ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଲା ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣ। ଆଇପିଏଲ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଥର ପାଇଁ ବିଜୟ ମୁକୁଟ ପିନ୍ଧିଛି। ବର୍ତ୍ତମାନ ସମସ୍ତଙ୍କ ନଜର ୨୦୧୯ କ୍ରିକେଟ୍‌ ବିଶ୍ୱକପ ଉପରେ। ଆଇପିଏଲ୍‌ରେ ଅଲଗା ହୋଇ ଖେଳୁଥିବା ସମସ୍ତ ଟିମ୍‌ ଏବେ ଏକାଠି ହୋଇ ଭାରତକୁ ବିଶ୍ୱବିଜେତା କରିବା ଦିଗରେ ଖେଳିବେ।

ଆସନ୍ତା ମେ’ ୩୦ରେ ଆରମ୍ଭ ହେବାକୁ ଯାଉଛି ୨୦୧୯ କ୍ରିକେଟ୍‌ ବିଶ୍ୱକପ। ଭାରତକୁ ମିଶାଇ ମୋଟ ୧୦ଟି ଦେଶ  ବିଶ୍ୱକପରେ ଭାଗ ନେଇଛନ୍ତି। ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷୀଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟ୍‌ଇଣ୍ଡିଜ୍‌। ତେବେ ସବୁଠୁ ବଡ଼ କଥା ହେଉଛି, ଆସନ୍ତା ଜୁନ୍‌ ୧୬ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌।

ବିଶ୍ୱକପ ପାଇଁ ପ୍ରତ୍ୟେକ ଦେଶ ନିଜ ଟିମ୍‌ ଘୋଷଣା କରିଥିବା ବେଳେ ଗତ ଏପ୍ରିଲ ୧୫ରେ ଭାରତ ମଧ୍ୟ ତାର ୧୫ ଜଣିଆ ଟିମ୍‌ ଘୋଷଣା କରିଛି। ଘୋଷଣା ଦିନଠୁ ଟିମ୍‌ ଇଣ୍ଡିଆରେ ଖେଳାଳୀଙ୍କ ଚୟନକୁ ନେଇ ବାଦ ବିବାଦ ସୃଷ୍ଟି ହୋଇଛି। ଖାସ୍‌ କରି ଯୁବ ୱିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ୍‌ ପନ୍ତଙ୍କୁ ଟିମ୍‌ରେ ନିଆଯାଇନଥିବାରୁ ବିଭିନ୍ନ ବିବାଦ ମୁଣ୍ଡ ଟେକିଛି।

ଚୟନ କମିଟି ରିଷଭ ପନ୍ତଙ୍କ ବଦଳରେ ଦିନେଶ କାର୍ତ୍ତିକଙ୍କୁ ଟିମ୍‌ରେ ନେଇଛନ୍ତି। ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଚୟନକମିଟି କାର୍ତ୍ତିକଙ୍କୁ ଟିମ୍‌ରେ ନେଇଛନ୍ତି। ତେବେ ଏ ବାବଦରେ ପ୍ରଥମଥର ପାଇଁ ଟମ୍‌ର ଅଧିନାୟକ ବିରାଟ କୋହଲି ମୁହଁ ଖୋଲିଛନ୍ତି। ବିରାଟ କହିଛନ୍ତି, ” ୱିକେଟ୍‌କିପର ଭାବେ ଟିମ୍‌ ଇଣ୍ଡିଆରେ ମହେନ୍ଦ୍ର ସିଂହ ଧୋନି ପ୍ରଥମ। ଏହା ପରେ କାର୍ତ୍ତିକ ରିଜର୍ଭରେ ରହିବେ। ପନ୍ତଙ୍କୁ ଟିମ୍‌ରେ ନେବା ଏପର୍ଯ୍ୟନ୍ତ କୌଣସି ସ୍ଥିତି ଉପୁଜି ନାହିଁ।”

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment