ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠ ‘ଗୋରାକବର’ ସାରା ରାଜ୍ୟରେ ବେଶ ପରିଚିତ। ହେଲେ ଏବେ ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ବହୁ ଦିନରୁ ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ମାନ୍ୟତା ମିଳିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଗୁରୁତ୍ୱ ଦିଆଯାଉନଥିବାର ଅଭିଯୋଗ ହେଉଛି।
ଏହାକୁ ସରକାର ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଥିବା କହିଛନ୍ତି ସ୍ଥାନୀୟ ପୂର୍ବତନ କର୍ପୋରେଟର ରମଜାନ ଖାନଙ୍କ।
ଏମପି ଲ୍ୟାଡରୁ ଆସିଥିବା ଅନୁଦାନ ଅର୍ଥରେ ଗୋରାକବର ସମାଧିପୀଠଠାରେ ଏକ ବିଶ୍ରାମ ଗୃହର ଛାତ ପଡିସାରିଛି। ଖୁବଶୀଘ୍ର ଏହାର ପୂର୍ଣ୍ଣାଙ୍ଗ ନିର୍ମାଣ ଶେଷ ହେବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଏହାର ଉନ୍ନତି ନିମନ୍ତେ ସିଏମସି କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଏହି ପୁରାତନ କବରସ୍ଥଳଟି କୃତ୍ରିମ ଜଙ୍ଗଲରେ ପରିଣତ ହୋଇଛି। ଆବଶ୍ୟକ ରକ୍ଷଣା ବେକ୍ଷଣ ଅଭାବରୁ ବର୍ତ୍ତମାନ ଏହା ନଷ୍ଟ ହେବାକୁ ବସିଛି। କେବଳ ମଧୁବାବୁଙ୍କ ଜନ୍ମ ଦିବସରେ ସିଏମସି ତରଫରୁ ଏହାର ପରିସରକୁ ସଫାସୁତୁରା କରାଯାଉଥିବା ବେଳେ ଅନ୍ୟ ସମୟରେ ଏଠାରେ ଅନାବନା ଗଛ ଉଠି ଜଙ୍ଗଲ ହେଉଛି।
କବରଖାନାର ଜମିରେ ପଡ଼ିଥିବା ଟାଇଲ ଗୁଡ଼ିକ ଭାଙ୍ଗିଯାଇଥିଲା ବେଳେ ଲାଇଟ ଜଳୁନଥିବାର ଅଭିଯୋଗ ହୋଇଛି। ଏହାର ଚାରିପାଖର ପାଚେରୀ ଭାଙ୍ଗିରୁଜି ଯାଇଥିବା ବେଳେ ପାଚେରୀରେ ରଙ୍ଗ ଲଗାଯାଉନଥିବା ଜଣାପଡିଛି।
ଗୋରାକବର ଶ୍ମଶାନ ସ୍ଥାନୀୟ ତୁଳସୀପୁରଠାରେ ରହିଛି। ବ୍ରିଟିଶ ଶାସନ କାଳରେ ଗୋରା ଲୋକଙ୍କ ମୃତ୍ୟୁ ପରେ ଏଠାରେ କବର ଦିଆଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବା ଜଣାପଡିଛି।
ଊନବିଂଶ ଶତାବ୍ଦୀରେ ଓଡିଶା ପ୍ରଦେଶର ରାଜଧାନୀ ଥିଲା କଟକା ଉଭୟ ଇଷ୍ଟ ଇଣ୍ଡିଆ କମ୍ପାନି ଓ ପରେ ବ୍ରିଟିଶ ଅଫିସରମାନେ ଏଠାରୁ ଶାସନ କରୁଥିଲୋ ତେଣୁ ସେମାନେ ଏଠାରେ ବହୁ ଚର୍ଚ୍ଚ, ପ୍ରଚାରକମାନଙ୍କ ପାଇଁ ସଂସ୍ଥା ଓ ସମାଧିପୀଠ ପ୍ରତିଷ୍ଠା କରିଥିଲେ।
ପ୍ରଥମେ ପ୍ରଥମେ ଓଡିଶାକୁ ଆସିଥିବା ବ୍ରିଟିଶ ଲୋକଙ୍କ ପାଇଁ କଟକର ଜଳବାୟୁ ଅନୁକୂଳ ହେଉନଥିଲା। ତେଣୁ ସେମାନଙ୍କ ମଧ୍ୟରୁ ଅନେକ ମ୍ୟାଲେରିଆ ଓ ଟାଇଫଏଡରେ ଆକ୍ରାନ୍ତ ହେଉଥିଲେ।
