ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପୁରୀ ଲୋକସଭା ଆସନରେ ଏଥର ହୋଇଛି କଡ଼ା ମୁକାବିଲା। ଭୋଟ୍ ଗଣତି ପ୍ରାୟ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିବା ବେଳେ ପ୍ରତି ରାଉଣ୍ଡରେ ବିଜେପି ଓ ବିଜେଡି ମଧ୍ୟରେ ଉଠାପକା ଚାଲିଛି। ସନ୍ଧ୍ୟା ୬ଟା ସୁଦ୍ଧା ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ୍ ପାତ୍ର ବିଜେଡିର ପିନାକୀ ମିଶ୍ରଙ୍କଠାରୁ ମାତ୍ର ୨୬୫୩ ଭୋଟ୍ ଆଗୁଆ ଅଛନ୍ତି।

ଏହାର ପୂର୍ବ ରାଉଣ୍ଡ ବେଳକୁ ସମ୍ବିତ୍ ପିନାକୀଙ୍କଠାରୁ ୫୮୮୬ ଭୋଟ୍ ବ୍ୟବଧାନରେ ଆଗୁଆ ରହିଥିଲେ। ଆଜି ଭୋଟ୍ ଗଣତି ଆରମ୍ଭ ହେବାଠାରୁ ବିଭିନ୍ନ ପର୍ଯ୍ୟାୟରେ କେତେବେଳେ ବିଜେପି ଆଗରେ ତ କେତେବେଳେ ବିଜେଡି ଆଗରେ – ଏହିଭଳି ଚିତ୍ର ଦେଖିବାକୁ ମିଳିଛି। ତେଣୁ ପୁରୀ ଆସନରେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ଖଣ୍ଡାଧାର ଭଳି ମନେ ହେଉଛି।

ପୁରୀ ଆସନରୁ ବିଜେଡିର ପ୍ରାର୍ଥୀ ଭାବେ ୨୦୦୯ରେ ପ୍ରଥମେ ବାଜି ମାରିଥିଲେ ପିନାକୀ ମିଶ୍ର। ୨୦୧୪ ନିର୍ବାଚନରେ ସେ ପୁଣି ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ ତାଙ୍କ ପାଇଁ ଏକ ଆହ୍ୱାନ ହୋଇଥିଲା।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ୍ ପାତ୍ର ଏଥର ପୁରୀରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢ଼ିବେ ବୋଲି ଆଗରୁ ମିଡିଆରେ ଚର୍ଚ୍ଚା ହେଉଥିଲା। ତେବେ ଶେଷ ମୁହୂର୍ତ୍ତରେ ଦଳ ସମ୍ବିତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ସମ୍ବିତ୍ ନିଜକୁ ମୋଦିଙ୍କ ଦୂତ ବୋଲି ବର୍ଣ୍ଣନା କରିଥିଲେ।

ପୁରୀ ଲୋକସଭା ଆସନରୁ ୧୯୯୧ ନିର୍ବାଚନରେ ବ୍ରଜକିଶୋର ତ୍ରିପାଠୀ ଜନତା ଦଳ ଟିକଟରେ ବିଜୟୀ ହୋଇଥିଲେ। ହେଲେ ୧୯୯୬ ଭୋଟରେ  କଂଗ୍ରେସର ପିନାକୀ ମିଶ୍ର ପୁରୀରୁ ବାଜିମାତ କରିଥିଲେ। ପରବର୍ତ୍ତୀ ସମୟରେ ୧୯୯୮, ୧୯୯୯ ଏବଂ ୨୦୦୪ରେ ବ୍ରଜ ତ୍ରିପାଠୀ ବିଜେଡି ଟିକେଟରେ ପୁରୀରୁ ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ।

Comment