ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ର ଏହି ସ୍ତମ୍ଭ ମାଧ୍ୟମରେ ବିଭିନ୍ନ ବିଷୟରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଶା ଓ ଓଡ଼ିଆ (୮)
ସଂସାର ରକ୍ଷଣ ହେଲା ଧର୍ମ। ବଢି, ଝଡି, ନିଆଁ, ଖରା, ବର୍ଷା – ଏସବୁ ହେଲା ସଂସାରର କାର୍ଯ୍ୟ। ଏସବୁ କାର୍ଯ୍ୟକୁ କରିବା ହେଲା ସଂସାରର ଧର୍ମ। ଜନ୍ମ, ମୃତ୍ୟୁ. ଜରା, ବ୍ୟାଧି, ସୃଷ୍ଟି ଓ କ୍ଷୟ – ସମସ୍ତ ଏ ଧର୍ମର ବିଭିନ୍ନ ରୂପ। ଧର୍ମକୁ ବୁଝିବାର କ୍ଷମତା ଆମର ନାହିଁ, କେବଳଧର୍ମକୁ ଗ୍ରହଣ କରିବାର କ୍ଷମତା ଅଛି। ଧର୍ମ ଜମିରୁ ଧାନ ଦିଏ, ଧର୍ମବି ସମୟରେ ମରୁଡି ସୃଷ୍ଟି କରେ। ସବୁର କିଛି କାରଣ ଅଛି, କିନ୍ତୁ ଏ କାରଣର ଜ୍ଞାନ ମନୁଷ୍ୟକୁ ଅଗୋଚର।
ସଂସାର ରକ୍ଷଣ ପରେ ହେଲା ସମାଜର କ୍ଷଣ। ସମାଜର କ୍ଷଣର ରୀତିନୀତି ହେଲା ଆଉ ଗୋଟିଏ ପ୍ରକାର ଧର୍ମ। ସଂସାର କାହିଁକି ହୋଇଛି, ବା କିପରି ହୋଇଛି ତା’ ଆମେ ପୂରାପୂରି ଜାଣିପାରିବା ନାହିଁ, କିନ୍ତୁ ସଂସାର କେମିତି ଚାଲିଛି ତା’ ଆମେ ଠଉରେଇ ପାରିବା। ସଂସାର ପରି ସମାଜ ମଧ୍ୟ ଆମ ଆଗରୁ ଆମପାଖରେ ଅଛି। ସମାଜର ଚଳଣିରେ ପ୍ରତ୍ୟେକ ବ୍ୟକ୍ତିର କିଛି କାର୍ଯ୍ୟ ଅଛି ସମସ୍ତଙ୍କର ସହଯୋଗରେ ସମାଜ ଚଳିପାରିବ। ତେଣୁ ସଂସାରର କ୍ଷଣ ଲାଗି ଆମର ବ୍ୟକ୍ତିଗତ କାର୍ଯ୍ୟ ହେଲା ଆମର ନିଜର ଧର୍ମ। ଏ ପ୍ରକାର କାର୍ଯ୍ୟ ଠିକ୍ ଭୁଲ୍ ତା’ ଆମେ କହିପାରିବା ନାହିଁ, କିନ୍ତୁ ବଂଶାନୁକ୍ରମେ ଯାହା କାର୍ଯ୍ୟ ଆମ ପୂର୍ବ ପୁରୁଷମାନେ କରିଛନ୍ତି, ଏହାକୁ ଗ୍ରହଣ କରି ସେହି ବାଟରେ ଆଗେଇବାକୁ ଆମେ ସମାଜ ଧର୍ମ ବୋଲି କହିପାରୁ।
