ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦୁଇ ନୂଆ ଏବଂ ଜଣେ ପରୁଖା ନେତାଙ୍କ ଭିତରୁ ଏଥର ବାସୁଦେବପୁରବାସୀଙ୍କ ପ୍ରଥମ ପସନ୍ଦ କିଏ?

ଭଦ୍ରକ ଲୋକସଭା ଆସନର ସବୁଠୁ ଚର୍ଚ୍ଚିତ ବିଧାନସଭା ସିଟ୍ ହେଉଛି ବାସୁଦେବପୁର। ଏହି ନିର୍ବାଚନମଣ୍ଡଳୀରେ ଆଜି ପ୍ରଚାର ଶେଷ ହୋଇଛି। ତ୍ରିମୁଖୀ ଲଢ଼େଇ ଚାଲିଥିବା ବାସୁଦେବପୁରରେ ଏଥର କିଏ ବାଜି ମାରିବ ତା’ ଉପରେ ସମସ୍ତଙ୍କ ନଜର।

ଏପ୍ରିଲ ୨୯ରେ ଭଦ୍ରକ ଲୋକସଭା ଆସନରେ ହେବ ଭୋଟ ଗ୍ରହଣ। ଏଥର ବାସୁଦେବପୁର ମଇଦାନରେ ୨ ନୂଆ ଏବଂ ଜଣେ ପୁରୁଖା ନେତା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ତେବେ ଭୋଟର କାହାକୁ ସମର୍ଥନ କରିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ବାସୁଦେବପୁର ଲାଗି ବିଜେଡିର ପ୍ରାର୍ଥୀ ହୋଇଛନ୍ତି ୫ ଥରର ବିଧାୟକ ଥିବା ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ। କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ମାଧବାନନ୍ଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେପି।

ଅନ୍ୟପଟେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଅଶୋକ କୁମାର ଦାସ। ଅଶୋକ ଜିଲ୍ଲା କଂଗ୍ରେସର ସଭାପତି ଥିଲେ।

କାହାକୁ ବାଛିବେ ଭୋଟର?

ବାସୁଦେବପୁର ନିର୍ବାଚନମଣ୍ଡଳୀରେ ଆଜି ଥିଲା ଶେଷ ପ୍ରଚାର। ତିନି ଦଳର ପ୍ରାର୍ଥୀ ଆଜି ଶକ୍ତି ପ୍ରଦର୍ଶନ କରିଥିଲେ। ରାଲି ଏବଂ ରୋଡ ସୋ’ କରି ମଇଦାନକୁ ସରଗରମ କରିଥିଲେ।

ତେବେ ବାସୁଦେବପୁରର ସଚେତନ ଭୋଟର କାହାକୁ ଭୋଟ ଦେଉଛନ୍ତି ତାହା ମେ’ ୨୩ରେ ହିଁ ଜଣାପଡ଼ିବ।

‘‘ଯିଏ ସୁଖ ଦୁଃଖରେ ଆମ ପାଖରେ ଛିଡ଼ା ହେବ ସେହିଭଳି ନେତାଙ୍କୁ ଆମେ ବାଛିବୁ। ବାସୁଦେବପୁରର ସମସ୍ୟାକୁ ଯିଏ ଦୂର କରିବ ଆମେ ତାକୁ ହିଁ ଭୋଟ ଦେବୁ’’, ଏହା ହେଉଛି ବାସୁଦେବପୁରର ସଚେତନ ଭୋଟରଙ୍କ ମୁଡ୍।

ବିଜେଡି ପ୍ରାର୍ଥୀ ଏଥର ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନାକୁନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ବିଜେପି ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ କେନ୍ଦ୍ରୀୟ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। ସେପଟେ କଂଗ୍ରେସ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି।

ହାଇଭୋଲଟେଜ ପ୍ରଚାର ଶେଷ ହୋଇଥିବା ବେଳେ ଏବେ ଅପେକ୍ଷା ସୋମବାରକୁ। ଭୋଟର କେଉଁ ନେତାଙ୍କୁ ଇଭିଏମରେ ନିଜର ପ୍ରଥମ ପସନ୍ଦର ନେତା ଭାବେ ବାଛୁଛନ୍ତି।

Comment