ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପ୍ରଚାରକୁ ଜମାଣିଆ କରୁଛି ନେତାଙ୍କ ଦାମୀ ଗାଡ଼ି।

ଉଠୁଛି ପଡୁଛି ପ୍ରଚାର ମଇଦାନ। ପ୍ରାର୍ଥୀଙ୍କ ଭାଷଣ ଏବଂ ଭଳିକି ଭଳି ନିର୍ବାଚନୀ ସଙ୍ଗୀତରେ କମ୍ପୁଛି ଗାଁ ଦାଣ୍ଡ। ଛକ ଛକରେ ଜମୁଛି ରାଜନୀତି ଖଟି। କିଏ ଜିତିବ ଆଉ କିଏ ହାରିବ ତାକୁ ନେଇ ଚାଲୁଛି ଚର୍ଚ୍ଚା। ରାଜନୀତି ଖଟି ଏବଂ ପ୍ରଚାର ଭିତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନେତା ବ୍ୟବହାର କରୁଛନ୍ତି ଦାମୀ ଗାଡ଼ି। ନାମୀ ନେତାଙ୍କ ଦାମୀ ଗାଡ଼ି ଏବେ ଭୋଟରଙ୍କୁ ଆକର୍ଷିତ କରୁଛି।

ନାମୀ ନେତାଙ୍କ ଦାମୀ ଗାଡ଼ି ସମ୍ପର୍କରେ ଆଲୋଚନା କରିବା ଭିତରେ ନଜରକୁ ଆସୁଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାଇଟେକ ବସ୍। ନବୀନଙ୍କ ହାଇଟେକ ବସ୍ ହିଁ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ୧୯ ବର୍ଷର ଶାସନ ଭିତରେ ନବୀନ ପ୍ରଥମ ଥର ପାଇଁ ବସରେ ଯାଇ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଛନ୍ତି।

naveenଏହି ବସଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ। ଏହି ସ୍ୱତନ୍ତ୍ର ବସଟିରେ କନଫରେନ୍ସ ହଲ, ଡାଇନିଙ୍ଗ ହଲ୍ ରହିଛି। ବିଶ୍ରାମ କରିବା ପାଇଁ ଏହି ବସରେ ସ୍ୱତନ୍ତ୍ର ବେଡର ବ୍ୟବସ୍ଥା କରାଯାଇଛି। ବସଟିରେ ଭି-ସେଟ୍ ଓ ଟେଲିଭିଜନର ମଧ୍ୟ ବ୍ୟବସ୍ଥା ରହିଛି। ଡ୍ରାଇଭରଙ୍କ ପଛ ପଟ କ୍ୟାବିନରେ ଏହିସବୁ ବ୍ୟବସ୍ଥା କରାଯାଇଛି।

ଏହି ବସରେ ହାଇଡ୍ରୋଲିକ ସିଷ୍ଟମ କରାଯାଇଛି। ଏଥିରେ ନବୀନ ସିଧା ବସର ଛାତ ଉପରକୁ ଉଠି ଜନସାଧାରଣଙ୍କୁ ଉଦବୋଧନ ଦେଉଛନ୍ତି।

ଏହି ବସରେ ନବୀନ ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, କଟକ, ଭୁବନେଶ୍ୱରରେ ମାରାଥନ ପ୍ରଚାର କରିଛନ୍ତି। ଆଗକୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସୁଥିବାରୁ ନବୀନ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ନିର୍ବାଚନମଣ୍ଡଳୀରେ ହାଇଟେକ ବସରେ ପ୍ରଚାର କରିପାରନ୍ତି। ନବୀନଙ୍କ ଏହି ହାଇଟେକ ବସ୍ ପ୍ରଚାର ମଇଦାନରେ ଭିଡ଼ ଜମାଉଛି।

ଆଉ ଜଣେ ନାମୀ ନେତା ହେଉଛନ୍ତି ବୈଜୟନ୍ତ ପଣ୍ଡା। ବୈଜୟନ୍ତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଗାଁ ଗାଁ ବୁଲି ବୈଜୟନ୍ତ ରୋଡ ସୋ’ ଓ ନିର୍ବାଚନୀ ସଭା କରୁଛନ୍ତି। ଏହି ରୋଡ ସୋ’ରେ ବୈଜୟନ୍ତ ବ୍ୟବହାର କରୁଥିବା ଗାଡ଼ି ଭୋଟରଙ୍କୁ ଆକର୍ଷିତ କରୁଛି। ଲାଲ ରଙ୍ଗର ମହିନ୍ଦ୍ରା ଏସୟୁଭି ଗାଡ଼ି ଧରି ବୈଜୟନ୍ତ ପ୍ରଚାରକୁ ସରଗରମ କରିଛନ୍ତି।

ଗାଡିଟି ଆଗ ପଟରୁ ପୂର୍ଣ୍ଣ ବନ୍ଦ ଥିବାବେଳେ ପଛପଟୁ ଖୋଲା ରହିଛି। ଏହାର ବନ୍ଦ ଥିବା ସ୍ଥାନଟି ୪ସିଟ ବିଶିଷ୍ଟ। ଖୋଲା ସ୍ଥାନରେ ୫ଜଣ ସୁବିଧାରେ ଠିଆହେବାର ବ୍ୟବସ୍ଥା ରହିଛି। ଏହି ଗାଡ଼ିଟିକୁ ଅତ୍ୟାଧୁନିକ ଏଲଇଡିରେ ସୁସଜ୍ଜିତ କରାଯାଇଛି। ଯେଉଁଥିରେ ରାତି ସମୟରେ ମଧ୍ୟ ସୁରୁଖୁରୁରେ ପ୍ରଚାର କରାଯାଇ ପାରିବ।

ସେହିପରି ଅନୁଭବ କେନ୍ଦ୍ରାପଡା ନିର୍ବାଚନ ମଇଦାନରେ ନିଜ ଅତ୍ୟାଧୁନିକ ଜିପ ବ୍ୟବହାର କରୁଛନ୍ତି। ଜିପଟି ସମ୍ପୂର୍ଣ୍ଣ ଭାବେ ଖୋଲା। ଏଥିରେ ଏକା ସାଙ୍ଗରେ ୫ଜଣ ଲୋକ ସୁବିଧାରେ ଠିଆ ହୋଇପାରିବାର ବ୍ୟବସ୍ଥା ଅଛି। ଏହି ଜିପରେ ଡିସ ବ୍ରେକର ବ୍ୟବସ୍ଥା ମଧ୍ୟ ଅଛି। ଜିପଟି ବିଜେଡି ପୋଷ୍ଟର ଓ ବ୍ୟାନରରେ ସୁସଜ୍ଜିତ।

ଆଉ ଜଣେ ନାମୀ ନେତ୍ରୀ ହେଉଛନ୍ତି ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଲୋକସଭା ଆସନରୁ ସେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ରାଜଧାନୀ ପ୍ରଚାର ମଇଦାନରେ ଅପରାଜିତା ଅତ୍ୟାଧୁନିକ ଖୋଲା ଜିପରେ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି। ଜିପଟି ସମ୍ପୂର୍ଣ୍ଣ ଭାବରେ ଖୋଲା। ଜିପଟି ପଞ୍ଜାବରୁ ଆସିଥିବା ଜଣାପଡ଼ିଛି।

Comment