ଏ’ପରି ଭାବରେ ପୁରୁଷ ଧର୍ମ, ସ୍ତ୍ରୀ ଧର୍ମ, ପୁତ୍ର ଧର୍ମ, ପିତା ଧର୍ମ ଓ ରାଜଧର୍ମ। କାଳକ୍ରମେ ପୁଣି ବ୍ରାହ୍ମଣ ଧର୍ମ, କ୍ଷତ୍ରିୟ ଧର୍ମ ଓ ଅନ୍ୟାନ୍ୟ ଧର୍ମ। ଏ ପ୍ରକାର ଧର୍ମ ହେଲା ଗୋଟିଏ ପନ୍ଥା, କାମ କରିବାର ଗୋଟିଏ ରୀତି। ଏ ଧର୍ମ ହେଲା ଗୋଟିଏ ବ୍ୟକ୍ତି ପକ୍ଷରେ ଯାହା ଆଶା କରାଯାଇପାରେ। ଏହି ଆଶା ଓ ପ୍ରତ୍ୟାଶା ଫଳରେ ସମାଜର ଚଳଣି ଚାଲେ। ଏ’ ଧର୍ମଟା ମତ ନୁହେଁ, ଏ’ଧର୍ମ ହେଉଛି କାର୍ଯ୍ୟମୂଳକ, ଦାୟିତ୍ଵମୂଳକ। ଆଧୁନିକ ଭାବରେ ଧର୍ମକୁ ମତ ହିସାବରେ ଗ୍ରହଣ କରିବା ଓଡିଶା ପୁରୁଣା ସମାଜର ସୃଷ୍ଟି ନୁହେଁ।
ସମାଜର ପ୍ରତ୍ୟେକ ବ୍ୟକ୍ତି ଆପଣାର ଦାୟିତ୍ଵ ତୁଲାଇବା ହେଲା ତା’ର ଧର୍ମ। ଧର୍ମର ମାପକାଠି ଅଛି,ପ୍ରତ୍ୟେକ ଗୋଷ୍ଠୀର ଦାୟିତ୍ଵର ପରାକାଷ୍ଠା ଅଛି। ସେଥିପାଇଁ ଯଥେଷ୍ଟ ଶିକ୍ଷା ଓ ଅନୁଶୀଳନ ଆବଶ୍ୟକ। ଏ ଶିକ୍ଷା ଓ ଅନୁଶୀଳନ ଗୋଷ୍ଠୀ ଗତଶିକ୍ଷା, କେବଳ ଜାଣିଥିବା ଲୋକଙ୍କଠାରୁ ଶିଖା ଯାଇପାରେ। ମୋଟାମୋଟି ଭାବରେ ଏ’ହେଲା ଧର୍ମଶିକ୍ଷାର ପ୍ରଥମ ପାହାଚ – ଆପଣାର ନିଜଘରେ, ଆପଣାର ପିତାମାତାଙ୍କ ଠାରେ। ପିତାମାତା ପରେ ସମାଜର ଅନ୍ୟମାନେ ମଧ୍ୟ ଆପଣା ଅଭିଜ୍ଞତାରୁ ଶିକ୍ଷା ଦେଇପାରନ୍ତି। କୌଣସି କୌଣସି ସମୟରେ ଅଧିକ ତାଲିମ ପାଇଁ ଶିକ୍ଷକ ମଧ୍ୟ ଥା’ନ୍ତି। ତାଲିମ ମାଧ୍ୟମରେ କୌଶଳ ଶିକ୍ଷା କରାଯାଏ, ଧର୍ମଶିକ୍ଷା କିନ୍ତୁ ଆନ୍ତରିକ ଓ ଚାରିତ୍ରିକ। ବହୁ ବାଲ୍ୟ ବୟସରୁ ମନୁଷ୍ୟକୁ ଆପଣା ପରିବେଶ ମାଧ୍ୟମରେ ଧର୍ମଜ୍ଞାନ ହୁଏ। ପରିଶ୍ରମ, ଅଧ୍ୟବସାୟ, ସତ୍ୟ ବଚନ, ଛଳହୀନ ଜୀବନ ଏ’ସବୁର ଜ୍ଞାନ କେବଳ ବାଲ୍ୟ ବୟସରୁ ହିଁ ଉପଲବ୍ଧି ହୁଏ।
