ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଭଦ୍ରକ ଲୋକସଭା ଅଧିନରେ ଆସୁଛି ବାସୁଦେବପୁର ନିର୍ବାଚନ ମଣ୍ଡଳୀ। ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ଲାଗି ଏଠାରେ ଭୋଟଗ୍ରହଣ ହେବ। ଏଥର ବାସୁଦେବପୁର ଆସନ ଲାଗି ପ୍ରାର୍ଥୀଙ୍କ ସମର୍ଥକଙ୍କଠୁ ଆରମ୍ଭ କରି ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତେ  ଦ୍ୱନ୍ଦ୍ୱରେ ଅଛନ୍ତି। ଏହାର କାରଣ ମୈଦାନରେ ୨ ନୂଆ ପ୍ରାର୍ଥୀ ଆଉ ଜଣେ ପୁରୁଖା କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ଅନେକ ଦିନ ହେବ ନଥିଲେ।

ବାସୁଦେବପୁର ଲାଗି ବିଜେଡିର ପ୍ରାର୍ଥୀ ହୋଇଛନ୍ତି ୫ଥରର ବିଧାୟକ ଥିବା ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ। ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ମାଧବାନନ୍ଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେପି। ଅନ୍ୟପଟେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଅଶୋକ କୁମାର ଦାସ। ଅଶୋକ ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ୱ ତୁଲାଉଥିଲେ।

କାହାକୁ ବାଛିବେ ଭୋଟର?

ବାସୁଦେବପୁର ନିର୍ବାଚନମଣ୍ଡଳୀରେ ଜୋର ଧରିଛି ପ୍ରଚାର। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଛନ୍ତି। ଚାଲିଛି ଡୋର ଟୁ ଡୋର କ୍ୟାମ୍ପେନ।

ବାସୁଦେବପୁର ଭୋଟରଙ୍କ କହିବା କଥା ସେହି ନେତାଙ୍କୁ ସେମାନେ ଭୋଟ ଦେବେ ଯେ ସବୁବେଳେ ତାଙ୍କ ସହ ରହିବ ଓ ସୁଖ ଦୁଃଖରେ ସାମିଲ ହେବେ। ଲୋକଙ୍କର ଏହି ମୁଡ୍ କହୁଛି ବାସୁଦେବପୁରେ ଲୋକେ ସଚେତନ ଅଛନ୍ତି ନିଜ ଭୋଟକୁ ନେଇ।

ଲୋକଙ୍କ ମୁଡକୁ ଦେଖି ପ୍ରଚାର ସମୟରେ ନେତା ମାନେ ପ୍ରତିଶ୍ରୁତି ବି ଦେଉଛନ୍ତି। ପ୍ରତିଦିନ ଚାଲିଛି ପ୍ରଚାର।

ବିଜେଡି ପ୍ରାର୍ଥୀ ଏଥର ନବୀନ ପଟ୍ଟନାୟକଙ୍କ ସଫଳତାକୁ ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ ବିଜେପି ପ୍ରାର୍ଥୀ ମୋଦିଙ୍କ ଲୋକପ୍ରିୟତା ଓ କେନ୍ଦ୍ରୀୟ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। ସେପଟେ କଂଗ୍ରେସ ଚାଷୀ ସମସ୍ୟାଠୁ ଆରମ୍ଭ କେନ୍ଦ୍ର ସରକାରଙ୍କ କିଛି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି।

ତେବେ ଦେଖିବାକୁ ବାକି ରହିଲା ବାସୁଦେବପୁରବାସୀ ଏଥର କାହାକୁ ଅଧିକ ଭୋଟ ଦେଉଛନ୍ତି। କାହା ହାତରେ ଆଗାମୀ ୫ବର୍ଷ ଲାଗି ନିଜ ନିର୍ବାଚନମଣ୍ଡଳୀର ଶାସନ ଭାର ଦେଉଛନ୍ତି। ସବୁ ପ୍ରାର୍ଥୀ ନିର୍ବାଚନ ବୈତରଣୀ ପାର ହେବାନେଇ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଦେଖିବାକୁ ବାକି ରହିଲା ଲୋକଙ୍କ ପସନ୍ଦ କିଏ ହୋଇପାରୁଛି?

(ପ୍ରସ୍ତୁତି – ମାନସୀ ମହାପାତ୍ର)

Comment