ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଉ ଦୁଇ ଦିନ ପରେ ଉପକୂଳ ଓଡ଼ିଶାରେ ଭୋଟ। ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ। ଏସବୁ ଭିତରେ ଭୋଟର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି। ଏହି ତିନୋଟି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ଏହି ତିନି ବିଧାନସଭା ଆସନରେ ପ୍ରାର୍ଥୀ ଅଦଳ ବଦଳ କରିଛି ବିଜେଡି। ୨୦୧୪ରେ ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେଡି ଟିକେଟରେ ଜିତିଥିବା ରାଜେନ୍ଦ୍ର ସାହୁଙ୍କୁ ଦଳ ବେଗୁନିଆ ପଠାଇଥିବା ବେଳେ ଖୋର୍ଦ୍ଧାରେ ଜ୍ୟୋତିରିନ୍ଦ୍ରନାଥ ମିତ୍ର (ଜିତୁ)ଙ୍କୁ ପ୍ରାର୍ଥୀ କରିଛି। ଜିତୁ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

ସେହିପରି ବେଗୁନିଆର ବିଧାୟକ ଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକା ପଠାଇଛି ଦଳ। ପ୍ରଶାନ୍ତ ଚିଲିକା ବିଧାନସଭା ଆସନରେ ନିଜ ଭାଗ୍ୟ ପରୀକ୍ଷା କରିବେ। ଏହି ତିନୋଟି ଆସନରେ ପ୍ରାର୍ଥୀ ଅଦଳ ବଦଳ ହୋଇଥିବାରୁ ମାହୋଲ ପୂରା ସରଗରମ ହୋଇଛି।

ଖୋର୍ଦ୍ଧାରେ କଡ଼ା ଟକ୍କର

ରାଜନୀତିକ ଦୃଷ୍ଟିକୋଣରୁ ଖୋର୍ଦ୍ଧା ବିଧାନସଭା ଆସନ ଅନେକ ଗୁରୁତ୍ୱ ବହନ କରିଥାଏ। ନିର୍ବାଚନ ଆସିଲେ ଏହି ଆସନରେ କଡ଼ା ଟକ୍କର ହୋଇଥାଏ। ଏଥର ବି ଏହି ଆସନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ବିଜେଡି ପ୍ରାର୍ଥୀ ଜିତୁ ମିତ୍ରଙ୍କୁ ସିଧାସଳଖ ଟକ୍କର ଦେଉଛନ୍ତି ବିଜେପିର କାଳୁ ଖଣ୍ଡାୟତରାୟ। କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଏଠାରେ ମୁଖ୍ୟତଃ ବିଜେପି ଏବଂ ବିଜେଡି ଭିତରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

ସବୁଠୁ ବଡ଼ ପ୍ରଶ୍ନ ହେଉଛି ଖୋର୍ଦ୍ଧାକୁ ଏଥର ଅକ୍ତିଆର କରିବ କିଏ? ଯଦି ଆମେ ଖୋର୍ଦ୍ଧା ବିଧାନସଭା ଆସନର ଇତିହାସ ପୃଷ୍ଠା ଓଲଟାଇବା ତାହାଲେ ଦେଖିବାକୁ ମିଳିବ ଯେ ବିଜେପି ଏଠାରେ ଆଜିଯାଏଁ ଖାତା ଖୋଲିବାରେ ସମର୍ଥ ହୋଇନି। ୨୦୦୦ ଏବଂ ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଏଠାରେ ଦେଉଥିଲା। କିନ୍ତୁ ମେଣ୍ଟ ଭାଙ୍ଗିବା ପରେ ବିଜେପି ଓ ବିଜେଡି ଅଲଗା ଅଲଗା ପ୍ରାର୍ଥୀ ଦେଉଥିଲେ ମଧ୍ୟ ବିଜେପି ଜିତିବା ସହଜ ହୋଇନି।

୨୦୦୦ରେ ଜିତୁ ମିତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ ଏବଂ ପରେ ସେ ବିଜେଡିକୁ ସମର୍ଥନ କରିଥିଲେ। ୨୦୦୪ରେ ଜିତୁ ବିଜେଡି ଟିକେଟରେ ଜିତିଥିଲେ। ୨୦୦୯ରେ କିନ୍ତୁ ଗଣିତ ବଦଳିଥିଲା।

ବିଜେଡି ସିପିଏମ୍ ସହ ମେଣ୍ଟ କରି ପ୍ରାର୍ଥୀ ଦେଇଥିଲା ଖୋର୍ଦ୍ଧାରେ। ଫଳରେ ଜିତୁ ଏବଂ ରାଜେନ୍ଦ୍ର ସାହୁ ସ୍ୱାଧୀନ ଭାବେ ଲଢ଼େଇ କରିଥିଲେ। ଆଉ ରାଜେନ୍ଦ୍ର ହିଁ ବାଜି ମାରିଥିଲେ।

୨୦୧୪ ନିର୍ବାଚନ ପୂର୍ବରୁ ଜିତୁ ବିଜେଡି ଛାଡ଼ି ବିଜେପି ଯାଇଥିଲେ। ବିଜେପି ଟିକେଟରେ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ରାଜେନ୍ଦ୍ର ସାହୁ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ।

ଖୋର୍ଦ୍ଧାରେ ରାଜେନ୍ଦ୍ରଙ୍କ ସ୍ଥିତି ଭଲ ନଥିବାରୁ ଏଠାରେ ପ୍ରାର୍ଥୀ ବଦଳାଇଛି ବିଜେଡି। ବିଜେପିରୁ ଜିତୁଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଛି। ଏଣୁ ସମସ୍ତଙ୍କ ନଜର ଏବେ ଜିତୁଙ୍କ ଉପରେ ରହିଛି।

ବେଗୁନିଆରେ କିଏ ମାରିବ ବାଜି?