ଧର୍ମଜ୍ଞାନ ପରେ ଧର୍ମରେ ଚଳିବା ଅଲଗା କଥା। ଯେଉଁ ପରିବେଶରେ ଆମର ଗୋଷ୍ଠୀଗତ ଧର୍ମଶିକ୍ଷା ହେଲା, ସେ ଧର୍ମ କେବଳ ସେହି ଗୋଷ୍ଠୀ ପାଇଁ ହିଁ ପ୍ରଯୁଜ୍ୟ, ସର୍ବତ୍ର ଲାଗୁ ନ ହୋଇପାରେ। ସଂସାରର ଚଳଣି ହେଲା ମନୁଷ୍ୟର କର୍ମ, ମନୁଷ୍ୟର ଧର୍ମନୁହେଁ । ତେଣୁ ଆପଣା ଧର୍ମକୁ ସାଥିରେ ଧରି ଆମକୁ କର୍ମ କରିବାକୁ ହେବ। ନିଜ ଗୋଷ୍ଠୀରେ ଥାଇ ଧର୍ମଜ୍ଞାନ ଥିଲେ ମଧ୍ୟ ଆମର କର୍ମ ଧର୍ମ ସହ ତାଳ ନଖାଇପାରେ। ବସ୍ତୁତଃ ତାଳ ନଖାଇବା ବେଶୀ ସ୍ଵାଭାବିକ। ଏ ପ୍ରକାର ତାଳ ନଖାଇବା ଫଳରେ ଗୋଷ୍ଠୀରେ ଅଶାନ୍ତି, କନ୍ଦଳ ଓ କଳିର ସୃଷ୍ଟି। ସଂସାରର ସବୁ କଳିର କାରଣ ହେଉଛି ଆପଣା ଧର୍ମକୁ ଅନ୍ୟ ଉପରେ ଲଦିଦେବା। ଏ ଲଦିବା ଗୁଣଟି ହେଲା ମନୁଷ୍ୟର କର୍ମ। ଅନ୍ୟକୁ ଅଧିକାର କରିବା ହେଲା କର୍ମ, ଅଧିକାରର ବିରୋଧ କରିବା ହେଲା ଆଉ ଗୋଟିଏ କର୍ମ!
ଗୋଷ୍ଠୀ ଭିତରେ ବିବାଦ ଏବଂ ଗୋଷ୍ଠୀମାନଙ୍କ ସମୂହରେ ବିବାଦ! ଏତେ ବିବାଦର କାରଣ କଣ? ଏହା କ’ଣ ବୁଝିବା ଯେ’ସବୁ ଗୋଷ୍ଠୀମାନଙ୍କର ଧର୍ମ ଅଲଗା ଅଲଗା? ତା’ ତନ ହୋଇପାରେ, କାରଣ କେତେକ ମାନବିକ ଗୁଣ ସବୁ ଗୋଷ୍ଠୀ ପାଖରେ ଚଳୁଥିବା କଥା!ଜୀବନ ପ୍ରତି ଦୟା, ଅନ୍ୟକୁ ସମ୍ମାନ, ଗୁଣକୁ ଆଦର – ପ୍ରତ୍ୟେକ ସମାଜର ଚିରାଚରିତ ରୀତି ହେବା କଥା। ତା’ହେଲେ ଏତେ କନ୍ଦଳ କାହିଁପାଇଁ? ଏ’କଥାକୁ ବୁଝିବା ପାଇଁ ଆମ ପୁରୁଣା ଲୋକେ ଆଉ ଗୋଟିଏ ତତ୍ତ୍ଵ ଆବିଷ୍କାର କଲେ, ତା’ହେଲା ପ୍ରକୃତି। ପ୍ରତ୍ୟେକ ବ୍ୟକ୍ତି ଧର୍ମ ଜାଣିଥିଲେ ହେଁ ତା’ର ପ୍ରକୃତି ଅଲଗା।
ଯେତେ ମନୁଷ୍ୟ, ସେତେ ପ୍ରକୃତି! ପ୍ରତ୍ୟେକ ମନୁଷ୍ୟର କର୍ମ ତା’ର ପ୍ରକୃତି ଉପରେ ନିର୍ଭର କରେ। ଆପଣାର ଧର୍ମଜ୍ଞାନ ପ୍ରକୃତି ମାଧ୍ୟମରେ ରୂପାନ୍ତରିତ ହୁଏ। ପ୍ରକୃତି କେଉଁଠି ଅଛି ବାକିପରି ଅଛି, ତା’ର ନିର୍ଦ୍ଧାରଣା ନାହିଁ, କିନ୍ତୁ ସବୁ କନ୍ଦଳର ମୂଳରେ ଅଛି ପ୍ରକୃତି! ଏ’ ବିଚିତ୍ର ତଥ୍ୟ ଆମ ଲୋକମାନେ ଅବିଷ୍କାର କରି ଆଗକୁ ବଢିଲେ।