ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

‘‘୨୦୧୪ ନିର୍ବାଚନରେ ସାରା ଭାରତରେ ମୋଦି ଲହର ରହିଥିଲା। ହେଲେ ଓଡ଼ିଶାରେ ତାହା ପ୍ରବେଶ କରିପାରି ନଥିଲା। ୨୧ଟି ଲୋକସଭା ଆସନରୁ ବିଜେପି ମାତ୍ର ଗୋଟିଏ ପାଇଥିଲା। ଏଥର ବି ସେଇୟା ହେବ। ଓଡ଼ିଶାରେ ମୋଦି ହାଓ୍ୱା କାମ କରିବନି’’, କହିଛନ୍ତି ରବୀନ୍ଦ୍ର ଜେନା।

ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି ରବୀନ୍ଦ୍ର ଜେନା। ୨୯ ତାରିଖରେ ହେବ ଭୋଟ। ଏଥିପାଇଁ ପ୍ରଚାର ମଇଦାନ କମ୍ପୁଛି। ବାଲେଶ୍ୱର ଲୋକସଭା ଆସନରେ ଏଥର କେମିତି ପ୍ରଚାର ଜମୁଛି ତାହା ଜାଣିବା ପାଇଁ ଓଡ଼ିଶାଲାଇଭ୍ ଟିମ୍ କରିଥିଲା ପ୍ରୟାସ। ନିର୍ବାଚନ ପ୍ରଚାର କରୁଥିବା ବେଳେ ରବୀନ୍ଦ୍ରଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍।

‘‘ଗତ ପାଞ୍ଚ ବର୍ଷ ଭିତରେ ମୁଁ ବାଲେଶ୍ୱରର ବିକାଶ ପାଇଁ ଅନେକ କିଛି କାମ କରିଛି। ଯେଉଁ କାମ କରିଛି ଏବେ ତାର ହିସାବ ଦେଉଛି। ଆଶା ରହିଛି ଲୋକଙ୍କ ଆଶୀର୍ବାଦ ଆମ ପ୍ରତି ରହିବ। ବିଜୁ ଜନତା ଦଳ ବାଲେଶ୍ୱର ଲୋକସଭା ଆସନ ସମେତ ୭ଟି ଯାକ ନିର୍ବାଚନମଣ୍ଡଳୀରେ ଭଲ ପ୍ରଦର୍ଶନ କରିବ’’, କହିଛନ୍ତି ରବୀନ୍ଦ୍ର ଜେନା।

ସେ ଆହୁରି କହିଛନ୍ତି, ‘‘୧୫ଟି ଲୋକସଭା ଏବଂ ୧୦୫ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ୧୫ରୁ ୧୫ ଲୋକସଭା ଆସନରେ ବିଜେଡି ଜିତିକି ଅଛି। ୧୦୫ଟି ବିଧାନସଭା ଆସନରୁ ବିଜେଡି ୯୦ ପାଇବ। ନବୀନ ବାବୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।’’

ଗତ ପାଞ୍ଚ ବର୍ଷ ଭିତରେ ବାଲେଶ୍ୱର ବିକାଶ ପାଇଁ ୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ଆଗାମୀ ୫ ବର୍ଷ ପାଇଁ ୫୦ ହଜାର କୋଟି ଟଙ୍କା ଆଣିବା ପାଇଁ ଲକ୍ଷ୍ୟ ରହିଥିବା କହିଛନ୍ତି ରବୀନ୍ଦ୍ର।

Comment