ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

‘‘ପଶ୍ଚିମ ଓଡ଼ିଶାରୁ ଗଲେ ୫ ବିଜେପି ସାଂସଦ। ହେଲେ ଜଣକୁ ମିଳିଲାନି ମନ୍ତ୍ରୀପଦ।’’

‘‘ପଶ୍ଚିମ ଓଡ଼ିଶାରୁ ବିଜେପି ୫ଟି ଲୋକସଭା ଆସନ ପାଇଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣକୁ ବି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କଲେ ନାହିଁ। କିନ୍ତୁ ନବୀନ ବାବୁ ତାଙ୍କ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ୬ ଜଣଙ୍କୁ ମନ୍ତ୍ରୀ କରିଛନ୍ତି’’, ନୂଆ ସରକାର ଗଠନ ହେବା ପରେ ବିଜେପିକୁ କଟାକ୍ଷ କରି ଏହା କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।

ନରେନ୍ଦ୍ର ମୋଦି ଗତ ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଆସିଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ପଦ ମିଳିଛି।

ତେବେ ଅନ୍ୟ ଅଞ୍ଚଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଏଥର ବିଜେପି ଭଲ ପ୍ରଦର୍ଶନ କରିଥିଲା। ୫ଟି ଲୋକସଭା ଆସନରେ ପଦ୍ମ ଫୁଟିଥିଲା। ସୁନ୍ଦରଗଡ଼ରୁ ଜୁଏଲ ଓରାମ, ସମ୍ବଲପୁରରୁ ନୀତେଶ ଗଙ୍ଗଦେବ, ବରଗଡ଼ରୁ ସୁରେଶ ପୂଜାରୀ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓ ନିର୍ବାଚିତ ହୋଇଛନ୍ତି। ଏମାନେ ସମସ୍ତେ ହେଉଛନ୍ତି ବିଜେପିର ବରିଷ୍ଠ ନେତା। ହେଲେ ଜଣକୁ ବି ମନ୍ତ୍ରୀ ପଦ ଦେଇନି ବିଜେପି।

‘‘ପଶ୍ଚିମ ଓଡ଼ିଶାକୁ ଅବହେଳା କରିଛନ୍ତି ମୋଦି। ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ହେଲେ, ଏହା ସ୍ୱାଗତଯୋଗ୍ୟ। କିନ୍ତୁ ପଶ୍ଚିମ ଓଡ଼ିଶାର ଜଣକୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ଭଲ ହୋଇଥାନ୍ତା’’, କହିଛନ୍ତି ସୁଶାନ୍ତ।

ପଶ୍ଚିମ ଓଡ଼ିଶାବାସୀ ବିଧାନସଭା କ୍ଷେତ୍ରରେ ନବୀନ ବାବୁଙ୍କ ଉପରେ ଆସ୍ଥର ପ୍ରକଟ କରିଥିବା ବେଳେ ଲୋକସଭା କ୍ଷେତ୍ରରେ ମୋଦିଙ୍କ ଉପରେ ଭରସା କରିଥିଲେ। ଫଳରେ ବିଜେପି ୫ଟି ଲୋକସଭା ଆସନ ପାଇଲା। କିନ୍ତୁ ଜଣକୁ ମନ୍ତ୍ରୀ ପଦ ନଦେବା ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା ବୋଲି କହିଛନ୍ତି ସୁଶାନ୍ତ।

ନବୀନ ପଟ୍ଟନାୟକ କିନ୍ତୁ ଅବହେଳା କରି ନାହାନ୍ତି। ୨୧ ଜଣିଆ ମନ୍ତ୍ରିମଣ୍ଡଳରେ କେବଳ ପଶ୍ଚିମ ଓଡ଼ିଶାରୁ ୬ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଥିବା କହି ସୁଶାନ୍ତ ବିଜେପିକୁ ଟାର୍ଗେଟ କରିଛନ୍ତି।

ସୁଶାନ୍ତଙ୍କ ଏହି ଅଭିଯୋଗର ଜବାବ ଦେଇଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂହ।

ସେ କହିଛନ୍ତି, ‘‘ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ହୋଇଛନ୍ତି। ଗରିବ ପରିବାରରୁ ଲୋକସଭା ଯାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ମନ୍ତ୍ରୀ କରାଯାଇଛି। ପ୍ରତାପ ଉପକୂଳ ଓଡ଼ିଶାର ହୋଇଥିବା ବେଳେ ଧର୍ମେନ୍ଦ୍ର ପଶ୍ଚିମ ଓଡ଼ିଶାର।’’

Comment