ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ଗଣ ମାଧ୍ୟମରେ ଘମାଘୋଟ ଚର୍ଚ୍ଚା ଚାଲିଥିବା ବେଳେ ଏହି ବିଧାନସଭା ଆସନଟି କାହା ହାତକୁ ଯିବ ସେ ନେଇ ଏହିକ୍ଷଣି ଆଲୋଚନା ଜୋର୍ ଧରିଛି। ଏହି ବିଧାନସଭା ଆସନ ଶାସକ ଦଳ ପାଇଁ ସମ୍ମାନର ବିଷୟ ହୋଇଥିବା ବେଳେ କଂଗ୍ରେସ ପାଇଁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ହୋଇଛି।

କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରାର୍ଥୀ ହୋଇଛନ୍ତି। ଯଦିଓ କେନ୍ଦ୍ରାପଡ଼ା ସବୁବେଳେ ଶାସକ ବିଜେଡିର ପକେଟ ହୋଇ ଆସିଛି, ଶଶିଭୂଷଣ କିନ୍ତୁ ଏଥର ଏକ ଅଲଗା ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ତାହା ହେଉଛି ‘ବାହାରର ଲୋକ’। ତେଣେ କଂଗ୍ରେସର ଗଣେଶ୍ୱର ବେହେରାଙ୍କର ଭଲ ଭୋଟ ରହିଥିବାରୁ ସେ ବି ଜିତିବା ପାଇଁ ଆଶା ରଖିଛନ୍ତି।

ବିଜେଡିର ସମସ୍ୟା ହେଉଛି ଯେ ‘ଆଉଟସାଇଡ଼ର’ ଦାଗ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ସେଠୁ କାହାକୁ ଟିକେଟ ଦିଆଗଲା ନାହିଁ। ଶଶି ବେହେରାଙ୍କ ଶ୍ୱଶୁର ଘର ଯଦିଓ କେନ୍ଦ୍ରାପଡ଼ା, ସେ ମୂଳତଃ ଜୟଦେବ ଆସନର ଲୋକ।

ଏଠି ବିଜେଡି ପକ୍ଷରୁ ଅରବିନ୍ଦ ଢାଲି ପ୍ରାର୍ଥୀ ହୋଇଛନ୍ତି। ଅବଶ୍ୟ ଯାହା ଶୁଣାଯାଉଛି ଶଶି ବେହେରା ଏଠାରୁ ଜିତି ଯାଇ ପାରନ୍ତି। କିନ୍ତୁ ସେଠାକାର କାହାକୁ ଯଦି ଟିକେଟ ଦିଆଯାଇଥାନ୍ତା ବିଜେଡିକୁ ଛାତି ଦକଦକ କରିବାକୁ ପଡିନଥାନ୍ତା।

ଶାସକ ଦଳ ପକ୍ଷରୁ ଦୁଇ ଜଣ ପ୍ରାର୍ଥୀ ଟିକେଟ ପାଇବା ପାଇଁ ଆଶା ରଖିଥିଲେ। ନା କିଶୋର ତରାଇ ନା ସିପ୍ରା ମଲ୍ଲିକ କାହାକୁ ଟିକେଟ ମିଳିଲା। କେନ୍ଦ୍ରାପଡ଼ା ଆସନରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ବେଶ୍ ଦବଦବା ଥିବାରୁ ସେ ଶଶିଭୂଷଣଙ୍କୁ କଡ଼ା ଟକ୍କର ଦେବା ଦେଖାଯାଉଛି। ବିଜେପିର ସୁନାକର ବେହେରା ୨୦୧୪ ନିର୍ବାଚନରେ ମାତ୍ର ୭ ପ୍ରତିଶତ ଭୋଟ ପାଇଥିବାରୁ ତାଙ୍କ ଜିତିବା ଏତେ ସହଜ ନୁହେଁ ଯଦିଓ ମୋଦିଙ୍କ ରାଲି ପରେ ଏଠି ବିଜେପି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

Comment