ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଦୀପ ମହାରଥୀ ଗିରଫ ଘଟଣାରେ ଓଡ଼ିଶାରେ ନିର୍ବାଚନ ରାଜନୀତି ଆହୁରି ତଳକୁ ଖସିଯାଇଛି ବୋଲି ବୁଝିବାକୁ ପଡ଼ିବ। ଗଣତନ୍ତ୍ର ପ୍ରତି ମହାରଥୀ ଘଟଣା କେବଳ ଲଜ୍ଜାଜନକ ନୁହେଁ, ଭୟଙ୍କର  ବିପଦ ମଧ୍ୟ। ସମଗ୍ର ଦେଶରେ ଏହା ପ୍ରଥମ ଘଟଣା। ଜଣେ ବରିଷ୍ଠ ନେତା ଏବଂ ନିଜେ ପ୍ରାର୍ଥୀ ଥାଇ ନିଜ ଉପସ୍ଥିତିରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ ଏକ ସାଂଘାତିକ ଅପରାଧ ଘଟଣା।

୨୦୧୯ ନିର୍ବାଚନରେ ଓଡ଼ିଶାରେ ଶାସକ ଦଳ  ସମେତ ଅନ୍ୟ ରାଜନୈତିକ ଦଳ ଯେଉଁ ସ୍ତରକୁ ଖସି ଆସିଛନ୍ତି ତାହା ଅତ୍ୟନ୍ତ ଚିନ୍ତାର ବିଷୟ। ଏହି ନିର୍ବାଚନରେ ଦୁଇଟି କଥା ଖୋଲାଖୋଲି ସାମ୍ନାକୁ ଆସିଛି – ମଦ ଓ ଅର୍ଥ। ଦଳ ନିର୍ବିଶେଷରେ ଏଥରର ନିର୍ବାଚନରେ ପ୍ରଚୁର ଟଙ୍କା ବଜାରକୁ ଛଡ଼ାଯାଇଛି ଓ ଭୋଟ ହାତେଇବା ପାଇଁ ରାଜନେତାମାନେ କୌଣସି ଉଦ୍ୟମକୁ ହାତଛଡ଼ା କରୁନାହାନ୍ତି।

ଗରିବ ରାଜ୍ୟ?

ଓଡ଼ିଶାକୁ ସମସ୍ତେ କହନ୍ତି ଗରିବ ରାଜ୍ୟ। ସମଗ୍ର ଦେଶରେ ଆମେ ଦ୍ୱିତୀୟ ଗରିବତମ ରାଜ୍ୟ। କିନ୍ତୁ ୨୦୧୯ ନିର୍ବାଚନ ଉପରେ ଯଦି ଆଖି ପକାଯାଏ ଗରିବୀର ଚିହ୍ନ ବର୍ଣ୍ଣ ମିଳିବା କଷ୍ଟ। ବିଗତ ଏକ ମାସ ମଧ୍ୟରେ ନିର୍ବାଚନ ସ୍କ୍ୱାଡ ପକ୍ଷରୁ ଯେତିକି ଟଙ୍କା ଜବତ କରାଯାଇଛି ସେ କଥା ଛାଡନ୍ତୁ, ଦଳମାନେ ପରୋକ୍ଷରେ  ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ମୁଣ୍ଡ ଖରାପ କରିବା ଭଳି କଥା। ଟଙ୍କା ଜବତ ହେବା ଘଟଣାରେ ବଡ଼ ବଡ଼ ରାଜ୍ୟ ତୁଳନାରେ ଓଡିଶା କିଛି କମ ନୁହଁ। ଗୋଟିଏ ହିସାବ ଅନୁଯାୟୀ ନିର୍ବାଚନ କମିଶନ ପକ୍ଷରୁ ପ୍ରାୟ ୧୮ କୋଟି ଟଙ୍କା ଜବତ ହୋଇଛି। ତା’ଛଡ଼ା ଅନେକ ଲୋଭନୀୟ ପଦାର୍ଥ ମଧ୍ୟ। ଅର୍ଥ କାରବାର ଅଧିକ ମାତ୍ରାରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାରେ ହୋଇଥିବା ଖବର ଆସୁଛି।

ମଦ ବନ୍ୟା

ଏଥର ନିର୍ବାଚନରେ ଆଉ ଏକ କଥା ଖୁବ୍ ଦେଖିବାକୁ ମିଳିଛି ମଦର ବନ୍ୟା। ପୂର୍ବ ନିର୍ବାଚନରେ ମଦର ପ୍ରଭାବ ଯେ ନଥିଲା ତାହା ନୁହେଁ, ଏଥର କିନ୍ତୁ ତାହା ସମସ୍ତ ସୀମା ଟପିଯାଇଛି। ଅର୍ଥ ଓ ମଦ ଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବଡ଼ ବଡ଼ ଦଳ ରାତିଦିନ ଉଦ୍ୟମ କରୁଛନ୍ତି। ମଦ କେବଳ ନୁହେଁ, ଗଞ୍ଜେଇ, ନିଶା ଔଷଧଠୁ ଆରମ୍ଭ କରି କଫ ସିରପ ପର୍ଯ୍ୟନ୍ତ ଭୋଟରମାନଙ୍କୁ ଦିଆଯିବାର ଖବର ଆସୁଛି।

ହିଂସା ବି ପ୍ରବଳ

ନିର୍ବାଚନୀ ହିଂସା ବି ଏହି ନିର୍ବାଚନରେ ସବୁ ରେକର୍ଡ ଭାଙ୍ଗିଦେଇଛି। ଖୋର୍ଦ୍ଧାରେ ବିଜେପି କର୍ମୀଙ୍କୁ ହତ୍ୟାଠାରୁ ଆରମ୍ଭ କରି ପିପିଲିରେ ନିର୍ବାଚନ ସ୍କ୍ୱାଡ ଉପରେ ମରଣାନ୍ତକ ଆକ୍ରମଣ ଗୋଟିଏ କଥା ସୂଚଉଛି ଯେ ଓଡ଼ିଶା ଆଉ ଶାନ୍ତିପୂର୍ଣ୍ଣ ରାଜ୍ୟ ହୋଇ ରହିନାହିଁ। ବାହୁବଳୀ ଓ ପ୍ରଭାବଶାଳୀ ଲୋକଙ୍କ ରାଜ୍ୟ ହୋଇ ଯାଇଛି ଓଡ଼ିଶା। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

Comment