ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS-Bhubaneswar OPD

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ଏବେ ଜାରି ରହିଛି। ଏବେ ଭୁବନନଶ୍ଵର ଆସିଥିବା ୧୯୩ଟି ମୃତକଙ୍କ ଶବ ମଧ୍ୟରୁ ୧୧୧ଟି ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ବି ଭୁବନେଶ୍ଵର ଏମ୍ସରେ ଚିହ୍ନଟ ହୋଇନଥିବା ୮୨ଟି ମୃତଦେହ ରହିଛି। ଏନେଇ ଗୁରୁବାର ଦିନ ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି।

“ଭୁବନେଶ୍ଵର ଏମ୍ସରେ ଏବେ ବାହାନଗା ଦୁର୍ଘଟଣାର ମୃତକମାନଙ୍କ ଶବ ଚିହ୍ନଟ ପ୍ରକ୍ରିୟାକୁ ଆହୁରି ତ୍ଵରାନ୍ଵିତ କରାଯାଉଛି। ଏଥିପାଇଁ ହେଉଥିବା ଡିଏନଏ ଟେଷ୍ଟିଂ ପାଇଁ ୫୦ଟି ନମୁନା ଦିଲ୍ଲୀ ଏମ୍ସକୁ ପଠାଯାଇଛି। ଏବେ ଏମ୍ସରେ ଚିହ୍ନଟ ହୋଇନଥିବା ୮୨ଟି ମୃତଦେହ ରହିଛି। ଗୋଟେ ଗୋଟେ ଶବ ପାଇଁ ଏକାଧିକ ପରିବାର ଦାବି କରୁଥିବାରୁ ଚିହ୍ନଟ ପ୍ରକ୍ରିୟାକୁ ଠିକ ଭାବେ କରିବାକୁ ଆମେ ଅଧିକ ଗୁରୁତ୍ଵ ଦେଉଛୁ”, କହିଛନ୍ତି ବିଜୟ ଅମୃତା କୁଳାଙ୍ଗେ।

ସେ ଆହୁରି ମଧ୍ୟ କହିଛନ୍ତି, “ଶବ ଚିହ୍ନଟ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟରୁ ଆସିଥିବା ଲୋକମାନଙ୍କୁ ସବୁପ୍ରକାର ସହାୟତା କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କ ପାଇଁ ବିଏମସି ପକ୍ଷରୁ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି।ବିଏମସି ପକ୍ଷରୁ ରେଳବାଇ ଏବଂ ଏମ୍ସ-ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରକ୍ଷା କରାଯାଉଛି।”

ସେ ଆହୁରି କହିଛନ୍ତି, “ଏବେ ବହୁ ପରିବାର ଲୋକ ଫଟୋ ଏବଂ ପରିଚୟ ପତ୍ର ଦେଖାଇ ମୃତ ଶରୀର ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି। ମୃତ ବ୍ୟକ୍ତିଙ୍କ ପାଖରୁ ମିଳିଥିବା ଫୋନରୁ କଲ ଭେରିଫିକେସନ ମଧ୍ୟ କରାଯାଉଛି। ଆଗକୁ ଡିଏନଏ ରିପୋର୍ଟ ଆସିଲେ ସେହି ଆଧାରରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।”

ଅନ୍ୟପଟେ ବାହାନଗା ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୧୧୯ ଜଣ ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୧୪ ଜଣ ଆଇସିୟୁରେ ଅଛନ୍ତି। ବୁଧବାର ସୁଦ୍ଧା ଏସସିବିରୁ ମୋଟ ୮୨ ଜଣ ଯାତ୍ରୀ ଡିସଚାର୍ଜ ହୋଇଛନ୍ତି।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #AIIMS

Comment