ଓଡ଼ିଶାଲାଇଭ୍ ବ୍ୟୁରୋ

  • ଟଳିପଡ଼ିଲା ହଜାର ହଜାର ଗଛ, ରାସ୍ତାଘାଟ ଜାମ୍
  • ଭୁବନେଶ୍ୱର ରେଳଷ୍ଟେସନ୍ ପ୍ରଭାବିତ, ବିମାନ ଘାଟି ମଧ୍ୟ
  • ଶହ ଶହ ବିଦ୍ୟୁତ୍ ଖୁଣ୍ଟି ଓଲଟି ପଡ଼ିଛି, ପୁରା ସହର ଅନ୍ଧକାର
  • ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ପ୍ରଭାବିତ
  • ଲୋକଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ପାଣି

ସାମୁଦ୍ରିକ ଝଡ଼ ଫନି ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ରାଜଧାନୀ ଭୁବନେଶ୍ୱରକୁ ଦୋହଲାଇ ଦେଇଛି। ଏହାର ପ୍ରଭାବରେ ସହରରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଅନେକ ଜାଗାରେ ରାସ୍ତା ଉପରେ ଗଛ ପଡ଼ି ରହିଥିବା ଫଳରେ ଲୋକଙ୍କ ଯିବା ଆସିବା ପାଇଁ ମଧ୍ୟ ଘୋର ସମସ୍ୟା ସୃଷ୍ଟି ହୋଇଛି।

ଗୋଟିଏ ପଟେ ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲେ ମଧ୍ୟ ରାଜଧାନୀ ଉପରେ ଏହାର ପ୍ରଭାବ ପ୍ରଶାସନିକ ବ୍ୟବସ୍ଥାକୁ ମଧ୍ୟ ହଲଚଲ କରିଦେଇଛି।

ଶୁକ୍ରବାର ଦିନ ଫନି ଏକ ପ୍ରକାର ପୁରୀ ଓ ଭୁବନେଶ୍ୱର ମଝାମଝି ସ୍ଥାନରେ ଲ୍ୟାଣ୍ଡଫଲ୍ କରିଥିଲା। ଏହାଫଳରେ ପୁରୀ ସହର, ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନ, ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳ, ଜଗତ୍‌ସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ଭୁବନେଶ୍ୱର ସହର ସାଂଘାତିକ ଭାବେ ପ୍ରଭାବିତ ହୋଇଛି।

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଫନିଜନିତ କ୍ଷୟକ୍ଷତିର ବିଶେଷ ଆକଳନ କରାଯିବା ସମ୍ଭବପର ହୋଇନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ସେ କହିଥିଲେ ଯେ ପ୍ରାଥମିକ ଅବସ୍ଥାରେ ଲୋକଙ୍କୁ କିଭଳି ସୁରକ୍ଷିତ ରଖାଯିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଆଶ୍ରୟ ସ୍ଥଳରେ ଲୋକମାନଙ୍କୁ ରଖାଯାଇଛି। ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଛି।

ଫନି ପ୍ରଭାବିତ ଅଞ୍ଚଳରେ କିଭଳି ଗମନାଗମନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇପାରିବ ସେ ଦିଗରେ ପ୍ରଶାସନ ଗୁରୁତ୍ୱ ଦେଉଛି। ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରାଯାଉଛି। ତେବେ  ଭୁବନେଶ୍ୱର ସହରର ମୁଖ୍ୟ ରାସ୍ତାକୁ ଛାଡ଼ିଦେଲେ ଅନ୍ୟ ଗଳି ବା ଭିତର ରାସ୍ତାରେ ଗଛ ପଡ଼ିରହିଛି। ଫଳରେ ଯିବାଆସିବାରେ ବାଧା ସୃଷ୍ଟି ହେଉଛି।

ଅତ୍ୟାଧୁନିକ ଏଲ୍‌ଇଡ଼ି ବୋର୍ଡ ଏବଂ  ମାଳ ମାଳ ହୋର୍ଡ଼ିଂର ସହର ଭାବେ ପରିଚିତ ଭୁବନେଶ୍ୱରରେ ଅଧିକାଂଶ ହୋର୍ଡ଼ିଂ ଚୁନା ହୋଇଯାଇଛି। ବିଭିନ୍ନ ଅଫିସ୍, ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ହୋଟେଲ୍ ଆଦିର ବିଜ୍ଞାପନ ବୋର୍ଡ ଉଡ଼ି ଛତ୍ରଛାଳ ହୋଇଯାଇଛି। ସହରର ଶହ ଶହ ଗଛ ଭାଙ୍ଗିପଡ଼ିବା ଫଳରେ ଭୁବନେଶ୍ୱର ରାସ୍ତାଘାଟ ଏବଂ ଆକାଶ ଫାଙ୍କା ଦେଖାଯାଉଛି।

ବାତ୍ୟାରେ ଭୁବନେଶ୍ୱର ରେଳଷ୍ଟେସନ୍ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ପ୍ଲାଟଫର୍ମ ଉପରେ ଥିବା ଆଜବେଷ୍ଟସ୍ କଭର୍ ଉଡିଯାଇଛି। ମୋଟାମୋଟି ଭାବରେ ଷ୍ଟେସନର ବ୍ୟାପକ କ୍ଷୟକ୍ଷତି ହୋଇଛି।

ଫନି ପ୍ରଭାବରେ  ଭୁବନେଶ୍ୱର ବିମାନ ଘାଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ରନୱେ ଉପରେ ବାତ୍ୟାର କ’ଣ ପ୍ରଭାବ ପଡ଼ିଛି ସେ ସମ୍ପର୍କରେ ବିଶେଷ ତଥ୍ୟ ମିଳିପାରିନାହିଁ। ଏଠାରେ ଗତ ୨ ଦିନ ଧରି ବିମାନ ଉଡାଣ ବନ୍ଦ ରହିଛି। କେତେ ଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦର ପ୍ରସ୍ତୁତ ରହିପାରିବ ସେ ବାବଦରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି। କାରଣ  ବାତ୍ୟା ଭଳି ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଏହାର ପରିଚାଳନା ପାଇଁ ବିମାନ ଘାଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Comment