ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ବାଟ ଦେଖାଉଛି। ଏହା କ’ଣ ପରିବର୍ତ୍ତନ ନୁହେଁ? ବିଗତ ଦିନରେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଚାଉଳ ଆସୁଥିଲା। ଏବେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚାଉଳ ଯାଉଛି। ଏହା କ’ଣ ପରିବର୍ତ୍ତନ ନୁହେଁ? ଓଡ଼ିଶାରେ ୩ଟି ମେଡିକାଲ କଲେଜ ଥିଲା। ଏବେ ୯ଟି ମେଡିକାଲ କଲେଜ। ଏହା କ’ଣ ପରିବର୍ତ୍ତନ ନୁହେଁ? ରାଜ୍ୟରେ ସବୁ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ମିଳୁଛି। ଏହା କ’ଣ ପରିବର୍ତ୍ତନ ନୁହେଁ?’’

ବିଜେପିର ‘ପରିବର୍ତ୍ତନ’ ନାରାକୁ ଆଜି ଏଭଳି ଢଙ୍ଗରେ କାଉଣ୍ଟର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ନବୀନ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଜଗତସିଂହପୁର ଏବଂ ଯାଜପୁର ଲୋକସଭା କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ନବୀନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ।

ନବୀନ ଆହୁରି କହିଥିଲେ, ‘‘ମିଛ ପ୍ରତିଶ୍ରୁତି ଏବଂ ହିଂସା ହେଉଛି ବିଜେପିର ଏଜେଣ୍ଡା। ଚଳିତ ନିର୍ବାଚନରେ ଅପରାଧୀ ଶ୍ରେଣୀର ବ୍ୟକ୍ତିଙ୍କୁ ଟିକେଟ ଦେଇଛି ବିଜେପି। ନିର୍ବାଚନରେ ଏହାର ଜବାବ ଲୋକେ ନିଶ୍ଚିତ ଦେବେ।’’

ଜଗତସିଂହପୁରରେ ନିର୍ବାଚନୀ ପ୍ରଚାର କରିବା ବେଳେ ନବୀନ ୧୯୯୯ ମହାବାତ୍ୟାକୁ ମନେପକାଇଥିଲେ। ସେ କହିଥିଲେ ଯେ ମହାବାତ୍ୟା ଓଡ଼ିଶାକୁ ଛାରଖାର କରିଦେଇଥିଲା। କିନ୍ତୁ ଏବେ ଆମ ରାଜ୍ୟ ମଡେଲ ଷ୍ଟେଟରେ ପରିଣତ ହୋଇଛି। ପ୍ରାକୃତିକ ଦୁର୍ବିପାକ ବେଳେ ଅନ୍ୟ ରାଜ୍ୟକୁ ସହାୟତା କରିପାରୁଛି।

Comment