ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

(ପ୍ରଣବ କୁମାର ନନ୍ଦୀ):  ଏପ୍ରିଲ ୨୩ରେ ମତଦାନ ହେବାକୁ ଥିବା କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସବୁ ପ୍ରାର୍ଥୀଙ୍କ ପ୍ରଚାର ଶେଷ ପର୍ଯ୍ୟାୟରେ ପହଂଚିଛି  । ନିର୍ବାଚନ ପାଇଁ ଆଉ କେବଳ ଦୁଇ ଦିନ ବାକି ଅଛି। ଅନ୍ୟପଟେ ଆଜି ପ୍ରଚାରର ଶେଷ ଦିନ ଥିବାରୁ ତିନି ପ୍ରମୁଖ ଦଳଙ୍କ ସହ ଓ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ଜୋରଦାର କରାଯାଇଛି ।

ଏଥର ବିଜେଡିରୁ ଚନ୍ଦ୍ରସାରଥୀ ବେହେରା ପୁଣି ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ବିଜେପିର ମଙ୍ଗ ଧରିଛନ୍ତି ବରିଷ୍ଠ ନେତା ଦିଲ୍ଲିପ ମଲ୍ଲିକ । କଂଗ୍ରେସ ଦଳ ପକ୍ଷରୁ ଯୁବନେତା ଅଭିଶେକ ମହାନନ୍ଦ ପ୍ରାର୍ଥୀ ହୋଇଛନ୍ତି । ଚଳିତ ନିର୍ବାଚନରେ କଟକ ସଦର ବିଧାନସଭା ଆସନରେ ଗଡ ରକ୍ଷା କରିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସେପଟେ ବିଜେପି ଓ କଂଗ୍ରେସ ଏହି ଆସନ ଦଖଲ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ସଦର ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ବିଗ୍ ଫାଇଟ୍ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

କଟକ ସଦର ବ୍ଲକର ୨୩ଟି ପଂଚାୟତ ଓ ନିଶ୍ଚିନ୍ତକୋଇଲି ବ୍ଲକର ୧୪ଟି ପଂଚାୟତ ଏହିପରି ମୋଟ ୩୭ଟି ଗ୍ରାମ ପଂଚାୟତ ଓ କଟକ ମହାନଗର ନିଗମର ୬ଟି ୱାର୍ଡକୁ ନେଇ କଟକ ସଦର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ।

ବିଜେଡି ପାଇଁ ଅର୍ନ୍ତଦ୍ୱନ୍ଦ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ପଂଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ତେବେ ଅନେକ ଅସନ୍ତୁଷ୍ଟଙ୍କୁ ମନାଇ ଏବଂ ବିରୋଧୀ ଦଳର ନେତା ଓ କର୍ମୀଙ୍କୁ ନିଜ ଶିବିରକୁ ଆଣି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ନିଜ ଗଡ ସୁରକ୍ଷିତ କରିବା ପାଇଁ ଗୋଟି ଚାଳନା କରୁଛନ୍ତି।

ଅପରପକ୍ଷରେ ବିଜେପି ପ୍ରାର୍ଥୀ ଦିଲ୍ଲିପ ମଲ୍ଲିକଙ୍କ ଏହି ନିର୍ବାଚନ ମଣ୍ଡଳୀରେ ନିଜସ୍ୱ ସଂଗଠନ ରହିଥିବା ବେଳେ ବିଜେପିର ପରିବର୍ତ୍ତନ ହାୱା କାମ କରିବ ବୋଲି ସେ ଆଶାବାଦୀ ଅଛନ୍ତି । କଂଗ୍ରେସ ଏଥର ଯୁବନେତା ଅଭିଶେକ ମହାନନ୍ଦଙ୍କୁ ସୁଯୋଗ ଦେଇଛି  । ଅଭିଶେକ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି ।

ବିଜେଡି କଟକ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଚନ୍ଦ୍ରସାରଥୀ ବେହେରାଙ୍କୁ ଲଗାତର ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରିଛି । ନିର୍ବାଚନ ମଣ୍ଡଳୀର ବିକାଶ ନିମନ୍ତେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଭୋଟରମାନଙ୍କୁ ଅବଗତ କରୁଛନ୍ତି । ସେହିପରି ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇ ନେବା ପାଇଁ ବିଜେପିକୁ ଭୋଟ ଦେବାକୁ ଶ୍ରୀ ମଲ୍ଲିକ ଭୋଟରମାନଙ୍କୁ ନିବେଦନ କରୁଛନ୍ତି । କଟକ ସଦର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତିର ପ୍ରତିଶ୍ରୁତି ଦେଇ କଂଗ୍ରେସ ପ୍ରାର୍ଥୀ ଅଭିଶେକ ମହାନନ୍ଦ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା ଚଳାଇଛନ୍ତି ।

ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ରୋଡ ଶୋ, କର୍ମୀ ସମ୍ମିଳନୀ, ପଦଯାତ୍ରା, ୱାର୍ଡ କମିଟି ବୈଠକ ଓ ମିଶ୍ରଣ ପର୍ବ ଆଦି କରି ସେ ପ୍ରଚାର ଚଳାଇଛନ୍ତି । ଅପରପକ୍ଷରେ ବିଜେପି ପ୍ରାର୍ଥୀ ଶ୍ରୀ ମଲ୍ଲିକ ଡୋର ଟୁ ଡୋର କ୍ୟାମ୍ପେନିଂ, କର୍ମୀ ସମ୍ମିଳନୀ, ମହିଳା ସମାବେଶ, ପଦଯାତ୍ରା, ମିଶ୍ରଣ ପର୍ବ କରି ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଶ୍ରୀ ମହାନନ୍ଦ ଘରକୁ ଘର ବୁଲି ଭୋଟରଙ୍କୁ ଭେଟିବା, ପଦଯାତ୍ରା ଓ ୱାର୍ଡ କମିଟି ବୈଠକ କରି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି ।

ତେବେ କିଏ ଲୋକଙ୍କ ଆସ୍ଥାଭାଜନ ହେବ ଆଉ ଲୋକେ କାହା ସପକ୍ଷରେ ଭୋଟ ଦେବେ ତାହା ମେ ୨୩ରେ ସ୍ପଷ୍ଟ ହେବ।

Comment