ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବର୍ତ୍ତମାନ ବିଧାୟକ ଥିବା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମହାଙ୍ଗାରୁ ପୁଣି ଜିତିବେ ଏଥର? ଏହି ପ୍ରଶ୍ନଟି ଏବେ ସମସ୍ତଙ୍କ ମନରେ। ଯଦି ସେ ଜିତନ୍ତି ହ୍ୟାଟ୍ରିକ କରିବେ ଓ ପୁଣି ଥରେ ମନ୍ତ୍ରୀ ହେବା ସୁନିଶ୍ଚିତ। ତେବେ ମାହାଙ୍ଗା ବିଧାନସଭା ଆସନର ଇତିହାସ କହୁଛି କେହି ଏଠାରୁ ଲଗାତାର ତିନି ଥର ଜିତିନାହାନ୍ତି।

ପ୍ରତାପ ଜେନାଙ୍କ ପାଇଁ ସମସ୍ୟା ଦୁଇ ପ୍ରକାରର। ଏକେତ ସେ ଆଣ୍ଟି-ଇଂକମ୍ବନ୍ସି ବା ଭୋଟର ବିରକ୍ତି ଭାବର ସମ୍ମୁଖୀନ ହେଉଛନ୍ତି। ଦ୍ୱିତୀୟତଃ ମାହାଙ୍ଗା ବିଜେଡି ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ। ଏଣୁ ଏଠାରୁ ଜିତିବାକୁ ହେଲେ ପ୍ରତାପଙ୍କୁ ଅନେକ ପରିଶ୍ରମ କରିବାକୁ ହେବ।

ମଜା କଥା ହେଉଛି ଏଥର ମାହାଙ୍ଗାରୁ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଠାରେ ଏପ୍ରିଲ ୨୯ରେ ହେବାକୁ ଥିବା ନିର୍ବାଚନରେ ମୁଖ୍ୟତଃ ତିନିଟି ଦଳ ଭିତରେ ହିଁ ଲଢ଼େଇ ହେବ -କଂଗ୍ରେସ, ବିଜେପି ଓ ବିଜେଡି। କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦେବେନ୍ଦ୍ର ସାହୁଙ୍କ ଉପରେ ଦଳ ବେଶ୍ ଭରସା ରଖିଛି।

ତେଣେ ବିଜେପି ପକ୍ଷରୁ ପୂର୍ବତନ ମାହାଙ୍ଗା ଉନ୍ନୟନ ପରିଷଦ ମୁଖ୍ୟ ସାରଦା ପ୍ରଧାନ ଠିଆ ହୋଇଛନ୍ତି। ପ୍ରଧାନ ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପ୍ରତାପଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେପିରେ ଯୋଗ ଦେବା ପରେ ପ୍ରଧାନଙ୍କ ଉପରେ ଦଳ ଭରସା କରୁଛି। ତେବେ ବିଜେପିରେ ମଧ୍ୟ ସମସ୍ୟା ରହିଛି। ଯେଉଁ ବରିଷ୍ଠ ନେତା ଆଗରୁ ଦଳ ପାଇଁ କାମ କରୁଥିଲେ ସେମାନଙ୍କ କଥା ବିଚାରକୁ  ନ ନେଇ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେମାନେ ଖପ୍ପା। ଏମାନଙ୍କ ମଧ୍ୟରେ ଅଛନ୍ତି ଚୌଧୁରୀ ପ୍ରତାପ କେଶରୀ ମିଶ୍ର ଯିଏ ୨୦୦୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ପ୍ରଧାନ କିନ୍ତୁ ମୋଦିଙ୍କ ହାୱାରେ ଜିତିବାର ଆଶା ବାନ୍ଧିଥିବା ଦେଖାଯାଉଛି।

କଂଗ୍ରେସ ପକ୍ଷରୁ ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ବି ବିରୋଧର ସମ୍ମୁଖୀନ ହେଉଛନ୍ତି। ୨୦୧୪ରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲିଙ୍କୁ ଏଥର ଟିକେଟ ନମିଳିବା ଫଳରେ ତାଙ୍କ ସମର୍ଥକମାନେ ହୁଏତ ବିଜେପି ବା ବିଜେଡିରେ ଯୋଗ ଦେଇସାରିଛନ୍ତି। ଏଣୁ ଦେବେନ୍ଦ୍ର ସାହୁ ଅଲ୍ଲିଙ୍କ ଭୋଟ ହରାଇବା ନିଶ୍ଚିତ। ହେଲେ ସାହୁ କହିଛନ୍ତି ଯେ ମତଳୁବ ଅଲ୍ଲିଙ୍କ ବିରୋଧ ତାଙ୍କ ଭୋଟ ଉପରେ କିଛି ପ୍ରଭାବ ପକାଇବ ନାହିଁ।

Comment