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ ବିଜୟ-ଦିଲ୍ଲୀପ। ଦଳରେ ତାଙ୍କୁ ଅଲୋଡ଼ା କରାଯାଉଥିବା ଅଭିଯୋଗ ଆଣି ଗୋଟିଏ ତାରିଖରେ ସାଙ୍ଗ ହୋଇ ବିଜେପିରୁ ଇସ୍ତଫା ଦେଇଥିଲେ ବିଜୟ-ଦିଲ୍ଲୀପ।

ବିଜୟ ଏବଂ ଦିଲ୍ଲୀପଙ୍କ ରାଜନୀତିକ ଭାଗ୍ୟ କ’ଣ ହେବ ସେନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଇତିମଧ୍ୟରେ ବିଜୟ ବିଜେପିକୁ ଫେରି ଆସିଛନ୍ତି। ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ରାଉରକେଲାର ସ୍ୱାର୍ଥ ରକ୍ଷା କରିବାରେ କେନ୍ଦ୍ରର ବିଜେପି ସରକାର ବିଫଳ ହୋଇଥିବା ଅଭିଯୋଗ କରି ଦିଲ୍ଲୀପ ବିଜେପି ଆସି ନଥିଲେ। ବିଜୟ ଏବେ ବିଜେପିରେ ଥିବା ବେଳେ ଦିଲ୍ଲୀପ କୌଣସି ଦଳରେ ନାହାନ୍ତି। ହେଲେ ବନ୍ଧୁ ବିଜୟଙ୍କ ପାଇଁ ଦିଲ୍ଲୀପ ନିର୍ବାଚନ ମଇଦାନରେ ଆଗକୁ ଆସିଛନ୍ତି।

‘‘ ବିଜୟ ବାବୁ ହେଉଛନ୍ତି ମୋର ବନ୍ଧୁ। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲି। ଜଣେ ବନ୍ଧୁ ହିସାବରେ ମୋର ଯାହା କରିବାର ଅଛି ତାହା ନିଶ୍ଚିତ କରିବି। ଆମ ଯୋଡ଼ି ଏବେ ଭଲ ଅଛି ଆଗକୁ ମଧ୍ୟ ରହିବ’’, କହିଛନ୍ତି ଦିଲ୍ଲୀପ ରାୟ।

ଦିଲ୍ଲୀପ ଆହୁରି କହିଛନ୍ତି, ‘‘ଦୁଇଟି କାରଣ ପାଇଁ ମୁଁ ବିଜେପି ଛାଡ଼ିଥିଲି। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ପ୍ରତିଶ୍ରୁତି ପୂରଣ ନହେବାରୁ ଦଳ ଛାଡ଼ିଥିଲି। ଏବେ ବ୍ରାହ୍ମଣୀ ନଦୀରେ ପୋଲ କାମ ଆରମ୍ଭ ହୋଇଛି ଏବଂ ଆଇଜିଏଚ ପାଇଁ ୧୦୦ କୋଟି ଟଙ୍କା ଆସିଛି। ଆମେ ୩୦୦ କୋଟି ଟଙ୍କା ଦାବି କରିଥିଲୁ। ଆଶା ରଖିଛୁ ଆଗକୁ ପୂର୍ଣ୍ଣ ଅନୁଦାନ ଆସିବ। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି।’’

ଦିଲ୍ଲୀପଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ସେ ଏଥର ବିଜେପିକୁ ସମର୍ଥନ କରୁଛନ୍ତି। କାରଣ ଦିଲ୍ଲୀପ କହିଥିଲେ, ଯିଏ ରାଉରକେଲାର ସ୍ୱାର୍ଥ ରକ୍ଷା ପାଇଁ କାମ କରିବ ଆମେ ତାକୁ ସମର୍ଥନ କରିବୁ। ସୁନ୍ଦରଗଡ଼ ଲୋକସଭା ଆସନରେ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଆଇଜିଏଚ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ଦେବା ସହ ବ୍ରାଡ୍ମଣୀରେ ପୋଲ କାମ ଆରମ୍ଭ କରିଛନ୍ତି।

ବିଜେପିରୁ ଇସ୍ତଫା ଦେବା ପରେ ଦିଲ୍ଲୀପ ନବୀନ ନିବାସ ଯାଇଥିଲେ। ୧୭ ବର୍ଷ ପରେ ଦିଲ୍ଲୀପ ନବୀନ ନିବାସ ଆସିଥିବାରୁ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଦିନ ପରେ ଦିନ ଗଡ଼ିଗଲା ପଛେ ଦିଲ୍ଲୀପ ବିଜେଡିକୁ ଆସିଲେ ନାହିଁ। ଏଣୁ ଦିଲ୍ଲୀପ ଆଗାମୀ ଦିନରେ କେଉଁ ଦଳରେ ଦିଶିବେ ତାହା ୨୫ ତାରିଖ ପରେ ହିଁ ସ୍ପଷ୍ଟ ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here