ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମେ’୧୯ରେ ପାଟକୁରା ବିଧାନସଭା ଆସନ ପାଇଁ ହେବ ଭୋଟ। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ତାରିଖ ଘୋଷଣା ହେବା ପରେ ବିଜେଡି ଟିକେଟ କିଏ ନେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଟିକେଟ ରେସରେ ବର୍ତ୍ତମାନ ଦୁଇ ଜଣ ଦାବିଦାର ଅଛନ୍ତି। ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ୱାଲ ଏବଂ ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏ ଦୁହିଁଙ୍କ ଭିତରୁ ଜଣେ ନା ଆଉ କିଏ ଟିକେଟ ନେବ ତାହା ଏପ୍ରିଲ ୨୯ ପରେ ହିଁ ସ୍ପଷ୍ଟ ହେବ।

ପାଟକୁରା ଆସନ ପାଇଁ ବିଜେଡି ବେଦପ୍ରକାଶ ଅଗ୍ରଓ୍ୱାଲଙ୍କୁ ଟିକେଟ ଦେଇଥିଲା। ହେଲେ ନିର୍ବାଚନ ପ୍ରକ୍ରିୟ ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହେବାରୁ ଏହି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ନିର୍ବାଚନ ଅଧିକାରୀ ପୁଣି ସ୍ପଷ୍ଟ କରିଛନ୍ତି ଯେ କେବଳ ବିଜେଡି ହିଁ ଏହି ଆସନରେ ପ୍ରାର୍ଥୀ ଦେଇ ପାରିବ ଏବଂ ସେହି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ। ପୂର୍ବରୁ ଅନ୍ୟ ଦଳ ଯେଉଁମାନଙ୍କୁ ପ୍ରାର୍ଥୀ କରିଛନ୍ତି ସେମାନଙ୍କର ପ୍ରାର୍ଥିପତ୍ର ବଜାୟ ରହିବ। ଏଣୁ ବିଜେଡିକୁ ଏବେ ପାଟକୁରା ପାଇଁ ପ୍ରାର୍ଥୀ ଚୟନ କରିବାକୁ ପଡ଼ିବ।

୨୦୧୪ରୁ ତେଜେଶ୍ୱର ପାଟକୁରା ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କ ଉପରେ ଭରସା କରି ନଥିଲା ଦଳ। ଅଭିଜ୍ଞ ବେଦପ୍ରକାଶଙ୍କୁ ଟିକେଟ ଦେଇ ତେଜେଶ୍ୱରଙ୍କୁ ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଅଧ୍ୟକ୍ଷ କରି ସନ୍ତୁଷ୍ଟ କରିଥିଲା ବିଜେଡି।

୨୦୧୯ରେ ବି ତେଜେଶ୍ୱର ଟିକେଟ ଲବିରେ ଥିଲେ। ହେଲେ ଏଥର ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏବେ ବେଦପ୍ରକାଶଙ୍କ ଦେହାନ୍ତ ହୋଇଥିବାରୁ ତେଜେଶ୍ୱର ଟିକେଟ ଲବିରେ ଅଛନ୍ତି। ଏପଟେ ସକ୍ରିୟ ରାଜନୀତିରେ ନଥିବା ବେଦପ୍ରକାଶଙ୍କ ପୁଅ ସଞ୍ଜୟ ବି ଟିକେଟ ନେବାକୁ ଚାହୁଁଛନ୍ତି। ସେ ଏନେଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ଯଦି ବିଜେଡି ତାଙ୍କୁ ଟିକେଟ ଦିଏ ତାହାଲେ ସେ ଲଢ଼ିବାକୁ ପ୍ରସ୍ତୁତ ବୋଲି ସଞ୍ଜୟ କହିଛନ୍ତି। ତେବେ ବିଜେଡି ପାଟକୁରା ପାଇଁ କାହାକୁ ବାଛୁଛି ତା’ ଉପରେ ସମସ୍ତଙ୍କ ନଜର।

ପାଟକୁରାରେ ଏଥର ବିଜେଡି ଏବଂ ବିଜେପି ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ହେଉଛି। ବେଦପ୍ରକାଶଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇଥିଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ବେଦପ୍ରକାଶ ଅସୁସ୍ଥ ଥିବାରୁ ବିଜୟ ଏଥିରୁ ଫାଇଦା ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବେଦପ୍ରକାଶଙ୍କ ଦେହାନ୍ତ ପରେ ବିଜୟଙ୍କ ପାଇଁ ଅଡୁଆ ବଢ଼ିଛି। ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ବିଜୟ ତାଙ୍କର ଆଗାମୀ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।

ବିଜୟ ହେଉଛନ୍ତି ପାଟକୁରାର ପୁରୁଣା ନେତା। ଏକାଧିକ ଥର ସେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ୧୯ ବର୍ଷ ହେଲା ବିଜୟ ୪ମତାଠାରୁ ଦୂରରେ ରହିଛନ୍ତି। ହେଲେ ଏଥର ବିଜୟଙ୍କ ହାଓ୍ୱା ପାଟକୁରାରେ ବହୁଛି। ତେବେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ଯେ କୋଉ ପାଣି କୁଆଡକୁ ଯିବ।

ଏପ୍ରିଲ ୨୯ରେ ଭୋଟ ଶେଷ ହେବା ପରେ ସବୁ ଦଳର ନଜରରେ ରହିବ ପାଟକୁରା। ବିଜୟଙ୍କ ପାଇଁ ବିଜେପିର ବରିଷ୍ଠ ନେତାମାନେ ପ୍ରଚାର କରିବେ। ସେହିପରି ବିଜେଡିରୁ ଯିଏ ବି ପ୍ରାର୍ଥୀ ହେବେ ତାଙ୍କ ପାଇଁ ବି ବିଜେଡିର ବରିଷ୍ଠ ନେତାମାନେ ପ୍ରଚାର କରିବାକୁ ଆସିବେ। ଏଣୁ ମେ’ ୧୯ରେ ହେବାକୁ ଥିବା ପାଟକୁରା ନିର୍ବାଚନ ରୋଚକ ସ୍ଥିତିରେ ରହିଛି। ଏବେ କେବଳ ବିଜେଡି ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା।

Comment