ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଣନ୍ତୁ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଅଫିସର କହୁଛନ୍ତି!

ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍‌ରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଆକ୍ରମଣ ଘଟଣା ଗୁରୁତର ମୋଡ ନେଇଛି। ‘‘ମୁଁ ବୋଧେ କାଲି ମରିଯାଇଥାନ୍ତି’’ – ଏଭଳି ମନ୍ତବ୍ୟ ଦେଇଛନ୍ତି ଏହି ଘଟଣାରେ ଆକ୍ରମଣ ଶିକାର ହୋଇଥିବା ନିର୍ବାଚନ କମିଶନଙ୍କ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍ ରବିନାରାୟଣ ପାତ୍ର।

ସୋମବାର ଅପରାହ୍‌ଣରେ ରବିନାରାୟଣ ପାତ୍ରଙ୍କୁ ଭୁବନେଶ୍ୱରସ୍ଥିତ ତାଙ୍କ ଘରେ ଭେଟିଥିଲା ଓଡ଼ିଶାଲାଇଭ୍‌ କ୍ୟାମେରା ଟିମ୍‌। ଖଟରୁ ଉଠି ପାରୁନଥିଲେ ସେ। ସେହିଭଳି ଅବସ୍ଥାରେ ସେ ଖଟରେ ଶୋଇ ରବିବାର ରାତିର ଘଟଣା ଆମୂଳଚୁଳ ବର୍ଣ୍ଣନା କରିଥିଲେ। ସେ ଯାହା କହିଛନ୍ତି ତାହା ଅବିକଳ ଏଠାରେ ଉପସ୍ଥାପନ କରାଗଲା। ଏହି ରିପୋର୍ଟ ସହ ସଂଯୁକ୍ତ ଭିଡିଓ ମାଧ୍ୟମରେ ମଧ୍ୟ ଏହା ଉପସ୍ଥାପନ କରାଯାଇଛି।

‘‘ଫ୍ଲାଇଙ୍ଗ୍ ସ୍କ୍ୱାର୍ଡରେ ମୋର ଡ୍ୟୁଟି ଥିଲା। ମତେ ପିପିଲି ଆଇଆଇସି କହିଲେ ଆପଣ ଫାର୍ମ ପାଖାପାଖି ବୁଲିବେ। ମଦଫଦ ଚେକ୍ କରିବେ। ମୋ ସହିତ ଆଉ ଗୋଟିଏ ଟିମ୍‌ ମଧ୍ୟ ଯାଇଥିଲା। ସବୁଦିନ ଆମେ ସେମିତି ବୁଲୁ। କୋଉଠି ଟଙ୍କା ଯାଉଛି, କୋଉଠି ମଦ ଯାଉଛି… କାଲି ଦିନଟା କିଛି ନୂଆ ନୁହେଁ। ରାତି ଦୁଇଟା ଯାଏ ଆମେ କାମ କରୁ’’, କହିଛନ୍ତି ଶ୍ରୀଯୁକ୍ତ ପାତ୍ର।

ରବିବାର ରାତି ପ୍ରାୟ ସାଢ଼େ ଏଗାରଟା ବେଳକୁ ଏହି ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଟିମ୍‌ ପିପିଲି ହୁଙ୍କେଇପୁରରେ ଥିବା ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ ପାଖାପାଖି ରାସ୍ତା ଉପରେ ଥିଲେ। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ପାତ୍ର ଅନ୍ୟ ଏକ ଟିମ୍‌କୁ ଫୋନ୍‌ କରି ଜାଣିବାକୁ ପାଇଥିଲେ ଯେ ସେମାନେ ଫାର୍ମ ହାଉସ୍‌ ଭିତରକୁ ଯାଇଛନ୍ତି। ନିର୍ବାଚନ କମିଶନଙ୍କ ଏହି ଏସଏସଟି ଟିମ୍‌ ଯାଞ୍ଚ୍ କରିବା ପାଇଁ ଫାର୍ମ ହାଉସ୍‌ ଭିତରକୁ ପଶିଥିଲା।

କିଛି ସମୟ ଭିତରେ ବିଧାୟକ ପ୍ରଦୀପ ମହାରଥୀଙ୍କ ଗାଡ଼ି ଫାର୍ମ ହାଉସ୍‌ ଭିତରକୁ ପଶିଲା। ବିଧାୟକଙ୍କ ଗାଡ଼ି ସହିତ ଆଉ ଦୁଇ ତିନିଟି ଗାଡ଼ି ମଧ୍ୟ ଫାର୍ମ ହାଉସ୍‌କୁ ଗଲା।

