ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୯୯ ମହାବାତ୍ୟା ହେଉ କି ଫାଇଲିନ୍, ହୁଡ୍‌ହୁଡ୍‌, ତିତଲି, ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ଏହି ବାତ୍ୟାର କରାଳ ରୂପକୁ ଦେଖିଛନ୍ତି ଓଡ଼ିଶାବାସୀ। କିନ୍ତୁ ମେ’ ମାସରେ ବାତ୍ୟା ‘ଫନି’ରେ ଓଡ଼ିଶା ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ତେବେ ମେ’ ମାସରେ କାହିଁକି ବାତ୍ୟା ଆସିଲା ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ଏହାର କାରଣ କହିଛନ୍ତି।

‘‘ଏବେ ସମୁଦ୍ରରେ ତାପମାତ୍ରା ଅଧିକ ରହିଛି। ମାର୍ଚ୍ଚ ମାସରୁ ସୂର୍ଯ୍ୟଙ୍କ କିରଣ ବଢ଼ିଥାଏ। ଏହାର ପ୍ରଭାବ ସମୁଦ୍ର ଉପରେ ପଡ଼ିଥାଏ। ଫଳରେ ସମୁଦ୍ରର ତାପମାନ ବୃଦ୍ଧି ପାଇଥାଏ। ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଇଥାଏ ସମୁଦ୍ରରେ। ଫଳରେ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ହୋଇଥାଏ। ଏବେ ବିଶ୍ୱତାପନ ଯୋଗୁଁ ସମୁଦ୍ରପତ୍ତନରେ ୩୦ରୁ ୩୧ ଡିଗ୍ରୀ ଯାଏଁ ତାପମାତ୍ରା ରହୁଛି। ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବେ ବି ତାପମାତ୍ରା ଅଧିକ ରହିଛି। ଫଳରେ ମେ’ ମାସରେ ବାତ୍ୟା ସୃଷ୍ଟି ହୋଇଛି’’, କହିଛନ୍ତି ଶରତ ଚନ୍ଦ୍ର ସାହୁ।

ଶରତ ଚନ୍ଦ୍ର ସାହୁ ଆହୁରି କହିଛନ୍ତି, ‘‘ମୌସୁମୀ ଆସିବା ପୂର୍ବରୁ ଏବଂ ପରେ ସାଧାରଣତଃ ବାତ୍ୟା ସୃଷ୍ଟି ହୋଇଥାଏ। ବାୟୁମଣ୍ଡଳର ଉପରିଭାଗର ୧୫ କିଲୋମିଟର ଉଚ୍ଚରେ ଜେଡ୍ ଷ୍ଟ୍ରିମ ରହିଛି। ହିମାଳୟର ଉପରିଭାଗରେ ଏହା ରହିଥିଲା। କିନ୍ତୁ ଗତ ୧୫ରୁ ୨୦ ଦିନ ହେଲା ପ୍ରତିଦିନ କାଳବୈଶାଖୀ ହେଉଥିଲା। ଫଳରେ ଜେଡ୍ ଷ୍ଟ୍ରିମ୍ ତଳକୁ ଖସି ଆସିଥିଲା। ଏହି କାରଣ ପାଇଁ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।’’

Comment