ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଏବଂ ଜାଇକାର ମିଳିତ ଅନୁକୂଲ୍ୟରେ କଟକ ମହାନଦୀ ପଠାରେ ଲାଗିଲା ଗଛ।
ଆଜି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସ୍ୱଚ୍ଛ ଏବଂ ସୁସ୍ଥ ରଖିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଏବଂ ଜାପାନ ସରକାରଙ୍କ ସଂସ୍ଥା ‘ଜାଇକା’ର ମିଳିତ ଆନୁକୂଲ୍ୟରେ କଟକଠାରେ ବୃକ୍ଷରୋପଣ କରାଯାଇଛି।
କଟକର ଚହଟା ଛକ ନିକଟସ୍ଥ ଭୁଆଶୁଣୀ ପଠାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପଠାରେ ୫ ହଜାର ଗଛ ଲଗା ଯାଇଥିଲା।
“ବୃକ୍ଷ ହିଁ ଜୀବନ। ମଣିଷ ପାଇଁ ଖାଦ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ଗଛଟିଏ ଲଗାଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏଣୁ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ନିହାତି ଦରକାର’’, କହିଛନ୍ତି ଓଡ଼ିଶା ସରକାରଙ୍କ ପୌର ପ୍ରଶାସନର ନିର୍ଦ୍ଦେଶକ ଡକ୍ଟର ସଂଗ୍ରାମଜିତ୍ ନାୟକ।
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଂଗ୍ରାମଜିତ୍ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
କଟକକୁ ବାୟୁ ପ୍ରଦୂଷଣରୁ ମୁକ୍ତ ରଖିବା, ସହରକୁ ଅଧିକ ସବୁଜମୟ କରିବା ପାଇଁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଏହାସହ ବାତ୍ୟା ‘ଫନି’ ପ୍ରଭାବରେ ଅନେକ ଗଛ ନଷ୍ଟ ହୋଇଯାଇଥିଲା। ଏସବୁ ଭରଣା କରିବା ପାଇଁ କଟକ ମହାନଦୀ ପଠାରେ ବ୍ୟାପକ ଗଛ ଲଗାଯାଇଛି।
ଏହି ଅବସରରେ ଯୋଗଦେଇ ପିଏମ୍ସି, ଓଆଇଏସ୍ଆଇପି ଓ ଜାଇକାର ଟିମ୍ ଲିଡର ଫରନାଣ୍ଡୋ ରୋମାନ କହିଛନ୍ତି, “ପରିବେଶ ହେଉଛି ମଣିଷ ବଞ୍ଚିବାର ମୁଖ୍ୟ ଆଧାର। ସେଥିପାଇଁ ପରିବେଶରେ ସନ୍ତୁଳନ ରକ୍ଷା କରିବା ପାଇଁ ଗଛ ଲଗାଇବା ନିହାତି ଆବଶ୍ୟକ।’’
ଓଡ଼ିଶା ପୌର ଜଳଯୋଗାଣ ଓ ପରିମଳ ପରିଷଦର ସଦସ୍ୟ ସଚିବ ଇଂ. ବସନ୍ତ କୁମାର ପରିଡା କହିଛନ୍ତି, “ପରିମଳ ବ୍ୟବସ୍ଥା ସହିତ ପରିବେଶରେ ସୁଧାର ଆଣିବା ଓଡ଼ିଶା ସମନ୍ୱିତ ପରିମଳ ଉନ୍ନତିକରଣ ପ୍ରକଳ୍ପର ଆଉ ଏକ ଲକ୍ଷ୍ୟ। ସେଥିପାଇଁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ୫୦୦୦ ବୃକ୍ଷରୋପଣ କରାଯାଇଛି।’’
ସେହିପରି ପରିବେଶବିତ୍ ଡକ୍ଟର ଆଶୁତୋଷ ଦେବତା କହିଛନ୍ତି, “ବର୍ତ୍ତମାନ ପାଣିପାଗରେ ପରିବର୍ତ୍ତନ ଓ ଏଥିପାଇଁ ହେଉଥିବା ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଉପାୟ। ଏଣୁ ସମସ୍ତେ ଗଛଟିଏ ଲଗାନ୍ତୁ ଓ ସୁସ୍ଥ ରୁହନ୍ତୁ।’’
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ। ଉପସ୍ଥିତ ଅତିଥିମାନେ ନିଜେ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ।
ଶେଷରେ ଜାଇକାର ପ୍ରକଳ୍ପ ସଂଯୋଜକ ଚିନ୍ମୟ ତ୍ରୀପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।








ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଏବଂ ଜାଇକାର ମିଳିତ ଅନୁକୂଲ୍ୟରେ କଟକ ମହାନଦୀ ପଠାରେ ଲାଗିଲା ଗଛ।








