ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ତାର ତାଣ୍ଡବ ରଚିଛି। ଏଥିରୁ ଲୋକେ ଅଣ୍ଟାସଳଖି ନଥିବାବେଳେ ଗରମଖରା ଲୋକଙ୍କ କଷ୍ଟକୁ ଦୁଇଗୁଣ କରିଦେଇଛି। ବାତ୍ୟା ପରଦିନଠୁ ହିଁ ରାଜଧାନୀଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଗରମ ଖରା ଅଧିକ ରହୁଛି। ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଗୁଳୁଗୁଳି ଲାଗି ରହିଥିବା ବେଳେ ଆଗକୁ ଗରମ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଏମିତିକି ଗତକାଲି ୧୦ରୁ ଅଧିକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଉଛି। ବାତ୍ୟା ପବନପରେ ଏବେ ଅସହ୍ୟ ଗୁଳୁଗୁଳିରେ ଲୋକଙ୍କ ବଞ୍ଚିବା ଯେମିତି କଷ୍ଟକର କରିଦେଇଛି।

ଫନି ପ୍ରଭାବିତ ଅଞ୍ଚଳ ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱରରେ ଅଧାରୁ ଅଧିକ ଗଛଭାଙ୍ଗିଥିବାରୁ ସେଠାରେ ଖରାଗରମ ଅଧିକ ହେଉଛି। ସକାଳ ୯ଟା ପରେ ଘରୁ ବାହାରକୁ ବାହାରିବା କଷ୍ଟ ହୋଇପଡ଼ୁଛି। ଦିନଯାକ ଖାଲି କଲବଲ ହେବାଛଡ଼ା ଅନ୍ୟକିଛି ବାଟ ନାହିଁ। ଘର ଭିତରେ କିମ୍ବା ବାହାରେ ସବୁଠି ଦେହରୁ ଝାଳ ବୋହୁଛି।

ଗୋଟିଏ ପଟେ ବାତ୍ୟା ଫନିପରୁଠୁ ସପ୍ତାହେ ହେବ କରେଣ୍ଟ ନାହିଁ ଏହାସହିତ ଖରାଗରମ ଯେମିତି ଲୋକଙ୍କ କଷ୍ଟକୁ ଦୁଇଗୁଣ କରିଦେଇଛନ୍ତି। ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ସବୁ ସ୍ଥାନକୁ ବିଜୁଳି ସଂଯୋଗ କରିବାକୁ ଚେଷ୍ଟା ଜାରିରଖିଛି। ତେବେ ଯେଉଁ ଯେଉଁ ଅଞ୍ଚଳରେ ବିଜୁଳି ସଂଯୋଗ ହୋଇଛି ସେଠାରେ ଲୋକଙ୍କ ମଧ୍ୟରେ ଖୁସିଥିବା ବେଳେ ଯେଉଁ ଅଞ୍ଚଳରେ ସଂଯୋଗ ନାହିଁ ସେଠାରେ ଲୋକ କଷ୍ଟରେ ଡହଳବିକଳ ହେଉଛନ୍ତି।

Comment