ସବୁଠୁ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆରେ ଏଥର କିଏ ବାଜି ମାରିବ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି। ୨୦୧୪ ନିର୍ବାଚନରେ ଏଠାରେ ଜିତିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ଜାଗାରେ ଦଳ ରାଜେନ୍ଦ୍ରଙ୍କୁ ଖୋର୍ଦ୍ଧାରୁ ଆଣି ଏଠାରେ ଥଇଥାନ କରିଛି। ହେଲେ ରାଜେନ୍ଦ୍ର ବେଗୁନିଆରେ ନୂଆ ହୋଇଥିବାରୁ ତାଙ୍କ ପାଇଁ ନିର୍ବାଚନ ଜିତିବା ଏତେଟା ସହଜ ହେବ ନାହିଁ ବୋଲି କୁହାଯାଉଛି।

ରାଜେନ୍ଦ୍ରଙ୍କୁ ଏଥର ଟକ୍କର ଦେଉଛନ୍ତି ବିଜେପିର ରିଷଭ ନନ୍ଦ ଏବଂ କଂଗ୍ରେସର ପ୍ରଦୀପ ସାହୁ। ରିଷଭ ବେଗୁନିଆର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ। ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ବେଗୁନିଆରେ କର୍ମୀ ଅସନ୍ତୁଷ୍ଟ ଥିବାରୁ ରିଷଭ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳୁ ନଥିବା ଜାଣିପାରି ରିଷଭ ପଦ୍ମ ଧରିଥିଲେ। ନରେନ୍ଦ୍ର ମୋଦିଙ୍କ ହାଓ୍ୱାକୁ ଆଧାର କରି ରିଷଭ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଆଶା ରଖିଛନ୍ତି।

ସେହିପରି କଂଗ୍ରେସର ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ ବି କିଛି କମ୍ ନୁହନ୍ତି। ୨୦୦୯ରେ ପ୍ରଦୀପ ଏଠାରୁ ପ୍ରାର୍ଥୀ ହୋଇଥିଲେ। ହେଲେ ପରାଜିତ ହୋଇଥିଲେ। ୨୦୧୪ରେ ପ୍ରଦୀପଙ୍କୁ କଂଗ୍ରେସ ଟିକେଟ ନମିଳିବାରୁ ସେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ଏଥର ପୁଣି ପ୍ରଦୀପଙ୍କ ଉପରେ ଭରସା କରିଛି କଂଗ୍ରେସ। ତେବେ ଏହି ତିନି ଜଣଙ୍କ ଭିତରୁ କିଏ ବାଜି ମାରିବ ତାହା ଦେଖିବାର କଥା।

ଚିଲିକାରେ ନୂଆ ମୁହଁ

ଚିଲିକା ନିର୍ବାଚନମଣ୍ଡଳୀରେ ଏଥର ତିନି ଦଳ ନୂଆ ମୁହଁକୁ ଅଗ୍ରାଧିକାର ଦେଇଛନ୍ତି। ବେଗୁନିଆରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଣଇ ଏଠାରେ ଥଇଥାନ କରାଯାଇଥିବା ବେଳେ ବିଜେପି ବି ପ୍ରାର୍ଥୀ ବଦଳାଇଛି। ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟିକେଟ ଦେଇଛି ବିଜେପି। ସେହିପରି କଂଗ୍ରେସ ପ୍ରଦୀପ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି।

ହେଲେ ଚିଲିକାରେ ପ୍ରଶାନ୍ତ ଏବଂ ପୃଥ୍ୱୀରାଜଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଦେଖାଦେଇଛି। ଚିଲିକା ଆସନ ହେଉଛି ପୃଥ୍ୱୀରାଜଙ୍କ ପାରମ୍ପରିକ ଆସନ। କାରଣ ଏହି ଆସନରୁ ତାଙ୍କ ବାପା ତଥା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଦୁଇ ଥର ନିର୍ବାଚନ ଜିତିଥିବା ବେଳେ ତାଙ୍କ ଦାଦା ବିଭୂତି ଭୂଷଣ ହରିଚନ୍ଦନ ତିନି ଥର ନିର୍ବାଚନ ଜିତିଛନ୍ତି। ଏଣୁ ପୃଥ୍ୱୀରାଜ ଏହି ଆସନରୁ ସହଜରେ ଜିତିବା ପାଇଁ ଆଶା ରଖିଛନ୍ତି।

ପ୍ରଶାନ୍ତ ଜଗଦ୍ଦେବ ଚିଲିକାରେ ନୂଆ ମୁହଁ ହୋଇଥିବାରୁ ତାଙ୍କ ପାଇଁ ଜିତିବା ଏତେଟା ସହଜ ହୋଇ ନପାରେ ବୋଲି ଚର୍ଚ୍ଚା ହେଉଛି।

ଏହି ତିନୋଟି ଆସନରେ ପ୍ରାର୍ଥୀଙ୍କୁ ଜିତାଇବା ବିଜେଡି ପାଇଁ ଚାଲେଞ୍ଜ ହୋଇଯାଇଛି। ନବୀନ ଏହି ନିର୍ବାଚନମଣ୍ଡଳୀଗୁଡ଼ିକରେ ପ୍ରଚାର କରିଥିବାରୁ ବିଜେଡିର ପଲ୍ଲା ଭାରି ରହିଥିବା କୁହାଯାଉଛି।

Comment