ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୨୨ରେ ଉତ୍ତରପ୍ରଦେଶରେ ବଡ଼ ଦାୟିତ୍ୱରେ ନଜର ଆସିବେ ପ୍ରିୟଙ୍କା।

ଚର୍ଚ୍ଚାରେ କଂଗ୍ରେସର ହାଇଭୋଲଟେଜ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ୨୦୧୯ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ଅଳ୍ପ କିଛିଦିନ ପୂର୍ବରୁ କଂଗ୍ରେସ ରାଜନୀତିରେ ପ୍ରବେଶ କରିଥିବା ପ୍ରିୟଙ୍କା ଏଥର ବାରଣାସୀରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ କଂଗ୍ରେସ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇନି। ଅଜୟ ରାୟଙ୍କୁ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ କରିଛି ଦଳ। ତେବେ ପ୍ରିୟଙ୍କାଙ୍କୁ ଏଥର କଂଗ୍ରେସ କାହିଁକି ପ୍ରାର୍ଥୀ କଲାନି ତାକୁ ନେଇ ରାଜନୀତି କରିଡରରେ କାରଣ ଖୋଜା ଚାଲିଛି।

୨୦୨୨ରେ କଂଗ୍ରେସ ଖେଳିବ ‘ପ୍ରିୟଙ୍କା’ କାର୍ଡ

୨୦୧୯ ନିର୍ବାଚନ ଅପେକ୍ଷା ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସ ଏବେଠୁ ଫୋକସ୍ କରୁଛି। ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ଦେଇ କଂଗ୍ରେସ ସ୍ଥିତି ମଜଭୁତ କରିବାକୁ ଚାହୁଁଛି। ପ୍ରିୟଙ୍କା ବି ଉତ୍ତରପ୍ରଦେଶରେ ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ପ୍ରିୟଙ୍କାଙ୍କ ଭାବମୂର୍ତ୍ତିକୁ ଆଗରେ ରଖି କଂଗ୍ରେସ ୨୦୨୨ରେ ଉତ୍ତରପ୍ରଦେଶରେ ସରକାର ଗଠନ କରିବାକୁ ଗୋଟି ଚାଳନା କରୁଛି।

ଏହି କାରଣ ପାଇଁ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସ ବାରଣାସୀରେ ପ୍ରାର୍ଥୀ କରି ନଥିବା କୁହାଯାଉଛି। ବାରଣାସୀରେ ଏଥର ବିଜେପି ପ୍ରାର୍ଥୀ ହୋଇଛନ୍ତି ନିଜେ ନରେନ୍ଦ୍ର ମୋଦି। ଗତ ୨୦୧୪ ନିର୍ବାଚନରେ ମଧ୍ୟ ମୋଦି ବାରଣାସୀରୁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏଣୁ ମୋଦି ମଧ୍ୟ ଏଥର ବାରଣାସୀରୁ ଜିତିବା ପାଇଁ ଅଙ୍କ କଷୁଛନ୍ତି।

ମୋଦିଙ୍କୁ କାଉଣ୍ଟର କରିବା ପାଇଁ କଂଗ୍ରେସ ବାରଣାସୀରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚାରେ ରୋକ ଲାଗିଛି।

ୟୁପିରେ କଂଗ୍ରେସର ସ୍ଥିତି ଖରାପ

ଉତ୍ତରପ୍ରଦେଶରେ କଂଗ୍ରେସ ସ୍ଥିତି ଦିନକୁ ଦିନ ଖରାପ ହୋଇ ଯାଉଛି। ୧୯୮୯ ପରଠୁ କଂଗ୍ରେସ ଉତ୍ତରପ୍ରଦେଶରେ କ୍ଷମତାରେ ନାହିଁ। ବର୍ଷ ପରେ ବର୍ଷ ଗଡୁଛି ପଛେ, ହେଲେ କଂଗ୍ରେସ ସ୍ଥିତିରେ ସୁଧାର ଆସୁନି।

ଉତ୍ତରପ୍ରଦେଶରେ ଦଳର ସ୍ଥିତି ଖରାପ ଥିବାରୁ କେନ୍ଦ୍ରରେ ଏହାର ପ୍ରଭାବ ପଡୁଛି। ଏଣୁ କଂଗ୍ରେସ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ଜୋର୍ ଦେଇଛି।

୧୯୯୮ରେ କଂଗ୍ରେସ ଉତ୍ତରପ୍ରଦେଶରେ ମାତ୍ର ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୧୯୯୯ ଏବଂ ୨୦୧୪ରେ ବି ସ୍ଥିତିରେ ସୁଧାର ଆସି ନଥିଲା। ୨୦୧୭ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ଦଳ ପାଇଁ କିଛି ଫରକ ପଡ଼ି ନଥିଲା।

ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ପ୍ରିୟଙ୍କା ନେବା ପରେ ବରିଷ୍ଠ ନେତାମାନଙ୍କ ମାନ ଭଞ୍ଜନ କରିଛନ୍ତି ସେ। ବରିଷ୍ଠ ନେତାମାନଙ୍କୁ ଟିକେଟ ଦେବା ସହ ୨୦୨୨ ନିର୍ବାଚନ ପାଇଁ ଆଲୋଚନା କରୁଛନ୍ତି।

Comment