ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିକୁ ଏବେ ସପ୍ତାହେ ବିତିଥିଲେ ମଧ୍ୟ ଏ ଯାଏଁ ଅନେକ ମୃତକଙ୍କ ଶବ ଚିହ୍ନଟ ହୋଇପାରି ନାହିଁ। ମୃତଦେହ ଚିହ୍ନଟ ପାଇଁ ଏବେ ଡିଏନଏ ଟେଷ୍ଟ କରାଯାଉଥିବାବେଳେ ଏହାର ରିପୋର୍ଟକୁ ଅପେକ୍ଷା କରିଛନ୍ତି ଅନେକ ପରିବାର। ଅନ୍ୟପଟେ ପଶ୍ଚିମବଙ୍ଗ ଓ ବିହାର ସରକାର ନିଜ ନିଜ ରାଜ୍ୟର ଯେଉଁ ନିଖୋଜ ଯାତ୍ରୀଙ୍କ ସମ୍ପର୍କରେ ଅଭିଯୋଗ କରିଛନ୍ତ, ତା’ ଉପରୁ ମଧ୍ୟ କିଛି ପରଦା ହଟିନାହିଁ।

ବାହାନଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୋଟ ୧୯୩ ଜଣ ଯାତ୍ରୀଙ୍କ ଶବ ଭୁବନେଶ୍ଵରେ ପହଞ୍ଚିଥିଲା। ଏମାନଙ୍କ ମଧ୍ୟରୁ ୧୧୨ଟି ମୃତ ଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏବେ ଭୁବନେଶ୍ଵର ଏମ୍ସରେ ଆହୁରି ୮୧ଟି ଶବ ସରଂକ୍ଷିତ ହୋଇରହିଛି। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଏମ୍ସରେ ଥିବା ମୃତଦେହଗୁଡ଼ିକର ଚିହ୍ନଟ ପାଇଁ ଏବେ ଡିଏନଏ ଟେଷ୍ଟ କରାଯାଉଛି। ଏଥିପାଇଁ ୬୮ଟି ନମୁନା ଦିଲ୍ଲୀ ଏମ୍ସକୁ ପଠାଯାଇଛି। ଏହାର ରିପୋର୍ଟ ଆସିବାରେ ବିଳମ୍ବ ହେଉଛି। ରିପୋର୍ଟ ଆଧାରରେ ପରିବାରବର୍ଗଙ୍କୁ ଶବ ଦିଆଯିବ।

ସେହିପରି ବାହାନଗା ଦୁର୍ଘଟଣାରେ ପଶ୍ଚିମବଙ୍ଗ ଓ ବିହାର ସରକାର ନିଜ ନିଜ ରାଜ୍ୟର ମୋଟ ୧୧୯ ଜଣ ଯାତ୍ରୀ ନିଖୋଜ ଥିବା ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଅନ୍ୟପଟେ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ୧୦୫ ଜଣ ଯାତ୍ରୀ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ଆଇସିୟୁରେ ଅଛନ୍ତି। ଆଇସିୟୁରେ ଥିବା ୩ ଜଣ ଲୋକ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ ନିଜର ଗୋଡ଼ ହରାଇଛନ୍ତି। ଏହାଛଡ଼ା କେତେକଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। ଶୁକ୍ରବାର ଆଇସିୟୁରୁ ୬ ଜଣ ଯାତ୍ରୀଙ୍କୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

କଟକରେ ଚିକିତ୍ସାଧୀନ ଥିବା କିଛି ଯାତ୍ରୀ ଏବେ ଧୀରେ ଧୀରେ ଭଲ ହେଉଛନ୍ତି। ସେହିପରି କେତେକ ଯାତ୍ରୀଙ୍କୁ ଦୁର୍ଘଟଣାର ମାନସିକ ଆଘାତ ଲାଗିଥିବା ଦେଖାଯାଇଛି। ଦୁର୍ଘଟଣାର ଭୟ ଏବେ ବି ସେମାନଙ୍କ ମନରୁ ଲିଭିନାହିଁ। କେତେକ ଯାତ୍ରୀ ଶୋଇଥିବା ଅବସ୍ଥାରେ ବଞ୍ଚାଅ… ବଞ୍ଚାଅ… ଚିତ୍କାର କରୁଥିବା ଦେଖାଯାଇଛି। ଏସସିବି ହସ୍ପିଟାଲର ମାନସିକ ବିଭାଗ ପକ୍ଷରୁ ସେମାନଙ୍କର କାଉନସେଲିଂ କରାଯାଉଛି।

Tags: #BahanagatrainTragedy #TrainAccidentinOdisha #BodyIdentification #AIIMS

 

Comment