ଊନବିଂଶ ଶତାବ୍ଦୀର ପ୍ରଥମ ଦଶକରେ ବ୍ରିଟିଶ ଗୋରା ସାହେବମାନଙ୍କ କଫିନକୁ କଲିକତା ପଠାଯାଉଥିଲା। ଆଉ କେତେକ କଫିନକୁ ମଧ୍ୟ ଇଂଲଣ୍ଡକୁ ପଠାଯାଉଥିଲା। ୧୮୦୩ ମସିହାରେ ବ୍ରିଟିଶ ଓଡିଶାକୁ ଅକ୍ତିଆର କରିବା ପରେ ଏଠାରେ ବହୁତ ଇଂରେଜ ଅଫିସର ଓ ସେମାନଙ୍କ ପରିବାର ବସବାସ କରୁଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନି ଦ୍ୱାରା ୧୮୨୨ ମସିହାରେ ମହାନଦୀ କୂଳରେ ୫ ଏକର ପରିମିତ ଜମି ଉପରେ ଗୋରା କବର ନିର୍ମାଣ କରିଥିଲେ।
ବ୍ରିଟିଶ ସୈନିକ ଓ ଅଫିସାରମାନଙ୍କ କବର ଯାହା ପୁରୁଣା ଜଗନ୍ନାଥ ରୋଡରେ କବର ଦିଆଯାଇଥିଲା, ପରବର୍ତ୍ତୀ ସମୟରେ ସେମାନଙ୍କ କବରକୁ ଗୋରା କବରକୁ ଅଣାଯାଇଥିଲା। ସିପାହୀ ବିଦ୍ରୋହ ସମୟରେ ପ୍ରାଣ ହରାଇଥିବା ବ୍ରିଟିଶ ସୈନିକମାନଙ୍କୁ ମଧ୍ୟ ଏଠାରେ କବର ଦିଆଯାଇଥିଲା।
ନଦୀ ସ୍ତରରୁ ନିମ୍ନରେ ଥିବାରୁ ଏଠାକୁ ସବୁବେଳେ ବନ୍ୟା ପାଣି ଆସୁଥିଲା। ୧୯୦୩ ମସିହାରେ ଏହାକୁ ଉଚ୍ଚା କରାଯାଇଥିଲା। ଯାହା ଫଳରେ ବନ୍ୟା ଜଳ ଆଉ ଗୋରାକବର ମଧ୍ୟରୁ ପ୍ରବେଶ କରିପାରିନଥିଲା।
ସେ ସମୟରେ ସ୍ଥାନୀୟ ବାସିନ୍ଦାମାନେ ରାତ୍ର ସମୟରେ ଏଠାକୁ ଆସୁନଥିଲେ। ସେମାନଙ୍କ କହିବା ଅନୁଯାୟୀ, ଏଠାରେ ଭୁତ ପ୍ରେତର କାରନାମା ଦେଖିବାକୁ ମିଳୁଥିଲା। ଏହି କବରଖାନାଟି ଓଡିଆ ବାପଟିଷ୍ଟ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଛି ।
ହେଲେ କଟକ ମହାନଗର ନିଗମକୁ କବରଖାନାର ସଫାସୁତୁରା ଓ ରକ୍ଷଣା ବେକ୍ଷଣ ଦାୟିତ୍ୱ ଦିଆଯାଇଛି। ଏହି କବରର ଅନେକଗୁଡିଏ ବିଶେଷତ୍ୱ ରହିଛି। ଏହାର ତିନୋଟି ମୁଖ୍ୟ ଦ୍ୱାର ରହିଛି। ଗଛ ଘେରରେ କବରସ୍ଥଳୀଟି ରହିଛି।
ଏହି କବର ମଧ୍ୟରେ ବିଭିନ୍ନ ଆକୃତିର କବର ରହିଛି। ଗୋଲାକାର, ସମତଳ ଓ ବୋତଲ ଆକୃତିର କବର ରହିଛି। ଏହି କବରଗୁଡିକ ମାର୍ବଲରେ ନିର୍ମାଣ ହୋଇଥିବାର ଜଣାପଡିଛି।
ପରିସର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ମନିଷୀମାନଙ୍କର କବର ରହିଛି। ଏଠାରେ ମଧ୍ୟ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ କନ୍ୟା ଶୈଳବାଳା ଦାସଙ୍କ ସମାଧି ରହିଛି।
To read the Life & Times of Madhusudan Das visits www.madhusudandas.org