‘‘ଆମେ ହଠାତ୍‌ ଫାର୍ମ ହାଉସ୍‌ ଭିତରୁ ହୋ ହୋ ଶବ୍ଦ ଶୁଣିଲୁ। ଭିତରେ କାହିଁକି ପାଟି ହେଉଛି କିଛି ବୁଝିପାରିଲୁନି। ସେ ପାଟିତୁଣ୍ଡ କରୁଥିଲେ ଏବଂ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ଆମେ ଦେଖିଲୁ ଏସଏସଟି ଟିମ୍‌ର ସଦସ୍ୟମାନେ ଭିତରୁ ପ୍ରାଣବିକଳରେ ଦୌଡ଼ି କରି ଆସୁଛନ୍ତି,’’ କହିଛନ୍ତି ଶ୍ରୀଯୁକ୍ତ ପାତ୍ର।

ଏହି ଘଟଣା ଏପରି ଜଟିଳ ହୋଇପଡ଼ିଥିଲା ଯେ ନିର୍ବାଚନ କମିଶନଙ୍କ ଦୁଇଟି ଯାକ ଟିମ୍‌ରେ ଯାଇଥିବା ପ୍ରାୟ ୧୫ ଜଣ ସଦସ୍ୟ ଜୀବନ ବଞ୍ଚାଇ ଘଟଣାସ୍ଥଳ ଛାଡ଼ି ଦେଇଥିଲେ। ଗଲା ବେଳେ ସେମାନେ ଅଲଗା ଅଲଗା ଗାଡ଼ିରେ ଯାଇଥିଲେ ମଧ୍ୟ ଆସିଲାବେଳେ ଗୋଟିଏ ଗାଡ଼ିରେ ୧୫ ଜଣ ଭର୍ତ୍ତି ହୋଇ ଆସିଥିଲେ।

ଏହି ଘଟଣାରେ ପିପିଲି ଥାନା ଏସଆଇ ଆହତ ହୋଇଛନ୍ତି। ସେହିପରି ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ରବି ନାରାୟଣ ପାତ୍ରଙ୍କ ଉପରକୁ କେହି ଜଣେ ଆକ୍ରମଣକାରୀ କୌଣସି ଓଜନିଆ ଜିନିଷ ଫୋପାଡ଼ିଥିଲେ। ଏହାଫଳରେ ଆଗରୁ ଅଣ୍ଟାରୋଗର ଶିକାର ଥିବା ଶ୍ରୀଯୁକ୍ତ ପାତ୍ର ଗୁରୁତର ଯନ୍ତ୍ରଣା ଭୋଗିଥିଲେ। ଏହି ଘଟଣାରେ ଗାଡ଼ିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

ଓଡ଼ିଶାଲାଇଭ୍‌ କ୍ୟାମେରା ଟିମ୍‌ ଆଗରେ ଅତି ଦୁଃଖର ସହ ରବିନାରାୟଣ ପାତ୍ର କହିଛନ୍ତି ଯେ ‘‘ଗତକାଲି ମୁଁ ହୁଏତ ମରିଯାଇଥାନ୍ତି। କୌଣସି ପ୍ରକାରେ ବଞ୍ଚିକରି ଚାଲିଆସିଛି’’।

‘‘ଆମକୁ ମାଜିଷ୍ଟ୍ରେଟ୍‌ କ୍ଷମତା ଦିଆଯାଇଛି ସତ, କିନ୍ତୁ ଅଧିକ ସୁରକ୍ଷା ଦିଆଯିବାର ଥିଲା’’ ଏହି ପ୍ରଶ୍ନ ଉଠାଇଛନ୍ତି ରବିନାରାୟଣ ପାତ୍ର।

ରବିବାର ରାତିରେ ଏହି ଆକ୍ରମଣ ଘଟଣାରେ ଆହତ ରବିନାରାୟଣ ପାତ୍ରଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସେ ଏବେ ଘରେ ବିଶ୍ରାମ କରୁଛନ୍ତି। ତାଙ୍କ ପରିବାର ଲୋକେ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌କୁ ନେବା କଥା ବିଚାର କରୁଛନ୍ତି।

ନିର୍ବାଚନର ଗୋଟିଏ ଦିନ ଆଗରୁ ପିପିଲିରେ ଶାସକ ଦଳର ବିଧାୟକ ଏବଂ ତାଙ୍କର ସହଯୋଗୀମାନେ ଯେଉଁ କାଣ୍ଡ ଘଟାଇଲେ ତାହା କେବଳ ଅବାଧ ନିରପେକ୍ଷ ନିର୍ବାଚନ ପ୍ରତି ଏକ ଆହ୍ୱାନ ନୁହେଁ ବରଂ ଦେଶର ନିର୍ବାଚନ ବ୍ୟବସ୍ଥା ପ୍ରତି ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି। ବିଳମ୍ବରେ ହେଲେ ମଧ୍ୟ ଘଟଣାର ଗୁରୁତ୍ୱକୁ ବିଚାର କରି ପ୍ରଶାସନ ଆଇନଗତ ପଦକ୍ଷେପ ନେଇଛି ଯାହାଫଳରେ ପ୍ରଦୀପ ମହାରଥୀ ଆଜି ଗିରଫ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here