ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲୋକସଭା ନିର୍ବାଚନ ଯେତିକି ଆଗକୁ ବଢ଼ିଛି ରାଜନୀତି ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି। ନେତାଙ୍କ ଭିତରେ ବୟାନବାଜି ଓ ଆରୋପ-ପ୍ରତ୍ୟାରୋପ ପ୍ରତିଦିନ ଦେଖିବାକୁ ମିଳୁଛି।।

ଏହାରି ଭିତରେ ଛତିଶଗଡ଼ କଂଗ୍ରେସ ବିଧାୟକଙ୍କ ଏକ ବିବାଦୀୟ ବୟାନକୁ ନେଇ ଅନେକ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଉଚିତ୍ ବୋଲି କହିଛନ୍ତି ଧରମଜୟଗଡ଼ର କଂଗ୍ରେସ ବିଧାୟକ ଲାଲଜିତ ରାଠିଆ। ଏହାକୁ ନେଇ କଂଗ୍ରେସ ଓ ବିଜେପି ଭିତରେ ବୟାନବାଜି ଆରମ୍ଭ ହୋଇଛି।

ଏକ ଜନସଭାକୁ ସମ୍ବୋଧିତ କରୁଥିବାବେଳେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ବିମୁଦ୍ରୀକରଣ ଏବଂ କଳାଧନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ସରକାର ଗଢ଼ିବାର ଶହେ ଦିନ ଭିତରେ ଦେଶକୁ କଳାଧନ ଫେରାଇ ଆଣିବୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯଦି ଅସଫଳ ହୁଏ ତାହାଲେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା କହିଛନ୍ତି କଂଗ୍ରେସ ବିଧାୟକ।

ଏବେ ପାଞ୍ଚ ବର୍ଷ ବିତିଯାଇଥିଲେ ବି ମୋଦି ସରକାର କଳାଧନ ଫେରାଇ ଆଣିବାରେ ସଫଳ ହୋଇପାରି ନାହାନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଜନତାଙ୍କୁ ଠକି ଚାଲିଛନ୍ତି ବୋଲି ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

କଂଗ୍ରେସ ବିଧାୟକଙ୍କ ଏହି ବୟାନକୁ ନେଇ ବିବାଦ ଉଠିଛି। ବିଜେପି ମଧ୍ୟ କାଉଣ୍ଟର କରି ଏହାର କଡ଼ା ଜବାବ ରଖିଛି। କଂଗ୍ରେସର ଏହି ଅହଂକାର ଆଉ ବେଶିଦିନ ରହିବନି ବୋଲି ରାଜ୍ୟ ବିଜେପି ନେତା ଟୁଇଟ କରି କହିଛନ୍ତି।

Comment