ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ରାଜ ରାସ୍ତାରେ ଗଡ଼ିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାଇଟେକ୍ ବସ୍। ବସରେ ବସି ନବୀନ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର। ଛକ ଛକରେ ଅଟକୁଥିଲା ବସ୍, ଆଉ ନବୀନ ‘ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି’ କହି କର୍ମୀଙ୍କୁ କରୁଥିଲେ ଉତ୍ସାହିତ। ଏହାସହ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନବୀନ କରୁଥିଲେ ଅପିଲ୍।

ଗୁରୁବାର ଅପରାହ୍ଣରେ ହାଇଟେକ ବସ୍ ଗଡ଼ିଥିଲା ପ୍ରଥମେ ଭୁବନେଶ୍ୱର ଲୋକସଭା ଆସନର ବେଗୁନିଆରେ। ବେଗୁନିଆରୁ ନବୀନ ଆସିଥିଲେ ଖୋର୍ଦ୍ଧା ଏବଂ ଜଟଣୀ। ଏଠାରେ ବି ବିଜେଡି ସୁପ୍ରିମୋ ପ୍ରଚାର କରିଥିଲେ। ଏହାପରେ ନବୀନ ଭୁବନେଶ୍ୱରର ତିନୋଟି ନିର୍ବାଚନମଣ୍ଡଳୀରେ ହାଇଟେକ ବସରେ କରିଥିଲେ ପ୍ରଚାର।

ନବୀନଙ୍କ ପ୍ରଚାରରେ ସାମିଲ ହୋଇଥିଲେ ବିଜେଡିର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ। ନବୀନଙ୍କ ବସ୍ ରାଜଧାନୀର ରାଜରାସ୍ତାରେ ଗଡ଼ୁଥିବା ବେଳେ ରାସ୍ତା କଡ଼ରେ ଅପେକ୍ଷା କରି ରହିଥିଲେ ଦଳୀୟ କର୍ମୀ। ବିଜେଡି ପତାକାରେ ଛାଇ ଯାଇଥିଲା ଭୁବନେଶ୍ୱରର ତିନୋଟି ନିର୍ବାଚନମଣ୍ଡଳୀ।

ନବୀନ ପଟ୍ଟନାୟକ ଜିନ୍ଦାବାଦ ଏବଂ ଶଙ୍ଖଧ୍ୱନିରେ କମ୍ପୁଥିଲା ସାରା ସହର। ବିଶେଷକରି ମହିଳା କର୍ମୀମାନେ ହୁଳହୁଳି ଦେଇ ନବୀନଙ୍କକୁ କରିଥିଲେ ସ୍ୱାଗତ।

ଭୁବନେଶ୍ୱର ଲୋକସଭା ଆସନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅରୂପ ପଟ୍ଟନାୟକ। ଏକାମ୍ର-ଭୁବନେଶ୍ୱରରେ ଅଶୋକ ଚନ୍ଦ୍ର ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ ଭୁବନେଶ୍ୱର-ମଧ୍ୟରେ ପ୍ରାର୍ଥୀ ହୋଇଛନ୍ତି ଅନନ୍ତ ନାରାୟଣ ଜେନା। ଭୁବନେଶ୍ୱର-ଉତ୍ତରରେ ପ୍ରାର୍ଥୀ ହୋଇଛନ୍ତି ସୁଶାନ୍ତ କୁମାର ରାଉତ। ଏମାନଙ୍କ ପାଇଁ ଆଜି ନବୀନ ହାଇଟେକ ବସରେ କରିଥିଲେ ପ୍ରଚାର।

Comment