ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ବିଶେଷଜ୍ଞ ପୂର୍ବରୁ କହିଛନ୍ତି ଯେ ଶୀତ ଋତୁରେ କରୋନାର ପ୍ରଭାବ ଅଧିକ ହୋଇପାରେ। ତେବେ ଏବେ କରୋନାକୁ ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏବେ ଆଉ ଏକ ଚେତାବନୀ ଦେଇଛନ୍ତି। ଡାକ୍ତର ଗୁଲେରିଆ କହିଛନ୍ତି ଯେ ପ୍ରଦୂଷଣରେ ସାମାନ୍ୟ ବୃଦ୍ଧି ହେଲେ କରୋନା ରୋଗ ବଢ଼ିପାରେ।

ପ୍ରଦୂଷଣରେ ସାମାନ୍ୟ ବୃଦ୍ଧି ହେଲେ କରୋନା ଜୀବାଣୁଙ୍କ ସଂଖ୍ୟା ୮-୯ ପ୍ରତିଶତକୁ ବୃଦ୍ଧି ପାଇପାରେ। କରୋନା ସହିତ ପ୍ରଦୂଷଣ ବୃଦ୍ଧି ଫୁସଫୁସ ଏବଂ ଶ୍ୱାସ ରୋଗକୁ ମଧ୍ୟ ବଢ଼ାଇପାରେ। ଏଣୁ ଶୀତ ମାସରେ ଲୋକମାନେ ବହୁତ ସତର୍କ ରହିବା ଆବଶ୍ୟକ। ଚୀନ୍ ଏବଂ ଇଟାଲୀର ତଥ୍ୟରୁ ଯାହା ଜଣାପଡ଼ିଛି ଯେଉଁ ଅଞ୍ଚଳରେ ପ୍ରଦୂଷଣ ସାମାନ୍ୟ ବୃଦ୍ଧି ପାଇଛି, ସେହି ଅଞ୍ଚଳ କରୋନା ମାମଲାରେ ଅତି କମରେ ୮-୯ ପ୍ରତିଶତ ବୃଦ୍ଧି ଘଟିଛି।ଲାନସେଟ୍ ପତ୍ରିକାର ତଥ୍ୟ ଅନୁସାରେ ୨୨ ସେପ୍ଟେମ୍ବର ସୁଦ୍ଧା ଚାଇନା ଏବଂ ୟୁରୋପରେ ଲକଡାଉନ୍ କାରଣରୁ ବାୟୁ ପ୍ରଦୂଷଣର ହ୍ରାସ ପାଇଛି। ଏଥିସହିତ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ମଧ୍ୟ ସକାରତ୍ମକ ରହିଥିବା ଦେଖାଯାଇଛି। ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, ବାୟୁ ପ୍ରଦୂଷଣର କ୍ରମାଗତ ହ୍ରାସ କେବଳ କରୋନା ନୁହେଁ ଶ୍ଵାସକ୍ରିୟା ରୋଗ ସହ ଜଡିତ ଭବିଷ୍ୟତର ମହାମାରୀରେ ମୃତ୍ୟୁହାର ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

“ଶୀତ ଋତୁରେ ସାଧାରଣତଃ ସମସ୍ତେ ଘରେ ରହିଥାନ୍ତି। ଘରେ ଅଧିକ ଲୋକ ରହୁଥିବାରୁ କରୋନା ଜଣଙ୍କଠାରୁ ଅନ୍ୟକୁ ସହଜରେ ବ୍ୟାପିପାରେ। ଶ୍ଵାସକ୍ରିୟା ଜୀବାଣୁ ମଧ୍ୟ ଶୀତରେ ସହଜରେ ବ୍ୟାପିଥାଏ। ତେଣୁ ଏପରି କ୍ଷେତ୍ରରେ କରୋନାର ବୃଦ୍ଧି ଦେଖିବାକୁ ମିଳେ। ସଂକ୍ରମଣ ଉପରେ ଆମର ନୀରିକ୍ଷଣ ତଥ୍ୟରୁ ଜଣାପଡିଛି ଯେ, ସ୍ୱାଇନ୍ ଫ୍ଲୁ ଭଳି ରୋଗ ଭାରତରେ ମୌସୁମୀ ଏବଂ ଥଣ୍ଡା ସମୟରେ ହୋଇଥାଏ। କରୋନା ଭାଇରସ୍ ମଧ୍ୟ ଏକ ଶ୍ଵାସକ୍ରିୟା ଭାଇରାଲ୍ ସଂକ୍ରମଣ ଏବଂ ଏହା ସ୍ୱାଇନ୍ ଫ୍ଲୁ ପରି ଆଚରଣ ମଧ୍ୟ କରିଥାଏ। ମାସ୍କ, ଶାରୀରିକ ଦୂରତା ଏବଂ ହାତର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇ ଏହାକୁ ୩୦ ରୁ ୪୦ ପ୍ରତିଶତ ହ୍ରାସ କରାଯାଇପାରେ”, କହିଛନ୍ତି ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଭାରତରେ ପର୍ବପର୍ବାଣୀର ଋତୁ ଆସୁଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ହେବ। ଏହି ଋତୁରେ ଭିଡ଼ ହେବାର ଅଧିକ ସମ୍ଭାବନା ଥାଏ ଏବଂ ଟିକିଏ ଅସାବଧାନତା ମଧ୍ୟ ସଂକ୍ରମଣକୁ ବ୍ୟାପିବାରେ ସାହାଯ୍ୟ କରିବ। ତେଣୁ ଲୋକମାନେ ଏହି ବର୍ଷକୁ ସୀମିତ ଢଙ୍ଗରେ ପାଳନ କରିବା ଉଚିତ୍।

Comment