ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏପ୍ରିଲ ୨୩ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ଦଳର ହେଭିୱେଟଙ୍କ ବ୍ୟତୀତ ଅଧିକାଂଶ ପ୍ରାକ୍ତନ ବାବୁଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ଜଣେ ନୁହେଁ ଦୁଇ ଜଣ ନୁହେଁ ୬ ଜଣ ପୂର୍ବ ଆଇଏଏସ/ଆଇପିଏସ /ଓଏଏସ ଅଫିସର ଏଥର ନିର୍ବାଚନ ଲଢ଼ୁଛନ୍ତି। ଏତେ ସଂଖ୍ୟକ ଅଫିସର ନିର୍ବାଚନ ମଇଦାନକୁ ଓହ୍ଲାଇବା ଓଡ଼ିଶାର ନିର୍ବାଚନ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ତୃତୀୟ ଚରଣ ଭୋଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର, କଟକ, ପୁରୀ, କେନ୍ଦୁଝର, ଓ ସମ୍ବଲପୁର ତଥା ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

ମଙ୍ଗଳବାର ଦିନ ହେବାକୁ ଥିବା ଭୋଟଦାନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। ମଜା କଥା ହେଉଛି ଏଠାରୁ ଜଣେ ପୂର୍ବତନ ବାବୁ ଓ ଜଣେ ପୂର୍ବ ବାବୁଆଣୀଙ୍କ ଭିତରେ ଲଢେ଼ଇ ହେଉଛି। ବିଜେଡି ପକ୍ଷରୁ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ଶାସନ ସଚିବ ଅପରାଜିତା ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଛନ୍ତି।

ସେହିଭଳି କଟକ ଲୋକସଭା ଆସନ ପାଇଁ ପୂର୍ବତନ ପୋଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର ବିଜେପି ପକ୍ଷରୁ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି। ସେ ୫ ଥର ସାଂସଦ ଥିବା ଭର୍ତ୍ତୃହରି ମହତାବଙ୍କୁ ଟକ୍କର ଦେବେ। କଟକ ଓ ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନକୁ ପ୍ରାର୍ଥୀ କରିଛି। ସେ ବିଜେପିର ନୀତିଶ ଗଙ୍ଗଦେବଙ୍କୁ ଟକ୍କର ଦେବେ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ଯାଜପୁରରୁ (ସଂରକ୍ଷିତ) ବିଜେଡି ଟିକେଟରେ ଲଢ଼ୁଛନ୍ତି ପୂର୍ବତନ ଓଡ଼ିଶା ଅର୍ଥ ସେବା ଅଫିସର ଶର୍ମିଷ୍ଠା ସେଠୀ। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ମାତ୍ର କେଇ ଦିନ ପୂର୍ବରୁ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ଶର୍ମିଷ୍ଠାଙ୍କୁ ଟକ୍କର ଦେବେ ବିଜେପିର ଅମୀୟ ମଲ୍ଲିକ ଓ କଂଗ୍ରେସର ମାନସ ଜେନା।

ଆଠମଲ୍ଲିକ ବିଧାନସଭା ଆସନ ପାଇଁ ମଧ୍ୟ ବିଜେଡି ଜଣେ ପୂର୍ବତନ ପ୍ରଶାସକଙ୍କୁ ପ୍ରାର୍ଥୀ କରିଛି। ଚାକିରି ଛାଡ଼ିଥିବା ଓଏଏସ ଅଫିସର ରମେଶ ଚନ୍ଦ୍ର ସାଏ ଏଠାରୁ ପ୍ରାର୍ଥୀ ହୋଇଛନ୍ତି। ବିଜେପିର ଭାଗିରଥି ପ୍ରଧାନଙ୍କ ସହ ମୁଖ୍ୟତଃ ତାଙ୍କ ଲଢ଼େଇ ହେବ।

Comment